ଜନ୍ମଦିନରେ ଆସିଲା ମୃତ୍ୟୁ: ସହିଦ ମନୋରଞ୍ଜନଙ୍କର ମାର୍ଚ୍ଚ ୧୩ ତାରିଖରେ ଥିଲା ଜନ୍ମଦିନ

0

କଟକ: ମଙ୍ଗଳବାର, ୧୩ ମାର୍ଚ୍ଚ ଥିଲା ସହିଦ  ମନୋରଞ୍ଜନ ଲେଙ୍କାଙ୍କର ଜନ୍ମ ଦିନ । ସେ ୧୩ ମାର୍ଚ୍ଚ ୧୯୯୩ରେ ଜନ୍ମ ହୋଇଥିଲେ । ପୁରୀ ଜିଲା ରେବେଣା ନୂଆ ଗାଁରେ ମନୋରଞ୍ଜନ ଜନ୍ମ ଗ୍ରହଣ କରିଥିଲେ । ହେଲେ ୨୦୧୮, ମାର୍ଚ୍ଚ ୧୩ ତାରିଖରେ ଛତିଶ ଗଡର ସୁକମାରେ ଶକ୍ତିଶାଳୀ ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ତାଙ୍କର ମୃତ୍ୟୁ ହୋଇଛି । ଏଥିରେ ସିଆର୍‌ଫିଏଫ୍‌ ୯ ଜଣ ଯବାନ୍‌ ସହିଦ ହୋଇଛନ୍ତି । ଏହି ଖବର ମିଳିବା ପରେ ରେବେଣା ନୂଆଁ ଗାଁରେ ଶୋକର ଛାୟା ଖେଳି ଯାଇଛି ।

ବୁଧବାରରେ  ଏହି ସହିଦ ୯ ଜଣ ଯବାନଙ୍କୁ ଛତିଶଗଡରେ ଗାର୍ଡ ଅଫ୍‌ ଦିଆଯିବା  ଅପରାହ୍ନରେ ମନୋରଞ୍ଜନ ଲେଙ୍କାଙ୍କର ମୃତ ଶରୀର ବିମାନ ଯୋଗେ ଭୁବନେଶ୍ୱର ଆସିବ । ସେଠାରେ ସିଆର୍‌ପିଏଫ୍‌ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ମୃତ ଶରୀର ଅନ୍ତିମ ସଂସ୍କାରପାଇଁ ପୁରୀ ନିଆଯିବ ।

