ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଲକ ୫୩ ନଂ ଜାତୀୟ ରାଜପଥ କଡ଼ରେ ଥିବା ରେଙ୍ଗାଲିକ୍ୟାମ୍ପ ପେଟ୍ରୋଲ ପମ୍ପଠାରେ ଦେବାହାଳ ଗ୍ରାମର ଶିଶୁପାଳ ବାରିକଙ୍କ ଟ୍ରାକ୍ଟରରେ ତାଙ୍କର ଏକ ଧନକଟା ଯନ୍ତ୍ର ବୋଝେଇ ହୋଇ ରହିଥିଲା। ପ୍ରକାଶ ଥାଉ କି, ବର୍ତ୍ତମାନ ରବି ଫସଲ ଅମଳ ସମୟରେ ଏହି କୃଷି ଯନ୍ତ୍ରପାତିଗୁଡ଼ିକର ନିତିଦିନିଆ ଭାବରେ ବ୍ୟବହାର ହେଉଥିବାରୁ ଏହି ପେଟ୍ରୋଲ ପମ୍ପରେ କିଛିଦିନ ଧରି ଭାବେ ରହୁଥିଲା। ଏହାର ସୁଯୋଗ ନେଇ ରବିବାର ରାତି ପ୍ରାୟ ୩ ଟାରେ ଜନୈକ ଚୋର ଏହାକୁ ଚୋରି କରି ନେଇଯାଇଛି। ସୋମବାର ସକାଳେ ଯେତେବେଳେ ଗାଡ଼ି ମାଲିକ ତାଙ୍କ ଗାଡ଼ି ସେଠାରେ ନଥିବା ଖବର ପାଇଥିଲେ, ସଙ୍ଗେ ସଙ୍ଗେ ଅତାବିରା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଅତାବିରା ପୁଲିସ ଅନୁସନ୍ଧାନ କାର୍ଯ୍ୟରେ ଲାଗିଥିଲା। ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସଦଳବଳେ ପହଞ୍ଚି ସିସିଟିଭି କ୍ୟାମେରା ଫୁଟେଜକୁ ଦେଖିବାପରେ ଚୋର ଛତିଶଗଡ଼ ଅଭିମୁଖେ ଯାଉଥିବା ଜଣାପଡ଼ିଛି। ବରାହଗୋଡା ଟୋଲ ଗେଟ୍, ବରଗଡ଼ ହଲଦିପାଲି ଛକରେ ଲାଗିଥିବା ସରକାରୀ ସିସିଟିଭି ଫୁଟେଜରେ ସିଧାସଳଖ ଛତିଶଗଡ଼ ଅଭିମୁଖେ ଚୋର ଚୋରି ଜିନିଷ ସହ ଯାଉଥିବା ପ୍ରମାଣ ମିଳିଛି। ଚୋରକୁ ଧରିବା ପାଇଁ ଅତାବିରା ପୁଲିସ ଏବଂ ମାଲିକ ସରେଇପାଲି ପର୍ଯ୍ୟନ୍ତ ଚୋରକୁ ଅନୁସରଣ କରି ଚାଲିଥିଲେ। କିନ୍ତୁ ସେଠାରୁ ଆଉ ଆଗକୁ ସିସିଟିଭି କ୍ୟାମେରା ବନ୍ଦ ଥିବାରୁ ଚୋର କେଉଁ ରାସ୍ତା ଧରିଛି ତାହା ଜଣାପଡୁନି। ତେବେ ପୁଲିସ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପୁଲିସକୁ ଖବର ଦେବା ସହ ଚୋରକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି। ଫୁଟେଜ୍ରେ ଚୋରର ଚେହେରା ସ୍ପଷ୍ଟ ଜଣାପଡୁ ନଥିଲେ ମଧ୍ୟ ଚୋର ବୁଟ୍ ସୁଟ୍ରେ ଥିବା ଜଣାପଡ଼ିଛି। ଚୋରି ଜିନିଷ ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ମାଲିକଙ୍କଠାରୁ ଜଣାପଡ଼ିଛି। ଏଯାଏଁ ଚୋର ଧରା ପଡ଼ିନି। ତଦନ୍ତ ଜାରି ରହିଛି।
Popular Categories



