ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାଜସ୍ୱ ପରିଚାଳନା ଓ ଜମିଜମା ସଂକ୍ରାନ୍ତ ବ୍ୟବସ୍ଥାର ତଦାରଖ ପାଇଁ ତହସିଲ କାର୍ଯ୍ୟାଳୟ ସହିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରହିଛି। କିନ୍ତୁ ତାହା ଏବେ ଜରାଜୀର୍ଣ୍ଣ ତଥା ବିପଦସଙ୍କୁଳ ଅବସ୍ଥାରେ ରହିଛି।
ଲାଞ୍ଜିଗଡ ତହସିଲରେ ବିଶ୍ୱନାଥପୁର, ଲାଞ୍ଜିଗଡ, ବିଜେପୁର, ମୂଷାନାଳ, ଭଟାଙ୍ଗପଦର, ଲାଞ୍ଜିଗଡ ରୋଡ଼, କମର୍ଦ୍ଧା, ନଙ୍ଗଳବେଡ଼ା ଓ ବନ୍ଧପାରିଠାରେ ରହିଛି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ। ବ୍ଲକର ୨୬ଟି ପଞ୍ଚାୟତର ୪୭୩ ଗୋଟି ରାଜସ୍ୱ ଗାଁ ଓ ପଡ଼ା ଗାଁ ପାଇଁ ଏସବୁ କାର୍ଯ୍ୟାଳୟ ରାଜସ୍ୱ ଓ ଅନ୍ୟାନ୍ୟ ସେବା ଯୋଗାଇ ଦେଇଥାଆନ୍ତି। ଏଠାରେ ସମସ୍ତ ଜମିଜମା ରେକର୍ଡ ସଂରକ୍ଷିତ ହୋଇ ରହିଛି। ସେହିପରି କାର୍ଯ୍ୟାଳୟ ଦାୟିତ୍ୱରେ ରାଜସ୍ୱ ନିରୀକ୍ଷକ ନିଯୁକ୍ତ ରହିବା କଥା। କିନ୍ତୁ ଲାଞ୍ଜିଗଡ଼ ତହସିଲର କମର୍ଦ୍ଧା ଓ ବିଜେପୁର କାର୍ଯ୍ୟାଳୟ ଏବେ ଅତିରିକ୍ତ ରାଜସ୍ବ ନିରୀକ୍ଷକଙ୍କ ଭରସାରେ ଚାଲିଛି। ଅପରପକ୍ଷରେ, ଲାଞ୍ଜିଗଡ ତହସିଲ ଅନ୍ତର୍ଗତ ମୂଷାନାଳ ଓ ଭଟାଙ୍ଗପଦରକୁ ଛାଡିଦେଲେ ଲାଞ୍ଜିଗଡ ରୋଡ଼, ବିଶ୍ୱନାଥପୁର, ଲାଞ୍ଜିଗଡ଼, ନଙ୍ଗଳବେଡା, ବିଜେପୁର ଆଦି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇପଡିଛି। କାର୍ଯ୍ୟାଳୟଗୁଡିକ ଭଙ୍ଗାଦଦରା ହୋଇପଡ଼ିଥିବାବେଳେ ଛାତରୁ ପାଣି ଝରୁଛି। ତହସିଲ ଅନ୍ତର୍ଗତ ସାତଟି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡିଥିବାବେଳେ ଏସବୁର ନିର୍ମାଣ ଓ ମରାମତି ପାଇଁ ନା ଜିଲ୍ଲା ପ୍ରଶାସନ ନା ରାଜସ୍ୱ ବିଭାଗ କେହି ବି ଦୃଷ୍ଟିପାତ କରୁନାହାନ୍ତି। ଦୀର୍ଘ ବର୍ଷ ହେଲା ଏପରି ପରିସ୍ଥିତିରେ ଜମିଜମା ରେକର୍ଡ ଓ କାଗଜପତ୍ର ବିପଦ ସଂକୁଳ ଅବସ୍ଥାରେ ରହିଛି। ଏଣୁ ରାଜସ୍ୱ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଭଙ୍ଗାଦଦରା ହୋଇ ପଡ଼ିଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହର ନିର୍ମାଣ ଓ ମରାମତି ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।