ସୂଚନା ଯୋଗ୍ୟ ଯେ ସୀମାନ୍ତ ରାଜ୍ୟ ଛତିଶଗଡ଼ର ସୁକୁମା ଜିଲାର ବସ୍ତର ଅଞ୍ଚଳରେ ମାଓବାଦୀ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟାଇ କମ୍ବିଂ ଅପରେସନରେ ଯାଉଥିବା ଏକ ଲ୍ୟାଣ୍ଡମାଇନ୍‌ ନିରୋଧୀ ଗାଡ଼ିକୁ ଉଡ଼ାଇ ଦେଇଛନ୍ତି । ଗାଡ଼ିରେ ଥିବା କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ) ଯବାନଙ୍କ ମଧ୍ୟରୁ ୯ ଜଣ ସହିଦ୍‌ ହୋଇଛନ୍ତି। ୬ ଜଣ ଗୁରୁତର ଥିବାବେଳେ ଅନ୍ୟ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସହିଦ୍‌ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡିଛି। ତାଙ୍କ ନାମ ମନୋରଞ୍ଜନ ଲେଙ୍କା ଓ ଘର ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ। ମାଲକାନଗିରି ସଦର ମହକୁମାଠାରୁ ୨୫ କିଲୋମିଟର ଦୂର ସୁକୁମାରେ ଘଟିଥିବା ଏହି ଘଟଣା ଛତିଶଗଡ଼ ସମେତ ମାଲକାନଗିରି ଜିଲାରେ ଆତଙ୍କ ସୃଷ୍ଟି କରିଛି ।
ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ସିଆରପିଏଫ୍‌ର ୨୦୮ କୋବ୍ରା ବାଟାଲିୟନ ଓ ୨୧୨ ସିଆରପିଏଫ୍‌ ଯବାନ କମ୍ବିଂ ଅପରେସନ ସାରି କିତ୍ସାରାମ ଜଙ୍ଗଲରୁ ଫେରୁଥିବା ସମୟରେ ପୋଲଡିଆ ଓ କିତ୍ସାରାମ ମଝିରେ ମାଓବାଦୀ ଲ୍ୟାଣ୍ଡମାଇନ ଖଞ୍ଜି ସେମାନଙ୍କୁ ନିଶାଣ କରି ଆମ୍ବୁସ୍‌ ଲଗାଇଥିଲେ । ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯବାନ ସେତେବେଳେ ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ିରେ ଥିଲେ । ମାଓବାଦୀମାନେ ଗାଡ଼ିକୁ ବିସ୍ଫୋରଣରେ ଉଡ଼ାଇବା ପରେ ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ୯ ଜଣ କୋବ୍ରା ଯବାନ ସହିଦ୍‌ ହୋଇଥିଲେ । ଏସଆଇ ଆରକେଏସ ତୋମାର, ସିଆଇ ଅଜୟ କୁମାର ଏଦାବ୍‌, ମନୋରଞ୍ଜନ ଲାଖରା, ଜିତେନ୍ଦ୍ର ସିଂ, ସୋହବିତ୍‌ କୁମାର ଶର୍ମା, ଲକ୍ଷ୍ମଣ କୁମାର, ମନୋଜ କୁମାର, ଧର୍ମେନ୍ଦ୍ର କୁମାର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ୬ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଘଟଣାରେ ପ୍ରାୟ ଶତାଧିକ ମାଓବାଦୀ ସାମିଲ୍‌ ଥିବା ଅନୁମାନ କରାଯାଉଛି।
କମ୍ବିଂ ହେବ ଜୋରଦାର: ସ୍ୱତନ୍ତ୍ର ଡିଜି
ଘଟଣା ପରେ କମ୍ବିଂ ଅପରେସନ ଜୋରଦାର କରାଯିବ ବୋଲି ଛତିଶଗଡର ସ୍ୱତନ୍ତ୍ର ମାଓ ଅପରେସନ ଡିଜି ଡି.ଏମ୍‌. ଅଗସ୍ତି ସୂଚନା ଦେଇଛନ୍ତି। ଯବାନଙ୍କ ପ୍ରାଣବଳି ବୃଥା ଯିବନାହିଁ। ରାଜ୍ୟ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ମିଳିତ କମ୍ବିଂକୁ ଜୋରଦାର କରାଯିବା ସହ ମାଓ ଦମନ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନିତ କରାଯିବ। ଅନ୍ୟପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଛନ୍ତି ଯେ ବିକାଶ ପ୍ରକ୍ରିୟା ସୁକୁମା ଅଞ୍ଚଳରେ ତ୍ୱରାନ୍ୱିତ କରାଯାଇଛି। ଆଦିବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇବାରେ ସରକାର ସଫଳ ହୋଇଛନ୍ତି। ଏଥିରେ ମାଓବାଦୀଙ୍କ ଦୁର୍ଗ ଭୁଶୁଡ଼ିବା ଡ଼ରରେ ଏଭଳି ହିଂସାକାଣ୍ଡ ଘଟାଇ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି।
ଏଠାରେ ପ୍ରକାଶଥାଉକି ଗତ ମାର୍ଚ୍ଚ ୨ ତାରିଖରେ ଛତିଶଗଡ ଓ ତେଲେଙ୍ଗାନା ସୀମାର ଚେରଲାଠାରେ ତେଲେଙ୍ଗାନା ଗ୍ରେ-ହାଉଣ୍ଡ ଓ ଛତିଶଗଡ଼ ପୁଲିସର ମିଳିତ କମ୍ବିଂରେ ୧୦ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିଲା। ଏହାର ପ୍ରତିଶୋଧରେ ମାଓବାଦୀ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି। ଆଜିର ଘଟଣା ପରେ ଓଡ଼ିଶା ସୀମାକୁ ସିଲ୍‌ କରାଯାଇ କମ୍ବିଂ ଜୋରଦାର କରାଯାଇଛି। ଛତିଶଗଡ଼ ସୀମାରେ ଥିବା କାଲିମେଳା, ପଡ଼ିଆ ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଛି। ଛତିଶଗଡ଼, ତେଲେଙ୍ଗାନା ଓ ମାଲକାନଗିରି ପୁଲିସ ମିଳିତ ଭାବେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ମାଓ ଦମନ ପାଇଁ ପୁଲିସ ସଜାଗ ରହିଥିବା ମାଲକାନଗିରି ଏସ.ପି. ଜଗମୋହନ ମୀନା କହିଛନ୍ତି।
ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ମାଓବାଦୀଙ୍କ ଏଭଳି ବର୍ବରୋଚିତ ଆକ୍ରମଣରେ ସହିଦ୍‌ ହୋଇଥିବା କେନ୍ଦ୍ରୀୟ ସୁରକ୍ଷା ବଳର ଯବାନଙ୍କ ପ୍ରତି ଗଭୀର ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଏଭଳି ସହିଦ୍‌ ବୀର ସନ୍ତାନଙ୍କୁ ସାଲ୍ୟୁଟ୍‌ କରିବା ସହ ସେମାନଙ୍କ ଶୋକାଭିଭୂତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି। ଏଭଳି ଦୁଃଖଦ ସ୍ଥିତିରେ ଦେଶବାସୀ ସେହି ପୀଡିତ ପରିବାରମାନଙ୍କ ପ୍ରତି ସହାନୁଭୂତି ଜଣାଇବା ସହ ସେମାନଙ୍କ ସହ ଠିଆ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ମଙ୍ଗଳବାର ସୁକ୍‌ମାରେ ଘଟିଥିବା ବିସ୍ଫୋରଣ ଅତ୍ୟନ୍ତ ହୃଦୟ ବିଦାରକ। ଦେଶ ସୁରକ୍ଷା ଲାଗି ପ୍ରାଣବଳି ଦେଇଥିବା ସମସ୍ତ ସହିଦ୍‌ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଓ ସମବେଦନା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶ୍ରୀ ସିଂହ। ମାଓବାଦୀଙ୍କୁ ଦୃଢ ଦମନ କରିବା ଲାଗି ସମସ୍ତ ପଦକ୍ଷେପ ଆପଣେଇବାକୁ ସେ ସିଆରପିଏଫ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply