ଦକ୍ଷିଣା ଆଦାୟରେ ଅଙ୍କୁଶ

0
-ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି, -ପାଳନହେବ ସୁପ୍ରିମକୋର୍ଟଙ୍କ ନିର୍ଦେଶ, -୨୦ସୁଦ୍ଧା ସତ୍ୟପାଠ ଦାଖଲ କରିବେ ସେବକ

ପୁରୀ : ଶ୍ରୀମନ୍ଦିରରେ କଡ଼ାକଡ଼ି ପାଳନ କରାଯିବ ସୁପ୍ରିମକୋର୍ଟଙ୍କ ନିର୍ଦେଶ। ସେବକଙ୍କ ଦାନଦକ୍ଷିଣା ଆଦାୟ ଉପରେ ଲାଗିବ ଅଙ୍କୁଶ। ସୋମବାର ଛତିଶା ନିଯୋଗ ବୈଠକରେ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସେଥିରେ ଅଧ୍ୟକ୍ଷତା କରିଥିଲେ। ଭକ୍ତଙ୍କଠାରୁ ଦାନ, ଦକ୍ଷିଣା ଓ ପିଣ୍ଡିକା ଆଦାୟ ଉପରେ ସୁପ୍ରିମକୋର୍ଟ ଜାରି କରିଥିବା ନିଷେଧାଦେଶ ବୈଠକରେ ପାଠ କରାଯାଇଥିଲା।
ଶ୍ରୀ ଜେନା କହିଲେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ସବୁଠାରୁ ବଡ଼ ଆଇନ। ମନ୍ଦିର ପ୍ରଶାସନ ତାହାକୁ କାର୍ଯ୍ୟକାରୀ କରିବ। ଯଦି କୌଣସି ସେବକଙ୍କର ସେଥିରେ ଆପତ୍ତି ଅଭିଯୋଗ ଥାଏ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ। କୋର୍ଟ ନିର୍ଦେଶ କାର୍ଯ୍ୟକାରୀ କରିବାରେ ସେବକମାନେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ମୁଖ୍ୟ ପ୍ରଶାସକଙ୍କ ଏହି ପ୍ରସ୍ତାବକୁ ସବୁ ସେବକ ନିଯୋଗ କର୍ମକର୍ତ୍ତା ବିରୋଧ କରିଥିଲେ। ସେମାନେ କହିଲେ ଭକ୍ତଙ୍କଠାରୁ ଦାନଦକ୍ଷିଣା ନେବା ସେବକଙ୍କ ପୁରୁଷାନୁକ୍ରମିକ ଅଧିକାର। ସେଥିରୁ ସେମାନଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ରହିଥିବା ବ୍ୟବସ୍ଥା ସମ୍ପର୍କରେ କେତେକ ବରିଷ୍ଠ ସେବକ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ପ୍ରଶାସକ କହିଲେ କୋର୍ଟଙ୍କ ନିର୍ଦେଶକୁ ଭିତ୍ତିକରି ପାଳିଆ ସେବକଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ। ପରିଚାଳନା କମିଟି ଏ ସମ୍ପର୍କରେ ଉଚିତ ପଦକ୍ଷେପ ଗ୍ରହଣ କରିବେ। ସୁପ୍ରିମକୋର୍ଟଙ୍କୁ ସେବକଙ୍କ ସମ୍ପର୍କରେ ଭୁଲ ତଥ୍ୟ ଦିଆଯାଇଥିବା ଜଣେ ସେବକ ବୈଠକରେ ଅଭିଯୋଗ କରିଥିଲେ। ସେ କହିଲେ ଦାନଦକ୍ଷିଣା ଆଦାୟ ଉପରେ କଟକଣା ଜାରି ପୂର୍ବରୁ ଯୁକ୍ତି ଉପସ୍ଥାପନ ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଇ ନାହିଁ। ଜିଲାଜଜ୍‍ଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବାରୁ ତାଙ୍କ ପାଖରେ ସତ୍ୟପାଠ ଦାଖଲ କରିବାକୁ ମୁଖ୍ୟ ପ୍ରଶାସକ ସେବକଙ୍କୁ ପରାମର୍ଶ ଦେଇଛନ୍ତି।
ଶ୍ରୀ ଜେନା ଗଣମାଧ୍ୟମକୁ କହିଲେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ସମ୍ପର୍କରେ ସବୁ ସେବକ ନିଯୋଗକୁ ଅବଗତ କରାଯାଇ ଆଦେଶ ପାଳନ ପାଇଁ ସେମାନଙ୍କ ସହଯୋଗ ଲୋଡ଼ାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଜିଲାଜଜ୍‍ଙ୍କୁ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି। ସେବକମାନେ ସେମାନଙ୍କ ମତ ରଖିଛନ୍ତି। ପ୍ରଶାସନ ତାହାକୁ ବିଚାର କରିବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଖୁବ୍‍ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଆଦେଶ ଦେଶର ଆଇନ ଏବଂ ସମସ୍ତଙ୍କ ପାଇଁ ପାଳନୀୟ ବୋଲି ଶ୍ରୀ ଜେନା ମତ ଦେଇଛନ୍ତି। ଅନ୍ୟପକ୍ଷରେ ଜିଲାଜଜ୍‍ ଅମ୍ବୁଜ ମୋହନ ଦାସ ସୋମବାର ଅପରାହ୍ଣରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ ସେବକଙ୍କ ଦ୍ୱାରା ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ ବନ୍ଦ କରାଯାଇଛି କି ନାହିଁ ସେଥିନେଇ ସେ ମନ୍ଦିର ପ୍ରଶାସକଙ୍କୁ ପ୍ରଶ୍ନ କରିଥିଲେ। ଛତିଶା ନିଯୋଗ ବୈଠକରେ ଉପସ୍ଥିତ ରହି ଜିଲାଜଜ୍‍ ଶ୍ରୀ ଦାସ ସେବକଙ୍କ ଅଭିଯୋଗ ଶୁଣିଥିଲେ। ଚଳିତମାସ ୩୦ତାରିଖ ସୁଦ୍ଧା ସୁପ୍ରିମକୋର୍ଟରେ ସେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବେ।
ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଡା. ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ପ୍ରଶାସକ (ଉନ୍ନୟନ) ବିଶ୍ୱନାଥ ସାହୁ ଏବଂ ପ୍ରଶାସକ (ସୁରକ୍ଷା) ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ବୈଠକରେ ଉପସ୍ଥିତ ଥିଲେ।

Leave A Reply