www.samajalive.in
Thursday, December 11, 2025
18.1 C
Bhubaneswar

ରାୟଗଡ଼ା ଓଏସଆରଟିସି ଡିପୋ ବନ୍ଦ ପାଇଁ ଚକ୍ରାନ୍ତ, ବିରୋଧୀ ଚୁପ୍‌‌

ରାୟଗଡ଼ା: ରାୟଗଡ଼ାରେ ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ଓଏସଆରଟିସି ବସ୍‌ ଡିପୋକୁ ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ବସ୍ ବନ୍ଦ କରିବାରେ ଲାଗିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ଏବେ କିଛି ଦିନ ହେଲା ରାୟଗଡ଼ା ଡିପୋରୁ ଚାଲୁଥିବା ଶେଷ ତିନୋଟି ରୁଟ୍‌ର ବସ୍ ସେବାକୁ ମଧ୍ୟ ବନ୍ଦ କରାଯାଇଛି। ରାୟଗଡ଼ାରୁ କାଶୀପୁର, ରାୟଗଡ଼ାରୁ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଓ ରାୟଗଡ଼ାରୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡାକୁ ଚଳାଚଳ କରୁଥିବା ବସ୍‌କୁ ବନ୍ଦ କରାଯାଇଛି। ଏହି ଯାତ୍ରୀବାହୀ ବସ୍‌ର ଫିଟନେସ୍‌‌, ପରମିଟ୍‌‌ ସହ କାଗଜପତ୍ର ଠିକ୍‌‌ ନଥିବା ଦର୍ଶାଇ ଏହାକୁ ବନ୍ଦ କରି ଦେଇଛନ୍ତି ରାୟଗଡ଼ା ଆଞ୍ଚଳିକ ପରିବହନ ଅଧିକାରୀ। ଫଳରେ ଏହି ବସ୍‌ ଡିପୋ ଅଧିନରେ କାର୍ଯ୍ୟ କରୁଥିବା ୨୦ରୁ ଅଧିକ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଇଛି। ଏହି ବନ୍ଦ ପଛରେ ଘରୋଇ ବସ୍‌ ମାଲିକଙ୍କ ହାତ ରହିଥିବା ଅଭିଯୋଗ ହେଉଛି। ତେବେ ବସ୍‌ ସେବା ବନ୍ଦ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ଚୁପ୍‌‌ କାହିଁକି ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି।

