www.samajalive.in
Sunday, December 7, 2025
13.1 C
Bhubaneswar

ସମସ୍ୟା ଘେରରେ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟ

ରେଙ୍ଗାଲିକ୍ୟାମ୍ପ: ବର୍ତ୍ତମାନ ସରକାରୀ ବିଦ୍ୟାଳୟଗୁଡିକରେ ପିଲାମାନଙ୍କର ଦକ୍ଷତାର ମାନ ବୃଦ୍ଧି ତଥା ଏକ ଚାପ ମୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଶିକ୍ଷକମାନଙ୍କୁ ଅନେକ ପ୍ରକାର ତାଲିମ ଦିଆଯାଉଛି । ଛାତ୍ରଛାତ୍ରୀମାନଙ୍କୁ ଖେଳ କୁଦ ମାଧ୍ୟମରେ, ଶିକ୍ଷଣ ସାମଗ୍ରୀ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରି ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକ ତଥା ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ବଢ଼ାଇବାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକା ଅଧିକ ରହିଛି ବୋଲି କୁହାଯାଉଛି । କିନ୍ତୁ ସ୍କୁଲରେ ଯଦି ଜଣେ ଶିକ୍ଷକ ଥାଏ, ତେବେ ସେ କେଉଁ ଭୂମିକାକୁ ଗୁରୁତ୍ଵ ଦେବ। ପିଲାଙ୍କ ପାଠପଢା, ମଧ୍ୟାହ୍ନ ଭୋଜନ, ପିଲାଙ୍କ ସୁରକ୍ଷା ନା ସ୍କୁଲ୍ ଘର ମରାମତି ପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବାରମ୍ବାର ଦୌଡ଼ିବାର ଭୂମିକା। ଏମିତି ଅନେକ ସମସ୍ୟା ଘେରରେ ରହିଛି ଖଲିଆପାଲି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ । ୧୯୫୪ ମସିହାରୁ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ବର୍ତ୍ତମାନ ପିଲା ସଂଖ୍ୟା କମିଯାଇ ୪୬ । ଜଣେ ମାତ୍ର ଶିକ୍ଷକ। ଶିକ୍ଷକ ତାଲିମ ପାଇଁ ଗଲେ ସ୍କୁଲ୍ ଶିକ୍ଷକ ଶୂନ୍ୟ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଜଣେ ଶିକ୍ଷକ କେମିତି ସମ୍ଭାଳିବ? ଏପଟେ ପୁଣି ପିଲାଙ୍କ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥାରେ ସାମାନ୍ୟ ଭୁଲ୍ ହେଲେ ଚାକିରି ପ୍ରତି ବିପଦ । ତେବେ ଶିକ୍ଷକ ଯେତେ ତାଲିମ ପାଇଲେ ମଧ୍ୟ ସବୁ କିଛି ବ୍ୟର୍ଥ ହୁଏ ପରିସ୍ଥିତି ପାଇଁ। ଅତି କମରେ ଦୁଇଜଣ ଶିକ୍ଷକ ନିହାତି ଦରକାର। କିନ୍ତୁ ଜଣେ ଶିକ୍ଷକରେ ଦୀର୍ଘ ଦିନ ଧରି ଚାଲିଛି ସ୍କୁଲ୍। ଏହା ବ୍ୟତୀତ ଏହି ସ୍କୁଲରେ ଥିବା ପାଞ୍ଚଟି କୋଠରୀ ମଧ୍ୟରୁ ତିନିଟି ଆଜବେଷ୍ଟସ ଛାଉଣୀ । ତାହା ଭାଙ୍ଗି ରୁଜି ନଷ୍ଟ ହୋଇ ପାଣି ଗଳୁଛି । ଖରାଦିନେ ପ୍ରବଳ ଖରା ଯୋଗୁଁ ପିଲାମାନେ ବସି ପାରୁ ନାହାନ୍ତି। ତେଣୁ ଅଧିକ ସମୟ ଗୋଟିଏ କୋଠରୀ ମଧ୍ୟରେ ଦୁଇରୁ ତିନିଟି ଶ୍ରେଣୀର ପିଲା ଏକାଠି ବସୁଛନ୍ତି । ଏହାର ମରାମତି ମଧ୍ୟ କରାଯାଉ ନାହିଁ ।

