ରୂପଯାତ୍ରା ପାଇଁ ଉତ୍ସବମୁଖର ଚୌଦ୍ୱାର

ଚୌଦ୍ୱାର : କୁମାରୋତ୍ସବରୁ ଆରମ୍ଭ ହୋଇଥିବା ଐତିହାସିକ ରୂପଯାତ୍ରା ପାଇଁ ସମଗ୍ର ଚୌଦ୍ୱାର ଉତ୍ସବ ମୁଖର ହୋଇପଡ଼ିଛି । ବିଭିନ୍ନ ସାହି ବସ୍ତିରେ ନିର୍ମିତ ମହାଲକ୍ଷ୍ମୀ, ମହାଦେବ, ହରପାର୍ବତୀ, ରାଧାକୃଷ୍ଣ, ଲକ୍ଷ୍ମୀ ନାରାୟଣ, ଦୂର୍ଗା, ହନୁମାନ ଆଦି ବିଭିନ୍ନ ଦେବଦେବୀଙ୍କ ସୁଦୃଶ୍ୟ ପ୍ରତିମା ଓ ମେଢ଼ ଦର୍ଶନ ପାଇଁ ପ୍ରତିଦିନ ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଚୌଦ୍ୱାର ସହରର ସମସ୍ତ ରାସ୍ତାକୁ ରଂଗୀନ ଆଲୋକମାଳାରେ ସଜ୍ଜିତ କରାଯଇଛି । ବିରାଟ ବଜାର, ଗାନ୍ଧୀଛକ, ବିରୂପା ବ୍ୟାରେଜ ରୋଡ଼, ବ୍ରାହ୍ମଣ ସାହି, ବେଉରା ସାହି ଆଦି ରାସ୍ତାରେ ସୁଦୃଶ୍ୟ ବିଦ୍ୟୁତ୍ ତୋରଣ ମାନ ନିର୍ମିତ ହୋଇଛି । କଳିଙ୍ଗଛକ, ନୂଆସାହି, କପାଳେଶ୍ୱର, ଗାନ୍ଧୀଛକ, ବିରାଟ ବଜାର, ଓଟିଏମ୍ ବଜାର ଆଦି ମେଢ଼ ମଣ୍ଡପରେ ପ୍ରତିଦିନ ସଂଧ୍ୟାରେ ଆୟୋଜିତ ମେଲୋଡ଼ି ଓ ନୃତ୍ୟ ବିଚିତ୍ରା କାର୍ଯ୍ୟକ୍ରମରେ ଅସମ୍ଭାଳ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି । ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ୁଛି । ମେଢ଼ ମଣ୍ଡପ ମାନଙ୍କରେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ପ୍ରସାରିତ ମନ୍ତ୍ରଧ୍ୱନୀରେ ସମଗ୍ର ଚୌଦ୍ୱାର ପ୍ରକମ୍ପିତ ହୋଇ ପଡ଼ୁଛି ।

ତିନି କୋଣିଆସ୍ଥିତ ରୂପଯାତ୍ରା ପଡ଼ିଆରେ ମଙ୍ଗଳବାରଦିନ ଦେବଦେବୀଙ୍କ ମେଲଣ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଆସି ରୂପଯାତ୍ରା ପଡ଼ିଆରେ ଖୋଲିଥିବା ଦୋକାନ ଗୁଡ଼ିକରେ ଏବେଠାରୁ ଭିଡ଼ ଜମିଲାଣି । ମଙ୍ଗଳବାର ରାତି ୧୦ଟା ସୁଦ୍ଧା ମୋଟ ୪୩ଟି ମେଢ଼ ନିଜ ନିଜ ମଣ୍ଡପରୁ ବାହାରି ବର୍ଣ୍ଣଢ଼୍ୟ ଶୋଭାଯାତ୍ରାରେ ଯାଇ ରୂପଯାତ୍ରା ପଡ଼ିଆରେ ମେଲଣ କରିବା ସହିତ ବୁଧବାର ସକାଳରୁ କ୍ରମାନ୍ୱୟରେ ଶେଭାଯାତ୍ରାରେ ଯାଇ ବିରୂପା ନଦୀ କୁଳରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବା ସ୍ଥିର ହୋଇଛି । ଯାତ୍ରାକୁ ଶୃଂଖଳାର ସହ ପରିଚାଳନା କରିବା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ ପୁଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Comments are closed.