ଋଷର ବେଲଗୋରୋଦରେ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ, ୭୪ ଜଣଙ୍କ ମୃତ୍ୟୁ

ଡେସ୍କ : ଋଷର ବେଲଗୋରୋଦରେ ବୁଧବାର ଏକ ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଋଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି କି ବିମାନରେ ୬୫ ୟୁକ୍ରେନ ଯୁଦ୍ଧବନ୍ଦୀ ସବାର ଥିଲେ । ବିମାନରେ ଚାଳକ ଦଳର ୬ ସଦସ୍ୟ ଏବଂ ୩ ଗାର୍ଡଙ୍କ ସମେତ ସମୁଦାୟ ୭୪ ଜଣ ଥିଲେ । ତେବେ ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଋଷ୍ । ତେବେ ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ । ଅନ୍ୟପଟେ  ଖବର ଏଜେନ୍ସି ରୟଟର୍ସ ସୂଚନା ଅନୁସାରେ ବିମାନରେ କିଏ ଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ । କିନ୍ତୁ ଏଜନ୍ସି ଏହା କହିଛି ଯେ ଋଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ନିୟମିତ ରୂପେ ଯୁଦ୍ଧବନ୍ଦୀଙ୍କୁ ଅଦଳ ବଦଳ ପାଇଁ ବିମାନରେ ନିଆଯାଉଛି । ଏହି ସମୟରେ ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଇଛି ।

ଆଇଏଲ୍-୭୬ ଏକ ସୈନ୍ୟ ପରିବହନକାରୀ ବିମାନ ଯାହାକୁ ସୈନିକ, କାର୍ଗୋ, ସୈନ୍ୟ ଉପକରଣ ଏବଂ ଅସ୍ତଶସ୍ତ୍ର ନେବା ଆଣିବା ପାଇଁ ବ୍ୟବହାର କରାଯାଏ । ଏଥିରେ ସାଧାରଣତଃ ୫ ଜଣଙ୍କ ଏକ ଦଳ ରହିଥାଏ ଏବଂ ଏଥିରେ ୯୦ ଯାତ୍ରୀଙ୍କୁ ନେଇହୁଏ । ତେବେ ଦୁର୍ଘଟଣା ନେଇ ଗବର୍ଣ୍ଣର ବ୍ୟାଚେସ୍ଲାବ ସୂଚନା ଦେଇ କହିଛନ୍ତି କି ବିମାନ ଦୁର୍ଘଟଣା ନେଇ କିଛି ସମୟ ପୂର୍ବରୁ ଖବର ମିଳିଛି । କହିରଖୁଛୁ ଏହି ସ୍ଥାନ ୟୁକ୍ରେନର ସୀମାକୁ ଲାଗିଛି ଏବଂ ସୀମାବର୍ତ୍ତୀ କ୍ଷେତ୍ରରେ ଗତ କିଛି ମାସରେ ୟୁକ୍ରେନ୍ ଏବଂ ଋଷ୍ ତରଫରୁ ଲଗାତର ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍ ଏହି କ୍ଷେତ୍ରରେ ଲଗାତର ମିସାଇଲ୍ ଆକ୍ରମଣ କରିଛି ।

Comments are closed.