ଘିଚାମୁରା ହାଇସ୍କୁଲରେ ପିଇବା ପାଣି ସଙ୍କଟ; ଛାତ୍ରଛାତ୍ରୀ ହନ୍ତସନ୍ତ
ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ର ଘିଚାମୁରା ଗ୍ରାମରେ ଥିବା ହାଇସ୍କୁଲ ଦୀର୍ଘ ଦିନ ହେଲା ପିଇବା ପାଣି ସମସ୍ୟା ଲାଗି ରହିଥିବାରୁ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ୁଖିନ ହେଉଛନ୍ତି। ଏହି ହାଇସ୍କୁଲରେ ଘିଚାମୁରା ଗ୍ରାମ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମ ର ୭୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀଙ୍କ ସଂଖ୍ୟା ୧୦ ଅଟେ। ହାଇସ୍କୁଲ ପରିସର ଖୋଲା ଯାଇଥିବା ରିଂ କୂଅ ଦୀର୍ଘ ମାସ ହେଲା ଶୁଖିଲା ପଡିଥିବା ବେଳେ ନଳ କୂପରୁ ଆଇରନ୍ ଯୁକ୍ତ ପାଣି ବାହାରୁଥିବାରୁ ପାଣି ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ପାନୀୟ ଜଳ ଭଳି ସର୍ବ ନିମ୍ନ ମୌଳିକ ଆବଶ୍ୟକତାର ଏଭଳି ଅଭାବନୀୟ ସମସ୍ୟାର କୌଣସି ପ୍ରତିକାର ହେଉ ନଥିବାରୁ ଛାତ୍ର-ଛାତ୍ରୀ ଏବଂ ଶିକ୍ଷକ ଓ କର୍ମଚାରୀମାନେ ଘରୁ ପାଣି ବୋତଲ ନେଇ ସ୍କୁଲକୁ ଆସିବାକୁ ବାଧ୍ୟ ହେଉଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ସ୍କୁଲରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସଚେତନ ନାଗରିକ ମହଲରେ ଦାବୀ ହେଉଛି।
Comments are closed.