ବସ୍ତି ଖୋଜୁଛି ବିକାଶ ଚିତ୍ର

ରାଉରକେଲା: ମୁଣ୍ଡ ଉପରେ ନିର୍ବାଚନ। ଏଥିପାଇଁ ରାଜନୈତିକ ଏବଂ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚାଲିଛି। ଏଭଳି ସମୟରେ ଭୋଟ ଦେଇ ମୌଳିକ ସୁବିଧା ପାଉ ନ ଥିବା ସୁନ୍ଦରଗଡ଼ ଜିଲା ସ୍ମାର୍ଟସିଟି ରାଉରକେଲାର କିଛି ବସ୍ତି ବାସିନ୍ଦା ସେମାନେ କାହାର ବୋଲି ପ୍ରଶ୍ନ କରିଛନ୍ତି। ଦଶନ୍ଧି ଦଶନ୍ଧି ଧରି ଆମକୁ ଫୁସୁଲାଇ, ପ୍ରତିଶ୍ରୁତିର ପାହାଡ଼ ଚଢ଼ାଇ ଭୋଟ ନେଉଥିଲେ ହେଁ ଆମକୁ ନା ବ୍ଲକ ପ୍ରଶାସନ ନା ମହାନଗର ନିଗମ କେହି ହେଲେ ଗ୍ରହଣ କରୁନାହାନ୍ତି।

ଫଳରେ ଆମେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିଛୁ।  ଦୁଃଖର କଥା ଆମ କଥା ଆରଏସ୍‌ପି ଶୁଣୁନି, ବ୍ଲକ ଚାହୁଁନି, ମହାନଗରନିଗମ ପାଖରେ କାନ୍ଦି କାନ୍ଦି ମଧ୍ୟ ଆମକୁ ନିଜ ଅଧୀନରେ ସାମିଲ୍‌ କରୁନି। ଆମେ ପଞ୍ଚାୟତର ନା ମହାନଗର ନିଗମ ଅଞ୍ଚଳର ବୋଲି ପ୍ରଶ୍ନ କରି ପ୍ରଶାସନ ଓ ରାଜନେତାଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି।
ସ୍ମାର୍ଟସିଟି ରାଉରକେଲାରେ ଦୀର୍ଘବର୍ଷ ହେଲା ଏପରି କିଛି ବସ୍ତି ଅଛି ଯେଉଁଠି ସାମାନ୍ୟ ସରକାରୀ ସୁବିଧା ପହଞ୍ଚିପାରିନାହିଁ। ପ୍ରାୟ ସମସ୍ତଙ୍କୁ ଭତ୍ତା, ରେସନ ମିଳୁଛି, କିନ୍ତୁ ପାଣି, ବିଜୁଳି, ସଡ଼କ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଅଧିକାଂଶ ବସ୍ତି ବାସିନ୍ଦା। ବିକାଶର ବାର୍ତ୍ତା ବହନ କରୁଥିବା ରାଉରକେଲା ଷ୍ଟିଲ୍‌ପ୍ଲାଣ୍ଟ ପାଚେରିକୁ ଲାଗି ରହିଥିବା କିଛି ବସ୍ତିବାସୀଙ୍କ ପାଇଁ ବିଜୁଳି ସ୍ବପ୍ନ ପାଲଟିଛି। ସଡ଼କ ଅଭାବରୁ ଅପହଞ୍ଚ ଇଲାକା ଭଳି ବିଲ ହୁଡ଼ାରେ ଯିବା ଆସିବା କରିବା, ପାଣି ଅଭାବରୁ କେଉଁଠି କୂଅ ପାଣି ତ କେଉଁଠି ଦୂଷିତ ପାଣି ପିଇବା ଆଦି ଅଭିଯୋଗ ବାରମ୍ବାର ଶୁଣିବାକୁ ମିଳୁଛି।
ଏକନମ୍ବର ବୁଥ୍‌ ଲୁଆକେରା ସମେତ ହମିରପୁର ବସ୍ତିରେ ୩୯,୪୦,୪୧,୪୨ନମ୍ବର ବୁଥ୍‌ ରହିଛି। ତିଲ୍‌କାନଗର ଶୀତଳପଡ଼ା ବସ୍ତିର ବୁଥ ସଂଖ୍ୟା ୧୦୫। ଶିବଶଙ୍କରନଗର କୋଇଲା ଗେଟ୍‌କୁ ୧୦୭ ନମ୍ବର ବୁଥ, ବାରକାନି ଉତ୍ତର ବସ୍ତିକୁ ୧୦୮ନମ୍ବର ବୁଥ୍‌ ଭାବେ ଚିହ୍ନଟ କରାଯାଇଛି। ସେହିପରି ଚମ୍ପାଗଡ଼ ତିଲକାନଗରରେ ୧୦୯ରୁ ୧୧୧ ତିନୋଟି ବୁଥ୍‌ ରହିଛି। ଫୁଲୱାରି ବସ୍ତିକୁ ୧୧୨ ନମ୍ବର ବୁଥ ଭାବେ ଚିହ୍ନଟ କରାଯାଇଥିବାବେଳେ ଶୀତଲନଗରରେ ୧୧୩ନମ୍ବର ବୁଥ, ଗାଡ଼ିଆଟୋଲିରେ ୧୧୫, ତାରାପୁରରେ ୧୧୬,୧୧୭, କନ୍‌ଷ୍ଟ୍ରକସନ କଲୋନୀ ଏ ବ୍ଲକ-୧୧୮, ଆରଏଚ କଲୋନୀ କଇଁଥବସାକୁ ୧୧୯ନମ୍ବର ବୁଥ୍ ଭାବେ ଚିହ୍ନଟ କରାଯାଇଛି। କାଲ୍‌ଟାବସା, ଲେଙ୍ଗଡ଼ାବସା କନ୍‌ଷ୍ଟ୍ରକସନ କଲୋନୀ ବି,ସି ବ୍ଲକ-୧୨୦, ମଡର୍ଣ୍ଣ ଇଣ୍ଡିଆ-୧୨୯,୧୩୧, ବ୍ରିଟାନିଆ କଲୋନୀ ଲୋକନାଥ ମାର୍କେଟ-୧୩୦, ଆନନ୍ଦବଜାର ନାରାୟଣ ମାର୍କେଟ-୧୩୪ନମ୍ବର ବୁଥ୍‌ ଭାବେ ଚିହ୍ନଟ ହୋଇଛି। ଟାଙ୍ଗରପାଲ୍ଲି-୧୩୮ନମ୍ବର ବୁଥ, ଝାରମୁଣ୍ଡା,ମାଟିଆଡେରା, ମୁଣ୍ଡା, ଝାରମୁଣ୍ଡା, ଓରାମଟୋଲି, କିରେଇଟୋଲି, ରାଉଟିଆ ବସ୍ତିରେ ୧୩୯,୧୪୧, ଚିରୁଗୁଡ଼ାକୁ ୧୪୦ନମ୍ବର ବୁଥ ଚିହ୍ନଟ କରାଯାଇଛି। ଏହିସବୁ ବୁଥ୍‌ରେ ହଜାର ହଜାର ମତଦାତା ମତସାବ୍ୟସ୍ତ କରି ଲୋକପ୍ରତିନିଧି ବାଛୁଥିଲେ ହେଁ ସରକାରୀ ସୁବିଧାରୁ ବଞ୍ଚିତ। ଆମେ ଏଥିପାଇଁ ବୁଥ୍‌ ସଂଖ୍ୟା ଉଲ୍ଲେଖ କରୁଛୁ ସୁରୁଖୁରୁରେ ବସ୍ତି ବାସିନ୍ଦାଙ୍କ ଭୋଟ ଆଣିବା ପାଇଁ ବଡ଼ ସୁନ୍ଦର ବ୍ୟବସ୍ଥା କରାଯାଇଥିଲେ ହେଁ ସେମାନଙ୍କ ସୁବିଧା ପ୍ରତି ସମସ୍ତେ ଯେପରି ଆଖି ବୁଜି ଦେଇଛନ୍ତି।

ଭୋଟ ବେଳେ ଅନେକ ପ୍ରତିଶ୍ରୁତି ମିଳେ। ଭୋଟ ପରେ କିନ୍ତୁ ସମସ୍ତେ ଭୁଲିଯାଆନ୍ତି। ଲୋକପ୍ରତିନିଧିଙ୍କ ଦୃଢ଼ ଦାବି ଅଭାବରୁ ଆଜି ବି ଦୁର୍ବିସହ ଜୀବନ ବିତାଉଛନ୍ତି ହଜାର ହଜାର ବସ୍ତି ବାସିନ୍ଦା। ସେପଟେ ଚାପ ଅଭାବରୁ ପ୍ରଶାସନ ଆଦୌ କର୍ଣ୍ଣପାତ କରୁନାହିଁ। ଆରଏସ୍‌ପି ପାର୍ଶ୍ବକୁ ଲାଗିଥିବା ଝାରମୁଣ୍ଡା, ବିଜୁବନ୍ଧ, କାଟେ ଭଳି ବସ୍ତିରେ ସ୍ବାଧୀନତାର ୭ଦଶନ୍ଧି ପରେ ମଧ୍ୟ ବିଜୁଳି ଜଳିପାରିନାହିଁ। ଅନେକ ବସ୍ତିରେ ପାଣି ସୁବିଧା ନାହିଁ। କେତେକ ସ୍ଥାନକୁ ସଡ଼କ ସୁବିଧା ମଧ୍ୟ ନ ଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଅନ୍ତତଃ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏମାନଙ୍କୁ ବ୍ଲକ କିମ୍ବା ରାଉରକେଲା ମହାନଗର ନିଗମରେ ସାମିଲ୍‌ କରାଯାଇପାରିଲେ ସରକାରୀ ଯୋଜନା ପହଞ୍ଚିପାରନ୍ତା ଓ ବସ୍ତିରେ ବିକାଶର ଆଲୁଅ ଜଳିପାରନ୍ତା ବୋଲି ମତପ୍ରକାଶ ପାଉଛି। ଏ ନେଇ ପାନପୋଷ ଉପଜିଲାପାଳଙ୍କ ସହ ଯୋଗାଯୋଗ କରିବାରୁ ମହାନଗର ନିଗମ କର୍ତ୍ତୃପକ୍ଷ କହିପାରିବେ ବୋଲି ପ୍ରକାଶ କରିଥିଲେ। ତେବେ ଏ ନେଇ ମହାନଗରନିଗମ ଡେପୁଟି କମିଶନରଙ୍କୁ ଫୋନ କରାଯାଇଥିଲେ ହେଁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.