www.samajalive.in
Saturday, December 6, 2025
19.1 C
Bhubaneswar

ମୋଟରଯାନ ସଂଶୋଧନ ଆଇନ ପାଳନ କୋହଳ ସମୟ ଶେଷ : ଆଜିଠାରୁ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ବର : ଛଅ ମାସର କୋହଳ ସମୟ ଶେଷ ହେବା ପରେ ଆଜି(ରବିବାର)ଠାରୁ ସଂଶୋଧିତ ମୋଟରଯାନ ଆଇନ ଅନୁସାରେ ଯାଞ୍ଚ କଡ଼ାକଡ଼ି ହେବ। ଆଉ କୋହଳ କରାଯିବ ନାହିଁ ବୋଲି ପରିବହନ ବିଭାଗ ସ୍ପଷ୍ଟ କରି ଦେଇଛି। ତେବେ ଏଥର ଡ୍ରାଇଭିଂ ଲାଇସେନ୍ସ ଆଉ ଗାଡ଼ିର କାଗଜପତ୍ର ଯାଞ୍ଚକୁ ଅଧିକ ଗୁରୁତ୍ବ ଦିଆଯିବ ନାହିଁ; ବରଂ ବେପରୁଆ ଗାଡ଼ି ଚାଳକଙ୍କୁ ଧରିବା ପାଇଁ କୁହାଯାଇଛି। ମଦ୍ୟପ ଗାଡ଼ି ଚାଳକ ହୁଅନ୍ତୁ ଅବା ବିପଦପୂର୍ଣ୍ଣ ଗାଡ଼ି ଚାଳନା କରୁଥିବା ଲୋକଙ୍କୁ ଧରି ମୋଟା ଅଙ୍କର ଜୋରିମାନା ଆଦାୟ କରିବେ ଉଭୟ ଆର୍‌ଟିଓ ଏବଂ ପୁଲିସ। ପରିବହନ କମିସନର ଆଜି ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ପତ୍ର ଲେଖି ଆଜି ଠାରୁ ଯାଞ୍ଚ କଡ଼ାକଡ଼ି କରିବା ପାଇଁ କହିଛନ୍ତି।
ପରିବହନ କମିସନର ସଞ୍ଜୀବ ପଣ୍ଡା ଜିଲା ପ୍ରଶାସନକୁ କହିଛନ୍ତି ଯେ ଗାଡ଼ିର କାଗଜପତ୍ର କରାଇ ନେବା ପାଇଁ ସରକାର ଲୋକଙ୍କୁ ୬ ମାସ ମହଲତ ଦେଇଥିଲେ ଯାହା ଶନିବାର ଦିନ ଶେଷ ହୋଇଛି। ଏପରିସ୍ଥଳେ ମାର୍ଚ୍ଚ ୧ ତାରିଖରୁ ସଂଶୋଧିତ ମୋଟରଯାନ ଆଇନ୍-୧୯୮୮ ଅନୁସାରେ ଯାଞ୍ଚ କଡ଼ାକଡ଼ି କରିବା ପାଇଁ ଜିଲାପାଳ ଓ ଏସ୍‌ପି ପଦକ୍ଷେପ ନେବେ। ତେବେ ଯାଞ୍ଚ ସମୟରେ ମୁଖ୍ୟତଃ ମଦ୍ୟପାନ କରି ଗାଡ଼ି ଚାଳନା, ଦ୍ରୁତଗତିରେ ଗାଡ଼ି ଚାଳନା, ଲାଲ୍ ସଙ୍କେତ ଅତିକ୍ରମ କରିବା, ବିପରୀତ ଦିଗରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ବ୍ୟବହାର କରିବା, ବିପଜ୍ଜନକ ଭାବେ ଗାଡ଼ି ଚଳାଇବା, ଦୁଇ ଚକିଆ ଯାନରେ ତିନିଜଣ ଯିବା, ସିଟ୍‌ ବେଲ୍ଟ ଓ ହେଲମେଟ୍ ବ୍ୟବହାର କରୁନଥିବା ଚାଳକଙ୍କ ଉପରେ ପୁଲିସ ଓ ପରିବହନ ବିଭାଗ ନଜର ରଖିବା ପାଇଁ କୁହାଯାଇଛି।
ପରିବହନ ବିଭାଗ ସୂତ୍ରରୁ ହସ୍ତଗତ ସୂଚନା ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର ମାସରୁ ଡିସେମ୍ବର ମଧ୍ୟରେ ୧୦ ହଜାରରୁ ଅଧିକ ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି। ଏହି ସମୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧୭ ପ୍ରତିଶତ ହ୍ରାସ ପାଇଛି। ତେଣୁ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିସହ କମ୍ ବୟସର ପିଲା ଗାଡ଼ି ଚଳାଉଥିଲେ ନିସ୍ତାର ମିଳିବ ନାହିଁ। ପିଲାମାନଙ୍କ ଗାଡ଼ି ଚଳାଇବା ଉପରେ ବିଶେଷ ନଜର ରହିବ। ସେହିପରି ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ିରେ ଯେପରି କ୍ଷମତା ଠାରୁ ଅଧିକ ପିଲା ପରିବହନ କରିନଯା’ନ୍ତି, ତାହା ଉପରେ ମଧ୍ୟ ନଜର ରଖିବା ପାଇଁ କୁହାଯାଇଛି। ଯାନବାହନର କାଗଜପତ୍ର ଯାଞ୍ଚ ସମୟରେ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ଦେବାକୁ ପରିବହନ କମିଶନର ନିର୍ଦେଶ ଦେଇଛନ୍ତି। ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଗତ ୬ ମାସ ମଧ୍ୟରେ ବହୁ ସଂଖ୍ୟାରେ ଲୋକ ନିଜର ଲାଇସେନ୍ସ କରାଇ ନେଇଛନ୍ତି। ତେଣୁ ଆସନ୍ତାକାଲି ଠାରୁ ଯାଞ୍ଚ ଆରମ୍ଭ ହେଲେ ଦୁର୍ଘଟଣା ଆଶଙ୍କା ସୃଷ୍ଟି କରୁଥିବା ଗାଡ଼ି ଚାଳକଙ୍କୁ ଧରିବା ଉପରେ ଜୋର ଦିଆଯାଉଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories