ଜାତୀୟ ଓ ଆନ୍ତର୍ଜାତିକ ହକି ତାରକାଙ୍କ ଶିକ୍ଷାଭୂମି ବିର୍ସାମୁଣ୍ଡା ବିଦ୍ୟାପୀଠ
ରାଉରକେଲା: ୮୦ଦଶକର ପ୍ରାରମ୍ଭରେ ଅର୍ଥାତ ୧୯୮୩ ମସିହାରେ ଆଦିବାସୀ ବହୁଳ ଅଞ୍ଚଳ ପ୍ରଧାନପାଲୀ, ବନପୋଷ, ବାଙ୍କିଆ ଆଦି ଅଞ୍ଚଳର ଛାତ୍ରଛାତ୍ରୀ ଶିକ୍ଷା ପାଇଁ ଟିସ୍କୋ କ୍ୱାରୀ ସାଇଡିଂରେ ଆରମ୍ଭ ହୋଇଥିଲା ବିର୍ସାମୁଣ୍ଡା ବିଦ୍ୟାପୀଠ। ଘରୋଇ ପରିଚାଳନା ବ୍ୟବସ୍ଥାରେ ଏହି ଶିକ୍ଷାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ଉପରୋକ୍ତ ଅଞ୍ଚଳ ସମେତ ଏହାକୁ ଲାଗିଥିବା ଅନ୍ୟ ଅଞ୍ଚଳର ଶିକ୍ଷାର୍ଥୀମାନେ ଏଠାକୁ ପାଠ ପଢିବା ପାଇଁ ଆସିଲେ। ସେତେବେଳେ ଘରୋଇ ପରିଚାଳନାରେ ଏହି ବିଦ୍ୟାଳୟ ପରିଚାଳନା କରିବା କଷ୍ଟକର ହୋଇ ପଡ଼ୁଥିଲା। ଏପରିକି ଶିକ୍ଷକଙ୍କୁ ଖୁବ୍ ପାରିଶ୍ରମିକ ପ୍ରଦାନ ପାଇଁ ଚୁକ୍ତି ହୋଇଥିଲେ ମଧ୍ୟ ପରିଚାଳନା ସମିତି ଏହାକୁ ଦେବାକୁ ଅସମର୍ଥ ହେଉଥିଲା। ସୌଭାଗ୍ୟକ୍ରମେ ୧୯୮୭ରେ ରାଉରକେଲା ପୌରପାଳିକା ଏହି ବିଦ୍ୟାଳୟକୁ ହାତକୁ ନେଲା। ପ୍ରଥମେ ଟିସ୍କୋ କ୍ୱାରୀ ସାଇଡିଂରେ ଏକ ଟିଣ ଘରେ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟର ସ୍ୱରୁପ କ୍ରମଶଃ ପରିବର୍ତନ ହୋଇଥିଲା। ସରକାର ଏହାକୁ ୨୦୦୨ରେ ହାତକୁ ନେବା ପରେ ୨୦୦୪ରେ ଏହା କାର୍ଯ୍ୟକାରୀ ହେଲା। ଫଳରେ ବିଦ୍ୟାଳୟର ଭିତିଭୂମିର ବ୍ୟାପକ ବିକାଶ ହୋଇଥିଲା। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାର ଏହି ବିଦ୍ୟାଳୟ ୧୯୯୧ ମସିହାରେ ସମଗ୍ର ଦେଶର କ୍ରୀଡ଼ା ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କଲା। ମର୍ଯ୍ୟାଦା ସମ୍ପନ୍ନ ଜାତୀୟ ନେହେରୁକପ୍ ବିଦ୍ୟାଳୟ ହକିରେ ଏହି ଶିକ୍ଷାନୁଷ୍ଠାନ ଚମ୍ପିଆନ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଲା। ବିଦ୍ୟାଳୟର ଏହି ସଫଳତାକୁ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁ ଭୂରିଭୂରି ପ୍ରଶଂସା କଲେ। କ୍ରୀଡ଼ାକୁ ଭଲ ପାଉଥିବା ଏବଂ ଗୋଟିଏ ପରେ ଗୋଟିଏ ସଫଳତା ପାଉଥିବା ଏହି ବିଦ୍ୟାଳୟର କୀର୍ତିକୁ ଦେଖି ବିଜୁବାବୁ ଏହି ବିଦ୍ୟାଳୟକୁ ରାଜ୍ୟର କ୍ରୀଡ଼ା ଉଚ୍ଚବିଦ୍ୟାଳୟ ଭାବେ ପରିଣତ କରାଯିବ ବୋଲି କହିଥିଲେ। କିନ୍ତୁ ପରବର୍ତୀ ଅବସ୍ଥାରେ ଏହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟଯେ ଏହି ବିଦ୍ୟାଳୟଠାରୁ ମାତ୍ର କିଛି ଦୂରରେ ୧୯୮୫ମସିହାରେ ଆରମ୍ଭ ହୋଇଥିଲା ପାନପୋଷ ସ୍ପୋର୍ଟସ ହଷ୍ଟେଲ।ଏହି ହଷ୍ଟେଲର ଅନ୍ତେବାସୀ ଖେଳାଳୀ ପୂର୍ବରୁ ପାନପୋଷ ଉଚ୍ଚବିଦ୍ୟାଳୟରେ ପଢୁଥିଲେ। ପରେ ଏହି ଅନ୍ତେବାସୀ ଖେଳାଳିଙ୍କ ଶିକ୍ଷାଭୁମି ପାଲଟିଥିଲା ଏହି ବିଦ୍ୟାପୀଠ। ପ୍ରାରମ୍ଭିକ ଅବସ୍ଥାରେ ଅନ୍ତେବାସୀଙ୍କ ସଂଖ୍ୟା କମ୍ ଥିବା ବେଳେ ପରବର୍ତୀ ଅବସ୍ଥାରେ ଅନ୍ତେବାସୀଙ୍କ ସଂଖ୍ୟା ବଢିବାରେ ଲାଗିଲା। ଆଜିବି ପାନପୋଷ ସ୍ପୋର୍ଟସ ହଷ୍ଟେଲ ଖେଳାଳି ଏହି ଠାରେ ଶିକ୍ଷାଲାଭ କରୁଛନ୍ତି। ସ୍ପୋର୍ଟସ ହଷ୍ଟେଲର ଦକ୍ଷ ପ୍ରଶିକ୍ଷକଙ୍କ କୋଚିଂ, ବିଦ୍ୟାଳୟର ପାଠପଢା ସହିତ କ୍ରୀଡ଼ା ପାଇଁ ଅଭ୍ୟାସ ଶିକ୍ଷାର୍ଥୀଙ୍କ ପାଇଁ ଉତ୍ସାହ ଓ ପ୍ରେରଣାର ସ୍ରୋତ ପାଲଟିଥିଲା। ୧୯୯୧ର ନେହେରୁ କପ ହକିର ବିଜୟ ଠାରୁ ଆରମ୍ଭ କରି ପରବର୍ତୀ ପର୍ଯ୍ୟାୟରେ ରାଜ୍ୟ ଓ ଜାତୀୟ ସ୍ତରରେ ଗୋଟିଏ ପରେ ସଫଳତା ହାସଲ କରି ଏହି ବିଦ୍ୟାଳୟ ଜାତୀୟ କ୍ରୀଡ଼ା ପୃଷ୍ଠାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପରବର୍ତୀ ଅବସ୍ଥାରେ ବିଦ୍ୟାଳୟର ଏହି ହକି ପ୍ରତିଭା ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସଫଳତା ହାସଲ କରି ବିଦ୍ୟାଳୟକୁ ଗୌରାବାନ୍ୱିତ କରିଛନ୍ତି। ଅଲମ୍ପିଆନ ହେବାର ଗୌରବ, ପଦ୍ମଶ୍ରୀ, ଅର୍ଜୁନ ପୁରସ୍କାର ହାସଲ କରିବା ଏବଂ ଭାରତୀୟ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିବା ଏହି ଖେଳାଳି ଏବେ ବର୍ତମାନର ପିଢୀ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଇଗନେଶ ତିର୍କୀ, ଭାରତୀୟ ମହିଳା ଦଳର ଅଧିନାୟିକା ଥିବା ଜ୍ୟୋତି ସୁନିତା କୁଲୁ, ଅଲମ୍ପିଆନ ଲାଜରୁସ ବାର୍ଲା, ଉଇଲିୟମ ଖାଲକୋ, ଆଶୀଷ କୁମାର ଟପ୍ପୋ, ୨୦୧୮ ୟୁଥ ଅଲମ୍ପିକରେ ଭାଗ ନେଇଥିବା ସୁଦୀପ ଚିର୍ମାକୋ, ବିପିନ କିଶୋର କେରକେଟା, ସୁନିତା କିସପଟ୍ଟା, ପୁନମ ବାର୍ଲା, ଦୀପଶାନ ତିର୍କୀ, ରୋଶନ ମିଂଜ, ସରିତା ଲାକ୍ରା, ଟେରେସା କୁଜୁର, ସବିତା ଏକ୍କା, ବିନିତା କିଣ୍ଡୋ, ଅମରଦୀପ ଏକ୍କା, ପାଓଲିନା ସୁରିନ, ରୋଜାଲିନ ଡୁଙ୍ଗଡୁଙ୍ଗ, ଜୀବନ କିଶୋରୀ ଟପ୍ପୋ, ଆଗ୍ନେସିଆ ଲୁଗୁନ, ଭୀନସେଂଟ କୁଲୁଙ୍କ ଭଳି ଆନ୍ତର୍ଜାତିକ ଖେଳାଳି ବିଦ୍ୟାଳୟର ଗୌରବର ସାକ୍ଷୀ ପାଲଟିଛନ୍ତି। ଏହି ଖେଳାଳୀଙ୍କ ସଫଳତା ଓ ବିଦ୍ୟାଳୟ ହଲରେ ଶୋଭାପାଉଥିବା ଫଟୋ ଓ ତଥ୍ୟ ଆଗାମୀଦିନରେ ଦେଶ ପାଇଁ ଗୌରବ ଆଣିବାକୁ ସ୍ୱପ୍ନ ଦେଖୁଥିବା ଶିକ୍ଷାର୍ଥୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
Comments are closed.