www.samajalive.in
Saturday, December 13, 2025
26.1 C
Bhubaneswar

ଅବସରପ୍ରାପ୍ତଙ୍କ ସଙ୍ଗୀତ ନିଶା କାରଣରୁ ଜେଲ୍‌ ଦଣ୍ଡ!

ବିଦେଶୀ ରାଇଜରେ କଡ଼ା କଟକଣା କାରଣରୁ ସେଠା ଲୋକେ ଏକ ବ୍ୟବସ୍ଥିତ ଜୀବନଶୈଳୀ ଅତିବାହିତ କରିଥାନ୍ତି। ଇଉରୋପ, ଆମେରିକା ଆଦି ଦେଶରେ ରାସ୍ତାଘାଟରେ ଚାଲିଲେ କିମ୍ବା କାର୍ ଚଳାଇଲେ, ସବୁଥିରେ ରହିଛି ପ୍ରଶାସନର ନିୟମ। ଲୋକେ ସେସବୁ ଅମାନ୍ୟ କଲେ ମିଳେ ଉଚିତ୍ ଦଣ୍ଡ। ଏଇ ନୀତିନିୟମ ବିରୋଧରେ ଯାଇ ଜଣେ ବୟସ୍କ ଲୋକ ଶେଷରେ ପ୍ରାଣ ହରାଇଛନ୍ତି। ଇଂଲଣ୍ଡର ଆଧୁନିକ ନଗର ଭାବେ ଲିଭର୍‌ପୁଲ୍‌ର ଏଇ ଘଟଣାଟି ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକେ ପ୍ରଶାସନର ପ୍ରତ୍ୟେକ ନିୟମକାନୁନ୍‌କୁ ସସମ୍ମାନେ ପାଳନ କରୁଥିବାର ଦେଖାଯାଏ। ହେଲେ କେତେଜଣ ଅମାନିଆ ଲୋକଙ୍କ ଚାଲିଚଳଣ ପାଇଁ ମଧ୍ୟ ସେମାନଙ୍କୁ ଜୋରିମାନା ସହ ଦଣ୍ଡ ମିଳେ। ନିକଟରେ ଲିଭର୍‌ପୁଲ୍‌ରେ ଜଣେ ବୟସ୍କ ବ୍ୟକ୍ତି ନିଜ ଜିଦ୍ କାରଣରୁ ଜେଲ୍ ଦଣ୍ଡ ପାଇଲେ ଓ ଜେଲ୍ ଦଣ୍ଡ କାଟୁଥିବା ସମୟରେ ହିଁ ପ୍ରାଣ ହରାଇଛନ୍ତି। ୮୩ ବର୍ଷୀୟ ଇଆନ୍ ଟେନର୍‌, ଅବସରପରେ ଲିଭର୍‌ପୁଲ୍‌ରେ ଘର କିଣି ରହୁଥିଲେ। ପତ୍ନୀଙ୍କ ବିୟୋଗ ପରେ କିଛି ବର୍ଷ ହେଲା ସେ ଅଧିକ ଚିଡ଼ଚିଡ଼ା ସ୍ବଭାବର ହୋଇଯାଇଥିବାର ତାଙ୍କ ପଡ଼ୋଶୀ ଓ ବନ୍ଧୁବାନ୍ଧବ କହିଛନ୍ତି। ପ୍ରତିଦିନ ଗୀତ ଶୁଣିବା ତାଙ୍କର କିଛି ବର୍ଷ ହେବ ଅଭ୍ୟାସରେ ପଡ଼ିଯାଇଥିଲା। ଇଅାନ୍‌ ନିଜ ଗୀତ ଶୁଣା ଅଭ୍ୟାସରେ ଅନ୍ୟମାନଙ୍କୁ ଧୀରେଧୀରେ ହଇରାଣ କରିବା ଆରମ୍ଭ କଲେ। ପ୍ରଶାସନର ନିୟମ ଅନୁସାରେ, ଅଧିକ ଜୋର୍‌ରେ କୌଣସି ବ୍ୟକ୍ତି ଗୀତ ଶୁଣିଲେ ସେମାନଙ୍କୁ ଜେଲ୍ ଦଣ୍ଡ ହେବ। ଇଆନ୍‌ ସେଇ ଖରାପ ଅଭ୍ୟାସରେ ଅନ୍ୟମାନଙ୍କୁ ବିରକ୍ତ କଲେ। ପ୍ରଥମେ ପାଖ ପଡ଼ୋଶୀ ବୁଝାଇଲେ, ସ୍ଥାନୀୟ ପୁଲିସ୍ ମଧ୍ୟ ୨-୩ଥର ଇଆନ୍‌ଙ୍କ ଘରକୁ ଆସି ତାଙ୍କୁ ଭଦ୍ରାମିର ସହ ଏସବୁ ନ କରିବାକୁ ପରାମର୍ଶ ଦେଲେ। ଇଆନ୍ କଥା ମାନିବେ କ’ଣ ବରଂ ଜିଦ୍‌‌ରେ ଅଧିକ ଜୋର୍‌ରେ ଗୀତ ଲଗାଇ ଶୁଣିଲେ। ବୟସ୍କଙ୍କର ଏଭଳି ବେନିୟମ କାମ ଦେଖି ପୁଲିସ୍‌ ଅନନ୍ୟୋପାୟ ହେଲା। ଇଆନ୍‌ଙ୍କୁ ଗିରଫ୍ କରାଯିବା ପରେ ଏଇ ବର୍ଷ ଫେବୃଆରୀରେ ସେଠା କୋର୍ଟ ତାଙ୍କୁ ୩୨ ସପ୍ତାହର ଜେଲ୍ ଦଣ୍ଡ ଘୋଷଣା କରିଛି। ଦୁଃଖର କଥା ଯେ, ଜେଲ୍‌ ଦଣ୍ଡ କାଟୁଥିବା ସମୟରେ ହିଁ ସେ ପ୍ରାଣ ହରାଇଛନ୍ତି। ବୟସାଧିକ୍ୟ ରୋଗରେ ଆକ୍ରାନ୍ତ ହୋଇ ତାଙ୍କ ଜୀବନ ଯାଇଥିବାର ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି। ଜୀବନର ଶେଷ ସମୟରେ ନିଜ ଅଯଥା ଜିଦ୍ ପାଇଁ ଇଆନ୍‌ ଏଭଳି କଷ୍ଟ ପାଇଲେ। ଜଣେ ଉତ୍ତମ ନାଗରିକ ଭାବେ ପ୍ରଶାସନର ନିୟମ ମାନି ଚଳିଥିଲେ ବୋଧହୁଏ ତାଙ୍କ ଜୀବନର ଏଇ ମୁହୂର୍ତ୍ତ ଅନ୍ୟ ଭାବେ ଅତିବାହିତ ହୋଇପାରିଥାନ୍ତା। 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories