www.samajalive.in
Saturday, December 6, 2025
23.1 C
Bhubaneswar

ବଢ଼ୁଛି ସରକାରଙ୍କ ଚିନ୍ତା : ୧.୮ଲକ୍ଷ ଆବାସ ଅଧାଗଢ଼ା

ଭଦ୍ରକ: ଗ୍ରାମୀଣ ଆବାସ ଯୋଜନାକୁ ନେଇ ବଢ଼ୁଛି ସରକାରଙ୍କ ଚିନ୍ତା। ରାଜ୍ୟରେ ଏବେ ୧ଲକ୍ଷ ୮୦ ହଜାର ଆବାସ ଅଧାଗଢା ଅବସ୍ଥାରେ ଅଛି। ଚଳିତ ଆର୍ଥିକ ବର୍ଷ ମଧ୍ୟରେ ସମସ୍ତ ଆବାସ ନିର୍ମାଣ ସାରିବା ଲାଗି ବ୍ଲକସ୍ତରରେ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଞ୍ଚାୟତିରାଜ ବିଭାଗର ନିର୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଅରିନ୍ଦମ ଡାକୁଆ ସମସ୍ତ ଜିଲାପାଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକକୁ ପରାମର୍ଶ ଦେଇଛନ୍ତି। ଏପରିକି ଗୋଟିଗୋଟି କରି ଆବାସ ହିତାଧିକାରୀଙ୍କ ବାବଦରେ ତଥ୍ୟ ବିଭାଗୀୟ ୱେବସାଇଟରେ ଭରିବାକୁ (ଅପଲୋଡ) ସେ ନିର୍ଦେଶ ଦେଇଛନ୍ତି। ପୁଣି କେଉଁ ପରିସ୍ଥିତିରେ ୮୬ ହଜାର ହିତାଧିକାରୀ ଘର ସାରିବା ପରେ ବି ସମ୍ପୂର୍ଣ୍ଣ ଅନୁଦାନ ପାଇନାହାନ୍ତି ତା’ର କାରଣ ମଧ୍ୟ ଖୋଜିବାକୁ କୁହାଯାଇଛି।
ଉଲ୍ଲେଖନୀୟ ଯେ; ଗ୍ରାମୀଣ ଆବାସ ଯୋଜନା ସରକାରଙ୍କ ପ୍ରମୁଖ ଯୋଜନା। ପ୍ରଧାନମନ୍ତ୍ରୀ ଆବାସ ଠାରୁ ଆରମ୍ଭ କରି ବିଜୁ ପକ୍କାଘର ଯାଏ ସମସ୍ତ ଆବାସ ଯୋଜନାକୁ ‘ଗ୍ରାମୀଣ ଆବାସ’ ଯୋଜନାରେ ସାମିଲ କରିଛନ୍ତି ସରକାର। ସମ୍ପ୍ରତ୍ତି ରାଜ୍ୟରେ ୧ଲକ୍ଷ ୮୦ ହଜାର ଘର ନିର୍ମାଣ ଲାଗି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ଏହିସବୁ ଘରର ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ରହିଛି ବୋଲି ବିଭାଗୀୟ ୱେବସାଇଟରେ ତଥ୍ୟ ଦିଆଯାଇଛି। ତେବେ ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ସମସ୍ତ ଘରର ନିର୍ମାଣ ସାରିବା ବିଭାଗ ପାଇଁ ଏକପ୍ରକାର ଆହ୍ୱାନ ହୋଇଛି। ଏଥିପାଇଁ ଯୋଜନା ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ବିଭାଗ ଉପଲବ୍ଧି କରିଛି। ତା’ପୂର୍ବରୁ ଘରଗୁଡ଼ିକ କାହିଁକି ଅଧାଗଢା ରହିଛି ସେସବୁର କାରଣ ଖୋଜି ବାହାର କରିବାକୁ ଚାହିଁଛି ବିଭାଗ। ଏହି କ୍ରମରେ ବ୍ଲକସ୍ତରରୁ ସମସ୍ତ ହିତାଧିକାରୀଙ୍କ ଗୃହ ନିର୍ମାଣ ବାବଦରେ ସବିଶେଷ ତଥ୍ୟ ଚାହିଁଛି ବିଭାଗ। ହିତାଧିକାରୀ ମୃତ କି ଜୀବିତ, ତାଙ୍କର କେହି ଉତ୍ତରାଧିକାରୀ ଅଛନ୍ତି କି ନାହାନ୍ତି, ହିତାଧିକାରୀ ଘର ତିଆରି ପାଇଁ ଅକ୍ଷମତା ପ୍ରକାଶ କରି ଅନୁଦାନ ଫେରାଇ ଦେଇଛନ୍ତି କି, କେଉଁ ହିତାଧିକାରୀମାନେ ଗାଁ ଛାଡି ବାହାରେ ରହୁଛନ୍ତି ଅଥବା କେତେଦିନ ହେବ ବାହାରକୁ ଚାଲି ଯାଇଛନ୍ତି, କେଉଁ ହିତାଧିକାରୀଙ୍କ ପକ୍କା ଘର ଅଛି ଅଥଚ ତାଙ୍କୁ ଆବାସ ମଞ୍ଜୁର ହୋଇଛି, କେଉଁ ହିତାଧିକାରୀ ପକ୍କା ଘର କରି ଆଜବେଷ୍ଟସ ଛାତ କରିଛନ୍ତି କି, କେଉଁ ହିତାଧିକାରୀ ଜମି ବିବାଦରେ ଫସିଛନ୍ତି କି, କେଉଁ ହିତାଧିକାରୀ ସରକାରୀ ଜମିରେ ଘର ଆରମ୍ଭ କରିଛନ୍ତି କି, କେଉଁ ହିତାଧିକାରୀଙ୍କ ଠାରୁ ରାଜମିସ୍ତ୍ରି ଟଙ୍କା ଅଗ୍ରୀମ ନେଇ ଧରାଛୁଆଁ ଦେଉନାହାନ୍ତି ଆଦି ସବିଶେଷ ତଥ୍ୟ ଚାହିଁଛି ରାଜ୍ୟ ପଞ୍ଚାୟତିରାଜ ବିଭାଗ। ଏଥିପାଇଁ ବ୍ଲକସ୍ତରରେ ଆବାସ ଯୋଜନା ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରତ୍ୟେକ ହିତାଧିକାରୀଙ୍କ ନିର୍ମାଣାଧୀନ ଘରକୁ ‘ଆମ ଘର ଆପ୍’ ଜରିଆରେ ଜିଓଟ୍ୟାଗ୍ (ଭୌଗୋଳିକ ସ୍ଥିତି ନିର୍ଣ୍ଣୟ) କରିବାକୁ ନିର୍ଦେଶ ଦିଆଯାଇଛି। ଏହି ବ୍ୟବସ୍ଥାରେ ସମସ୍ତ ହିତାଧିକାରୀଙ୍କ ଘର ନିର୍ମାଣର ଫଟୋ ସହିତ ନିର୍ମାଣରେ ହିତାଧିକାରୀ ସାମ୍ନା କରିଥିବା ସମସ୍ୟା ବାବଦରେ ସବିଶେଷ ତଥ୍ୟ ସରକାରଙ୍କ ପାଖେ ପହଞ୍ଚିବ। ଏସବୁ ତଥ୍ୟ ପାଇବା ପରେ ଯାଇ ଆବାସ ଯୋଜନାକୁ ଅଧିକ ଗତିଶୀଳ କରିବା ତଥା ହିତାଧିକାରୀଙ୍କ ସମସ୍ୟାର ସମାଧାନ ପନ୍ଥା ନିର୍ଣ୍ଣୟ ହୋଇପାରିବ ବୋଲି ନିର୍ଦେଶକ ଶ୍ରୀ ଡାକୁଆ ଲେଖିଥିବା ଚିଠି (ନଂ୧୬୮୨୪)ରେ ଦର୍ଶାଇଛନ୍ତି। ଏଥିସହ ରାଜ୍ୟରେ ୮୬ ହଜାର ହିତାଧିକାରୀ ଘର ତିଆରି ସାରିଥିବା ଦର୍ଶାଯାଇଥିଲେ ବି ସେମାନଙ୍କୁ ସମ୍ପୂର୍ଣ୍ଣ ଅନୁଦାନ ଏଯାଏ ମିଳିନାହିଁ। କାହିଁକି ଏଭଳି ଅବସ୍ଥା ଉପୁଜିଛି ତା’ର କାରଣ ମଧ୍ୟ ଖୋଜିଛନ୍ତି ସ୍ୱତନ୍ତ୍ର ନିର୍ଦେଶକ। ନିର୍ମାଣ ସାରିଥିବା ହିତାଧିକାରୀଙ୍କ ଘରର ଫଟୋ ତୁରନ୍ତ ‘ଆମଘର ଆପ୍‌’ରେ ଅପଲୋଡ କରିବାକୁ କୁହାଯାଇଛି। ତୁରନ୍ତ ସେମାନଙ୍କୁ ବକେୟା ଅର୍ଥ ପଇଠ କରିବାକୁ କୁହାଯାଇଛି। ଯେଉଁଠି ହିତାଧିକାରୀ ଅଳ୍ପକିଛି କାମ ବାକି ରଖିଛନ୍ତି ସେମାନଙ୍କୁ କାମ ସାରିବାକୁ ପ୍ରୋତ୍ସାହିତ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ ନିର୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ)ଙ୍କ ଏହି ପଦକ୍ଷେପକୁ ତଥ୍ୟଭିଜ୍ଞ ମହଲରେ ପ୍ରଶଂସା କରାଯାଉଛି। ବିଭିନ୍ନ ଜିଲାରେ ଘର ନିର୍ମାଣ ବାବଦରେ ବିଭାଗୀୟ
ୱେବସାଇଟରେ ମିଛ ତଥ୍ୟ ଦର୍ଶାଯାଉଥିବାର ଅଭିଯୋଗ ରହିଛି। ଏପରିକି ଘର ତିଆରି ସରି ନ ଥିଲେ ବି ସରିଛି ବୋଲି ତଥ୍ୟ ଅପଲୋଡ୍‌ କରାଯାଉଥିବା ବୋଲି ନିକଟରେ ଭଦ୍ରକ ଜିଲାର ବିଭାଗୀୟ ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏ ପରିପ୍ରେକ୍ଷୀରେ ରାଜ୍ୟତମାମ ଉପରୋକ୍ତ ୮୬ ହଜାର ଘର ପ୍ରକୃତରେ ନିର୍ମାଣ ସରିଛି ନା ନାହିଁ ତାକୁ ନେଇ ସ୍ୱାଭାବିକ ଭାବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତେବେ ନିର୍ଦେଶକ ଶ୍ରୀ ଡାକୁଆଙ୍କ ବର୍ତ୍ତମାନର ପଦକ୍ଷେପ ଉପୁଜିଥିବା ସତ-ମିଛର ଦ୍ୱନ୍ଦ୍ୱର ଅବସାନ କରାଇବା ସହ ଯୋଜନାକୁ ଗତିଶୀଳ କରାଇବାରେ ସହାୟକ ହେବ ବୋଲି କୁହାଯାଉଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories