nua o banner

ଟେଷ୍ଟ ଓପନର୍‌ ଭା​‌ବେ ରୋହିତଙ୍କ ପ୍ରଦର୍ଶନ ଉପରେ ନଜର

BJD Bijuli 480×75 Mob
0

ମୁମ୍ବଇ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳ ତରଫରୁ ବ୍ୟାଟିଂ ଓପନ୍‌ କରିବେ ରୋହିତ ଶର୍ମା। ଟେଷ୍ଟ ଓପନର୍‌ ଭାବେ ରୋହିତ କେତେ ସଫଳ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଦିନିକିଆ ଓ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ଦଳ ତରଫରୁ ବ୍ୟାଟିଂ ଓପନ୍‌ କରୁଥିବା ରୋହିତ ଆଶାତୀତ ସଫଳତା ହାସଲ କରିଛନ୍ତି। ୩୨ ବର୍ଷୀୟ ରୋହିତ ଦିନିକିଆରେ ୩ଟି ଦ୍ବିଶତକ ହାସଲ କରିଥିବା ବେଳେ ଟ୍ବେଣ୍ଟି୨୦ରେ ୪ଟି ଶତକ ହାସଲ କରିଛନ୍ତି। ତେଣୁ ଟେଷ୍ଟ ଓପନର୍‌ ଭାବେ ସେ ସଫଳତା ହାସଲ କରିବେ ବୋଲି ମୁଖ୍ୟ ମନୋନୟନକାରୀ ଏମ୍‌ଏସକେ ପ୍ରସାଦ, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ପ୍ରମୁଖ ଆଶାବ୍ୟକ୍ତ କରିଛନ୍ତି। ଟେଷ୍ଟରେ ରୋହିତ ଶର୍ମା ମଧ୍ୟଭାଗରେ ବ୍ୟାଟିଂ କରନ୍ତି। ତେବେ ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ଭାବେ ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ବେଶ୍‌ ସଫଳତା ପାଇ ଆସୁଥିବାରୁ ରୋହିତଙ୍କୁ ଏହି ସ୍ଥାନରେ ସୁଯୋଗ ମିଳିବା ଆଶା କମ୍‌। ଅନ୍ୟପକ୍ଷରେ ଟେଷ୍ଟ ଓପନର୍‌ ଭାବେ ରୋହିତ ସଫଳତା ହାସଲ କରିବା ନେଇ ସନ୍ଦେହବ୍ୟକ୍ତ କରିଛନ୍ତି ପୂର୍ବତନ ୱିକେଟରକ୍ଷକ ନୟନ ମୋଙ୍ଗିଆ। ନିଜ ପ୍ରତିକ୍ରିୟାରେ ମୋଙ୍ଗିଆ କହିଛନ୍ତି ଦିନିକିଆ​‌​‌ରେ ଓପନର୍‌ ଭାବେ ରୋହିତ ବେଶ୍‌ ସଫଳତା ହାସଲ କରିଛନ୍ତି। ତେବେ ଟେଷ୍ଟ ଫର୍ମାଟ୍‌ରେ ଓପନର୍‌ ଭାବେ ଦାୟିତ୍ବ ନିର୍ବାହ କରିବାକୁ ହେଲେ ତାଙ୍କୁ ନିଜ ମାନସିକତାରେ ପରବର୍ତ୍ତନ ଆଣିବାକୁ ପଡ଼ିବ। ଏଥିସହ ତାଙ୍କୁ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ରୋହିତ ଟେଷ୍ଟ ଓପନର୍‌ ଭାବେ କିପରି ନିଜକୁ ଉପଯୋଗୀ ସାବ୍ୟସ୍ତ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ଘରୋଇ କ୍ରିକେଟ୍‌ରେ ଓପନର୍‌ ଭାବେ ଅଭିମନ୍ୟୁ ଈଶ୍ବରନ୍‌ ୫୨ଟି ମ୍ୟାଚ୍‌ରୁ ୪୦୬୭ ଓ ପ୍ରିୟଙ୍କ ପାଞ୍ଚାଲ୍‌ ୮୭ଟି ମ୍ୟାଚ୍‌ରୁ ୬୧୮୬ ରନ୍‌ ସଂଗ୍ରହ କରିଥିବାରୁ ଟେଷ୍ଟ ମ୍ୟାଚ୍‌ରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କାହାରିକୁ ଓପନର୍‌ ଭାବେ ସୁଯୋଗ ମିଳିବା ଉଚିତ୍‌ ଥିଲା ବୋଲି ମୋଙ୍ଗିଆ କହିଛନ୍ତି।
ରୋହିତ ବର୍ତ୍ତମାନ ସୁଦ୍ଧା ୨୭ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୫୮୫ ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୩ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ରୋହିତଙ୍କ ନିକଟରେ ପ୍ରତିଭାର ଅଭାବ ନ ଥିବା ବେଳେ ସେ ଟେଷ୍ଟ ଫର୍ମାଟ୍‌ରେ ଓପନର୍‌ ଭାବେ ସଫଳ ହେବାକୁ ନିଜ ମନୋଭାବ ଓ ବ୍ୟାଟିଂ ଶୈଳୀରେ କି ପ୍ରକାର ପରିବର୍ତ୍ତନ ଆଣୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।

Leave A Reply