ଅନ୍ୟ ପକ୍ଷରେ ପିଲାଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଶୋଚନୀୟ। ଛାତ୍ରଛାତ୍ରୀମାନଙ୍କ ପାଇଁ ଶୌଚାଳୟ ନାହିଁ । କୁନି କୁନି ପିଲାମାନେ ଖରା ହେଉ କି ବର୍ଷା, ବାହାରକୁ ଯାଉଛନ୍ତି । ସେଥିରେ ଯଦି କେତେବେଳେ କୌଣସି ଅଘଟଣ ଘଟେ, ତେବେ ଶିକ୍ଷକ ଉପରେ ଦୋଷ ଲଦି ଦିଆଯିବ । ସ୍କୁଲ୍ ଚାରିପଟେ ପାଚେରୀ ବି ନାହିଁ, ସମ୍ପୂର୍ଣ୍ଣ ଖୋଲା । ପାନୀୟ ଜଳର ମଧ୍ୟ ଉତ୍କଟ ସମସ୍ୟା ରହିଛି । ସ୍କୁଲ୍ ଭିତରେ ନଳକୂଅଟିଏ ନାହିଁ । ବାହାରେ ଯେଉଁ ନଳକୂଅ ରହିଛି ସେଥିରେ ଲୁହା ମିଶା ଲାଲ ପାଣି ବାହାରୁଛି। ଯାହାକୁ ପିଇଲେ ପିଲାଙ୍କର ସ୍ବାସ୍ଥ୍ୟ ମଧ୍ୟ ଖରାପ ହେବାର ସମ୍ଭାବନା ରହିଛି। ଏତିକିରେ ବି ସରୁନି। ସ୍କୁଲ୍ ଉପର ଦେଇ ଯାଇଛି ୧୧ କେଭିର ବିଦ୍ୟୁତ୍ ତାର। ଫଳରେ ଅନେକ ଥର ସଟ୍‌ ସର୍କିଟ ହୋଇ ଅଗ୍ନି ବିଛୁରିତ ହୋଇଛି, ଗଛରେ ତାର ଲାଗି କରେଣ୍ଟ ମଧ୍ୟ ଲାଗିବାର ସମ୍ଭାବନାକୁ ମଧ୍ୟ ଏଡାଯାଇ ପାରିବ ନାହିଁ। ଏଣୁ ବିଦ୍ୟାଳୟରେ ଥିବା ଉପରୋକ୍ତ ସମସ୍ତ ସମସ୍ୟାର ସମାଧାନ କରିବା ତଥା ଆଉ ଜଣେ ଶିକ୍ଷକ ଦେବାପାଇଁ ଆଜି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବଳରାମ ଦେବତାଙ୍କ ନେତୃତ୍ୱରେ କିଶୋର ଦେବତା, ଉର୍କୁଲୁ ସୁସକ୍ଷରୀ, ପ୍ରକାଶ ଭୁଏ, ପମି ଭୁଏ, ରୁକୁଣି କୁମ୍ଭାରଙ୍କ ସମେତ ଅଭିଭାବକ ଓ ଅଭିଭାବକ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଘେରିବା ସହ ବ୍ଲକ ଶିକ୍ଷା ଅଧିକାରୀ ନ ଥିବା ଯୋଗୁଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତପନ କୁମାର ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ୭ଦିନ ମଧ୍ୟରେ ଶିକ୍ଷକ ପଦବୀ ପୂରଣ ସହ ସମସ୍ୟାର ସମାଧାନ କରା ନ ଗଲେ ସ୍କୁଲରେ ତାଲା ପକାଇବା ସହ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories