www.samajalive.in
Saturday, December 6, 2025
16.1 C
Bhubaneswar

ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ କାଠ ଶ୍ରୀକ୍ଷେତ୍ର ଅଭିମୁଖେ ଦିଆଗଲା ମେଲାଣି

ସାକ୍ଷୀଗୋପାଳ : ଆଜି ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି । ପବିତ୍ର ନିର୍ଜ୍ଜଳା ଏକାଦଶୀ । ଏହି ତିଥି ଅବସରରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳ କାଠ ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଛି।
ଏହି ସେବା ନିମନ୍ତେ ଆବଶ୍ୟକ ବଉଳ ଗଛ ସାରୁ ଗାଡ଼ିଆ ନିକଟରେ ବକୁଳ ବନ ମଧ୍ୟରେ ଚି଼ହ୍ନଟ ହୋଇଥିଲା । ଶ୍ରୀମନ୍ଦିର ସେବାୟତ ଆଣିଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଜ୍ଞାମାଳ ଓ ମହାପ୍ରସାଦ ସମର୍ପଣ କରି ବୃକ୍ଷ ବରଣ କରିଥିଲେ । ଶ୍ରୀମନ୍ଦିର ଭୋଇ ସେବକ ସର୍ଦ୍ଦାର ରବି ଭୋଇ, କାର୍ତ୍ତିକ ଭୋଇ, ମୂଳିଆ ଭୋଇ, କଣ୍ଠିଆ ଭୋଇ କାଲୁଆ ଭୋଇ ଓ ଧୋବା ଭୋଇ ପ୍ରମୁଖ ବଉଳ ବୃକ୍ଷ ଚ୍ଛେଦନ କରିଥିଲେ। ଛ ହାତ ଲମ୍ବ ଓ ତିନି ଫୁଟ ଗୋଲେଇ ବିଶିଷ୍ଟ ଦୁଇ ଖଣ୍ଡ ଓ ତିନି ହାତ ଲମ୍ବ ମାପରେ ଆଉ ଦୁଇ ଖଣ୍ଡ ବଉଳ କାଠ କଟାଯାଇଥିଲା।
ଏହି କାଠକୁ ଏମାର ମଠ ଶଗଡ଼ରେ ପାଟ୍ଟବସ୍ତ୍ର ଆଚ୍ଛାଦିତ କରି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ସ୍ଥାନୀୟ ବକୁଳ ବନର ଅଧିଶ୍ୱର ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ପ୍ରାଙ୍ଗଣକୁ ଅଣାଯାଇଥିଲା । ସେଠାରେ ସ୍ୱତନ୍ତ୍ର ଦେବନୀତି ଓ ପୂଜାର୍ଚ୍ଚନା ପରେ ବଉଳ କାଠ ଶଗଡ଼କୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଥିଲା ।
ସୁଧର୍ମା ମହାସଂଘ ଓ ସ୍ଥାନୀୟ ଭକ୍ତ ମାନେ ଘଣ୍ଟ, ଘଣ୍ଟି, ମୃଦଙ୍ଗ ବାଦନ, ହରିବୋଲ ଓ ହୁଳହୁଳି ପକାଇ ଛତ୍ରୀ ଓ ତ୍ରାସ ଧରି ବଉଳ କାଠ ଶଗଡ଼କୁ ସତ୍ୟବାଦୀ ବ୍ଲକ ଛକ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଶଗଡ଼ିଆ ବାନାମ୍ବର ପ୍ରଧାନ ଓ କପିଳ ସ୍ୱାଇଁ ଶଗଡ଼କୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହି ନେଇଥିଲେ ।
ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଶ୍ରୀମନ୍ଦିର ରଥ ନିର୍ମାଣ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ  ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟ ମାନଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ବଉଳ କାଠରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ମାପ ଅନୁଯାଇ ସେନାପଟା ଓ ବାହୁଟ ନିର୍ମାଣ କରାଯିବ । ପହଣ୍ଡି ସମୟରେ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ମହାପ୍ରଭୁଙ୍କ ପୃଷ୍ଠ ଦେଶରେ ସେନାପଟା ଓ ଶ୍ରୀଭୂଜରେ ବାହୁଟକୁ ପାଟ ବସ୍ତ୍ର ଦ୍ୱାରା ଆଚ୍ଛାଦିତ କରାଯିବ ବା ବାନ୍ଧି ଦିଆଯିବ । ପହଣ୍ଡି ସମୟରେ ଏହି ସେନାପଟା ଓ ବାହୁଟ ଶ୍ରୀଅଙ୍ଗକୁ ସୁରକ୍ଷା ପ୍ରଦାନ କରିଥାଏ ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories