ନୂଆଦିଲ୍ଲୀ : ଟ୍ବେଣ୍ଟି-୨୦ ପରେ ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କୁ ଭାରତୀୟ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ବିରାଟ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ଦିନିକିଆ ଦଳର ନେତୃତ୍ବ ଭାର ଅର୍ପଣ କରାଯାଇଛି । ୨୦୨୩ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପ ପର୍ଯ୍ୟନ୍ତ ରୋହିତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ସୀମିତ ଓଭର କ୍ରିକେଟରେ ରୋହିତଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ୍ରେ ପ୍ରଥମଥର ପୂର୍ଣ୍ଣକାଳୀନ ଅଧିନାୟକ କରା ଯାଇଥିଲା। ରୋହିତଙ୍କ ନେତୃତ୍ବରେ ଭାରତ ଉକ୍ତ ସିରିଜ୍କୁ ୩-୦ରେ ବିଜୟୀ ହୋଇଥିଲା । ଅନ୍ୟପକ୍ଷରେ ୨୬ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଲାଗି ବୁଧବାର ବିସିସିଆଇ ପକ୍ଷରୁ ୧୮ଜଣିଆ ଦଳ ଘୋଷଣା କରାଯାଇଛି। ଖରାପ ଫର୍ମ ପାଇଁ ଟେଷ୍ଟ ଦଳରେ ଉପଅଧିନାୟକ ଥିବା ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି । କୋହଲି ନ ଥିବା ବେଳେ ରାହାଣେଙ୍କ ନେତୃତ୍ବରେ ଭାରତ ଚଳିତବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ୍ ବିଜୟୀ ହୋଇଥିଲା। ମେଲବୋର୍ଣ୍ଣ ଟେଷ୍ଟରେ ରାହାଣେ ଶତକ ଅର୍ଜନ କରିବା ସହିତ ଦଳ ବିଜୟୀ ହୋଇଥିଲା। ଶେଷ ୧୬ଟି ଟେଷ୍ଟ ମ୍ୟାଚରେ ରାହାଣେ ୨୪.୩୯ ହାରରେ ରନ୍ କରିଛନ୍ତି।
କୋହଲିଙ୍କ ଧଳାବଲ ନେତୃତ୍ବ ଯୁଗ ଶେଷ
ନୂଆଦିଲ୍ଲୀ : ୟୁଏଇରେ ଆୟୋଜିତ ଟ୍ବେଣ୍ଟି୨୦ ବିଶ୍ବକପ ପରେ ଟ୍ବେଣ୍ଟି୨୦ କ୍ରିକେଟରୁ ସ୍ବେଚ୍ଛାକୃତ ଭାବେ ବିରାଟ କୋହଲି ଅଧିନାୟକ ପଦ ଛାଡିଥିଲେ। ଏବେ ବିସିସିଆଇ ଦିନିକିଆ କ୍ରିକେଟ ଅଧିନାୟକ ପଦରୁ ମଧ୍ୟ କୋହଲିଙ୍କୁ ହଟାଇ ଦେଇଛି। ଏଥିସହିତ ବିନା ଆଇସିସି ଟ୍ରଫିରେ ଧଳାବଲ କ୍ରିକେଟରୁ କୋହଲିଙ୍କ ନେତୃତ୍ବ ଯୁବ େଶଷ ହୋଇଛି।
୨୦୧୭ ଜାନୁଆରୀରେ କୋହଲି ଭାରତର ପୂର୍ଣ୍ଣକାଳୀନ ଅଧିନାୟକ ନିଯୁକ୍ତ ହୋଇଥିଲେ। କୋହଲିଙ୍କ ନେତୃତ୍ବେର ଭାରତ ଦିନିକିଆ, ଟେଷ୍ଟ ଓ ଟ୍ବେଣ୍ଟି୨୦ରେ ସଫଳତା ହାସଲ କରିଥିଲେ ମଧ୍ୟ କୌଣସି ଆଇସିସି ପ୍ରତିଯୋଗିତା ଜିତିବାରେ ସଫଳ ହୋଇନଥିଲା। କୋହଲିଙ୍କ ନେତୃତ୍ବରେ ଭାରତ ୨୦୧୭ ଆଇସିସି ଚମ୍ପିଆନ୍ସ ଟ୍ରଫି ରନର୍ସଅପ ହୋଇଥିବା ବେଳେ ୨୦୧୯ ଦିନିକିଆ ବିଶ୍ବକପର ସେମିଫାଇନାଲରୁ ବିଦାୟ ନେଇଥିଲା। ୨୦୨୧ ଟ୍ବେଣ୍ଟି୨୦ ବିଶ୍ବକପରେ କୋହଲିଙ୍କ ନେତୃତ୍ବରେ ଭାରତ ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡିଥିଲା। କୋହଲିଙ୍କ ନେତୃତ୍ବରେ ଟ୍ବେଣ୍ଟି୨୦ ଓ ଦିନିକିଆରେ ଭାରତ ଆଇସିସି ଟ୍ରଫି ଜିତି ପାରିନଥିଲା।