ଗତ ୨୦୧୫ ମସିହାରେ ରାୟଗଡ଼ା ବସଷ୍ଟାଣ୍ଡରେ ଓଏସଆରଟିସିର ବସ୍‌ ଡିପୋ ଆରମ୍ଭ ହୋଇଥିଲା। ସେତେବେଳେ ଏହି ଡିପୋ ଅଧିନରେ ୧୨ଟି ରୁଟରେ ବସ ଚଳାଚଳ କରୁଥିଲା। କାଳକ୍ରମେ ଏହା ଧୀରେ ଧୀରେ କମିବାରେ ଲାଗିଲା। ରାୟଗଡ଼ାରୁ କାଶୀପୁର, ରାୟଗଡ଼ାରୁ ଥୁଆମୂଳ ରାମପୁର, ରାୟଗଡ଼ାରୁ ଚନ୍ଦ୍ରପୁର, ରାୟଗଡ଼ାରୁ କୋରାପୁଟ ଜିଲାର ନାରାୟଣପାଟଣା ଓ ଡଙ୍ଗାପାଇ, ରାୟଗଡ଼ାରୁ ବ୍ରହ୍ମପୁର, ରାୟଗଡ଼ାରୁ ଚିତ୍ରକୋଣ୍ଡାକୁ ବସ ଚଳାଚଳ କରୁଥିଲା। ହେଲେ ଗତ କିଛି ମାସ ହେଲା ରାୟଗଡ଼ାରୁ ମାତ୍ର ୩ଟି ରୁଟରେ ବସ ଚଳାଚଳ କରୁଥିଲା। ରାୟଗଡ଼ାରୁ କାଶୀପୁର, ଚିତ୍ରକୋଣ୍ଡା ଓ ଥୁଆମୂଳ ରାମପୁରକୁ ଚାଲୁଥିବା ବସକୁ ମଧ୍ୟ ବନ୍ଦ କରାଯାଇଛି। ଫଳରେ ରାୟଗଡ଼ା ଜିଲାବାସୀ ସରକାରୀ ବସରେ ଏହି ସବୁ ଗନ୍ତବ୍ୟସ୍ଥଳକୁ ଯିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ ବସ ବନ୍ଦ ହେବା ଫଳରେ ବସ ଡ୍ରାଇଭର ଓ କଣ୍ଡକ୍ଟରମାନେ କିଭଳି ତାଙ୍କ ପରିବାର ଚଳାଇବେ ସେହି ଚିନ୍ତାରେ ଦିନ କାଟୁଛନ୍ତି। ସରକାରୀ ବସରେ ନିର୍ଦ୍ଧାରିତ ଭଡାରେ ଯାତ୍ରୀମାନେ ଯାତାୟତ କରୁଥିବା ବେଳେ ଘରୋଇ ବସ କଣ୍ଡକ୍ଟରମାନେ ମନଇଛା ଟିକେଟ୍‌‌ ଭଡା ଯାତ୍ରୀଙ୍କଠାରୁ ଆଦାୟ କରୁଛନ୍ତି। ଗୋଟିଏ ଗୋଟିଏ ଟିକେଟରେ ୧୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଆଦାୟ କରୁଛନ୍ତି। ଏପରିକି ରାତ୍ରୀକାଳୀନ ଘରୋଇ ବସରେ ୫୦ ଟଙ୍କା ଅଧିକ ନିଆଯାଉଥିବା ଅଭିଯୋଗ ହେଉଛି। ଯାହାକୁ ବିରୋଧ କଲେ ଯାତ୍ରୀଙ୍କୁ ଓଲଟି ଧମକ ଦେବା ସହ ଅଧା ରାସ୍ତାରେ ଓଲ୍ଲାଇ ଦେଉଥିବାରୁ ନଜିର ମଧ୍ୟ ରହିଛି। ରାୟଗଡ଼ା ଜିଲାରେ ଅନେକ ଘରୋଇ ବସର ଫିଟନେସ୍‌‌ ସହ କାଗଜପତ୍ର ଠିକ୍‌‌ ନଥିବା ବେଳେ ସେସବୁ ଚାଲୁଛି। ତାହାକୁ କାହିଁକି ବନ୍ଦ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ସହରବାସୀ। ଘରୋଇ ବସର ମନମାନି ବିରୋଧରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହାନ୍ତି ବୋଲି ପ୍ରଶ୍ନ ଉଠିଛି। କ୍ଷତିରେ ଚାଲୁଥିବା ଦର୍ଶାଇ ରାୟଗଡ଼ା ଡିପୋକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହେଉଛି। ଓଏସଆରଟିସି ବସ୍‌ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ନେତାଙ୍କ ପାଟି ଚୁପ୍‌‌। ବିଭିନ୍ନ ରାଜନୈତିକ ଦଳର ନେତାମାନେ ବିଜେପି ସଭାପତି-ଏଡିଏମ ବିବାଦୁ ନେଇ ମୁହଁ ଖୋଲୁଥିବା ବେଳେ ରାୟଗଡ଼ାରୁ ବସ ସେବା ବନ୍ଦ ନେଇ କେହି ମୁହଁ ଖୋଲୁ ନାହାନ୍ତି।

- Advertisement -

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାବାସୀଙ୍କ ଲାଇଫ୍‌‌ ଲାଇନ କୁହାଯାଉଥିବା ଓଏସଆରଟିସି ବସ୍ ସେବା ବନ୍ଦ ନେଇ ଏହି ରାଜନେତାମାନେ ଚୁପ୍‌‌ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଏସଆରଟିସି ଗାଡି ସବୁ ପୁରୁଣା ହୋଇଯାଇଥିବା ଦର୍ଶାଇ ତାହାକୁ ବନ୍ଦ କରାଯାଇଥିବା ବେଳେ ନୂଆ ଲକ୍ଷ୍ମୀ ବସ୍‌ଗୁଡିକ ପଡ଼ି ପଡ଼ି ଖତ ଖାଉଛି। ସେହି ବସକୁ ଏହି ରୁଟରେ ଚଳାଚଳ କଲେ ଜିଲାବାସୀ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି। ଏ ନେଇ ଓଏସଆରଟିସି ମ୍ୟାନେଜର ସୌମ୍ୟରଞ୍ଜନ ମିଶ୍ର କହିଛନ୍ତି, ବର୍ତମାନ ସବୁ ପୁରୁଣା ଗାଡିକୁ ନେଇ ବିଭିନ୍ନ ରୁଟରେ ବସ୍ ଚଳାଚଳ କରିବା ଠିକ୍‌‌ ନୁହଁ। ଏହାଦ୍ୱାରା ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି। ସୋମବାର ଜିଲାକୁ ଦୁଇଟି ଏସସି ବସ ଆସିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories