୫୨୭ ସହିଦ୍ ଙ୍କ ଗାଥା

0

କାର୍‌ଗିଲ୍ ଯୁଦ୍ଧ ପ୍ରସଙ୍ଗ ଉଠିଲେ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିଥାନ୍ତି। ବିଷମ ଓ ଜଟିଳ ପରିସ୍ଥିତି ଥିବା ସତ୍ତ୍ବେ ଆମ ଭାରତୀୟ ଜବାନ୍‌ମାନେ ନିଜ ପରାକ୍ରମ ପ୍ରଦର୍ଶନ କରି ବିଜୟର ଧ୍ବଜା ‘ତ୍ରିରଙ୍ଗା’ ଉଡ଼ାଇଥିଲେ। ରଣଭୂମିରେ ସେମାନଙ୍କ ଯୁଦ୍ଧ କୌଶଳ ଏବେ ମଧ୍ୟ ଚର୍ଚ୍ଚିତ ହେଉଛି। ୨ମାସ ୨୩ଦିନର ଏଇ କାର୍‌ଗିଲ୍ ଯୁଦ୍ଧରେ ୫୨୭ଜଣ ଭାରତୀୟ ସୈନିକ ସହିଦ୍ ହୋଇଥିଲେ। ୧୯୯୯ ଜୁଲାଇ ୨୬ରେ କାର୍‌ଗିଲ୍ ଯୁଦ୍ଧ ସମାପ୍ତ ହେବାର ଘୋଷଣା ହୋଇଥିଲା। ଏଇ ଯୁଦ୍ଧରେ ମାତୃଭୂମିକୁ ରକ୍ଷା କରିବାକୁ ଯାଇ ସହିଦ୍ ହୋଇଥିଲେ ଲାନ୍ସ ନାୟକ ଓମ୍ ପ୍ରକାଶ ସିଂହ। ଉତ୍ତରପ୍ରଦେଶର ବୁଲନ୍ଦସହର ନିବାସୀ ହେଉଛନ୍ତି ଓମ୍ ପ୍ରକାଶ। ପିଲାଦିନରୁ ବନ୍ଧୁକ ଖେଳନା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା। ପୁଅର ଏଇ ସଉକ୍‌କୁ ମା’ ମଧ୍ୟ ପୂରଣ କରୁଥିଲେ। ପାଖଆଖରେ ଯାନିଯାତରା ହେଲେ ଓମ୍ ପ୍ରକାଶଙ୍କ ପାଇଁ ବିଭିନ୍ନ ଡିଜାଇନର ବନ୍ଧୁକ ଖେଳନା ମା’ ନେଇଆସନ୍ତି। ତେବେ ବଡ଼ ହେଲା ପ​‌େ​‌ର ଯେତେବେଳେ ସେନାବାହିନୀରେ ଭର୍ତ୍ତି ହେବାର ଲକ୍ଷ୍ୟ ସେ ମା’ଙ୍କୁ କହିଲେ, ମା’ ଖୁବ୍ ବିରକ୍ତ ହୋଇଥିଲେ। ତାଙ୍କ ବାପା ମଧ୍ୟ କହିଥିଲେ ଅନ୍ୟ ଯେ କୌଣସି ପାଠ୍ୟକ୍ରମ ପଢ଼, ହେଲେ ସେନାବାହିନୀରେ ଯୋଗ ଦେବା କଥା ଭୁଲିଯା। ବାପା-ମା’ଙ୍କ ଏଭଳି ନିର୍ଦେଶରେ ଭାଙ୍ଗିପଡ଼ିଲେ ଓମ୍‌ପ୍ରକାଶ। ପୁଅର ମନଖରାପ ଦେଖି ଶେଷରେ ବାପା ସବୁଜ ସଙ୍କେତ ଦେଲେ, ହେଲେ ମା’ କାନ୍ଦିକାନ୍ଦି ଅଥୟ ହୋଇଗଲେ। ଓମ୍‌ ପ୍ରକାଶ ଯେନତେନ ପ୍ରକାର ମା’ଙ୍କୁ ବୁଝାଇ ନିଜ ପ୍ରସ୍ତୁତି ଆରମ୍ଭ କଲେ। ୧୯୮୬ରେ ଓମ୍‌ ପ୍ରକାଶ ରାଜପୁତାନା ରାଇଫଲ୍ସ ନିମନ୍ତେ ମନୋନୀତ ହେଲେ। ପ୍ରତି ଥର ଓମ୍‌ ପ୍ରକାଶ ଛୁଟିରେ ଆସିଲେ, ମା’ ତାଙ୍କୁ ଏଇ ଚାକିରି ଛାଡ଼ିଦେବାକୁ କହନ୍ତି। ହେଲେ ସେ ଏସବୁ ଶୁଣିଶୁଣି ମା’ଙ୍କୁ କହିଲେ, ଏଭଳି ଆଉ ଥରେ କହିଲେ ସେ ଆଉ ଘରକୁ ଆସିବେନି। ୧୯୯୬ବେଳକୁ ପାଖ ସହରର ବ୍ୟାଙ୍କ୍‌ରେ କାମ କରୁଥିବା ଜନୈକ ଯୁବତୀ ରାଜକୁମାରୀଙ୍କ ସହ ଓମ୍‌ପ୍ରକାଶଙ୍କର ବିବାହ ହେଲା। ୧୯୯୯ରେ ଓମ୍‌ପ୍ରକାଶଙ୍କର ପୁଅଟିଏ ହେଲା। ପୁଅ କୁଲଦୀପର ଜନ୍ମ ପରେ ମାତ୍ର ଥରୁଟିଏ ଦେଖିବାକୁ ଆସିଥିଲେ ଓମ୍, ସେଥରକ ମା’ଙ୍କ ମନ ବୁଝିନଥିଲା। ଓମ୍ ଯିବାବେଳକୁ ମା କାନ୍ଦକାନ୍ଦ ହୋଇ କହିଥିଲେ, ବାବୁରେ ତୁ ଫେରିଆ। ମୋତେ ଏବେ ଭାରି ଭୟ ଲାଗୁଛି ତୋ ପାଇଁ। ଓମ୍ ମଧ୍ୟ ମା’ଙ୍କୁ ଆଶ୍ବାସନା ଦେଇଥିଲେ, ବ୍ୟସ୍ତ ହନା, ଖୁବ୍ ଶୀଘ୍ର ଫେରି ଆସିବି। ଘରୁ ଯିବା ପରେ ଓମ୍‌ ପ୍ରକାଶ ଜୁନ୍ ୧୫ବେଳକୁ ଦ୍ରାସ ସେକ୍ଟରରେ ଶତ୍ରୁଙ୍କୁ ମାରି ବିଜୟ ଲାଭ କଲେ। ଏହା ପରେ ଜୁନ୍ ୨୯ବେଳକୁ ନବଲ ହିଲ୍ ଉପରେ ମଧ୍ୟ ଶତ୍ରୁଙ୍କ ଉପାୟରେ ବିଜୟ ଲାଭ କରିଥିଲା ତାଙ୍କ ଦଳ।
ତେବେ ପାହାଡ଼ରୁ ଓହ୍ଲାଉଥିବା ସମୟରେ ହିଁ ପାକିସ୍ତାନୀ ସେନାବାହିନୀର ଗ୍ରେନେଡ୍ ଓ ଗୁଳିଚାଳନାରେ ସେ ଓ ତାଙ୍କ ସାଥି ଯଶବୀର ସିଂହ ସହିଦ୍ ହୋଇଥିଲେ। ୨ଦିନ ପରେ ଓମ୍‌ ପ୍ରକାଶଙ୍କ ଘରେ ଏ ଖବର ପହଞ୍ଚିଥିଲା। ଏଇ ଦୁଃଖଦ ଖବର ଶୁଣି ତାଙ୍କ ବାପା ହୃଦ୍‌ଘାତରେ ପ୍ରାଣ ହରାଇ ଥିବାବେଳେ ମା’ ପାଗଳୀ ପ୍ରାୟ ହୋଇଯାଇଥିଲେ। କୁଲଦୀପକୁ ସେତେବେଳେ ମାତ୍ର ୬ ମାସ। ନାତିର ମୁହଁ ଦେଖିଦେଖି ବୁଢ଼ୀ ମା ବଞ୍ଚିବାର ସାହରା ପାଇଥିଲେ। କୁଲଦୀପ ମଧ୍ୟ ସେନାବାହିନୀରେ ଯୋଗଦେବାକୁ ଚାହୁଁଥିଲେ। ହେଲେ ଜେଜେମା’ର ଗୋଟିଏ କଥାରେ ସେ ନିଜ ଲକ୍ଷ୍ୟ ପଥ ବଦଳାଇ ଇଂଜିନିୟରିଂ ପାଠ୍ୟକ୍ରମରେ ଭର୍ତ୍ତି ହୋଇଛନ୍ତି। ଜେଜେମା’ କହିଥିଲେ, ବାବୁରେ! ଆଉ ମୋର ସାହସ କି ଧୈର୍ଯ୍ୟ ନାହିଁ। ଅନ୍ତତଃ ତୁ ମୋ କଥା ଶୁଣ।

Leave A Reply