ସବ୍ୟସାଚୀ ସାହୁଙ୍କୁ ନିର୍ମମ ହତ୍ୟା -ଜମି କାରବାରକୁ ନେଇ ହତ୍ୟା ସନ୍ଦେହ

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ସଦର ଥାନା ଅନ୍ତର୍ଗତ କୁଲତାନୁଆପାଲି ଠାରେ ଜମି କାରବାରକୁ ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ଅନ୍ତର୍ଗତ ବୈଦାର ନୁଆପାଲି ନିବାସୀ ସବ୍ୟସାଚୀ ସାହୁ ଓରଫ ଦାରା ସିଂ (୪୭) ନାମକ ଜଣେ ବ୍ୟକ୍ତି ଜମି କାରବାର ସହିତ ସଂପୃକ୍ତ ଥିବା ବେଳେ ଉକ୍ତ ସଂକ୍ରାନ୍ତିୟ କାର୍ଯ୍ୟ ପାଇଁ କୁଲତା ନୁଆପାଲି ଗ୍ରାମକୁ ଯାଇଥିଲେ । ସେଠାରେ କିଛି ବ୍ୟକ୍ତିଙ୍କ ବଚସା ହେବାରୁ ସଂଘବଦ୍ଧ ଭାବରେ ତାଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ମୃତକଙ୍କ ମୁଣ୍ଡ, ବେକ, ଛାତି ଆଦିରେ ଗଭୀର କ୍ଷତ ରହିଛି । ଖବର ପାଇ ସଦର ପୁଲିସ ମୃତଦେହ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବାର ଜଣାପଡିଛି ।

ଏ ସମ୍ପର୍କରେ ସଦର ପୁଲିସର ସୂଚନାନୁଯାୟୀ, ହତ୍ୟାକାଣ୍ଡ ସମ୍ପର୍କରେ ମାମଲା ସଂଖ୍ୟା ୮୩/୨୦୨୪ ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଏହି ଘଟଣାରେ ଜମି କାରବାର ରହିଛି । ଶବ ବ୍ୟବଚ୍ଛେଦ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଘଟଣାସ୍ଥଳରେ ଡଗ ସ୍କ୍ୱାର୍ଡ, ସାଇଣ୍ଟିଫିକ ଦଳ ସମେତ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ପହୁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସଦର ପୁଲିସ କହିଛି । ଅପରପକ୍ଷରେ ଏହି ହତ୍ୟାକାଣ୍ଡ ଘଟଣାରେ ଏକାଧିକ ବ୍ୟକ୍ତି ସାମିଲ ରହିଥିବାର ସନ୍ଦେହ କରାଯାଉଥିବା ବେଳେ ଜଣେ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବାର ଜଣାପଡିଛି ।

Comments are closed.