ରଥଯାତ୍ରାକୁ ଏନ୍ଏସ୍ଜି ସୁରକ୍ଷା
ଭୁବନେଶ୍ୱର : ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ବିଭିନ୍ନ ସମୟରେ ଆତଙ୍କବାଦୀ ଧମକ ନେଇ ଗୁଇନ୍ଦା ବିଭାଗର ସତର୍କ ସୂଚନା ଦୃଷ୍ଟିରୁ ଚଳିତଥର ରଥଯାତ୍ରାକୁ ଜାତୀୟ ନିରାପତ୍ତା ବାହିନୀ (ଏନ୍ଏସ୍ଜି) ସୁରକ୍ଷା ଦିଆଯିବ। କୌଣସି ପ୍ରକାର ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଏନ୍ଏସ୍ଜି କମାଣ୍ଡୋ ସଜାଗ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ରାଜ୍ୟ ପୁଲିସ ମହାନିର୍ଦେଶକ ଡଃ ରାଜେନ୍ଦ୍ରପ୍ରସାଦ ଶର୍ମା କହିଛନ୍ତି। ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାବେଳେ ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ହେବ । ଏନେଇ ଶନିବାର ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରଥଯାତ୍ରା କିପରି ସୁରୁଖୁରୁରେ ଶେଷ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ରଥଯାତ୍ରା ପାଇଁ ଜଳ,ସ୍ଥଳ ଓ ଆକାଶ ପଥରୁ ପୁରୀ ଉପରେ ନଜର ରଖାଯିବ। ଏପରିକି ଏନ୍ଏସଜି କମାଣ୍ଡୋଙ୍କୁ ନିୟୋଜିତ କରିବାକୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ରଥଯାତ୍ରା ସମୟରେ ୧୪୫ ପ୍ଲାଟୁନ ସଶସ୍ତ୍ର ପୁଲିସ ମୁତୟନ କରାଯିବ । ସେହିପରି ହଜାରେରୁ ଊଦ୍ଧ୍ୱର୍ ପୁଲିସ ଅଧିକାରୀ, ୨ହଜାର ହୋମଗାର୍ଡ଼ ,୨କମ୍ପାନୀ କେନ୍ଦ୍ରୀୟ ର୍ୟାପିଡ୍ ଆକ୍ସନ ଫୋର୍ସ ,୨ କମ୍ପାନୀ ରାଜ୍ୟ ସୁଇପ୍ଟ ଆକ୍ସନ ଫୋର୍ସ,୨ ୟୁନିଟ ଏସଓଜି,ଏକ ୟୁନିଟ ଏନ୍ଡିଆରଏଫ ଓ ୨ୟୁନିଟ ଓଡ୍ରାଫ ନିୟୋଜିତ ହେବେ ।
ଆଭ୍ୟନ୍ତରୀଣ ସୁରକ୍ଷା,ଆକାଶ ପଥ,ଉପକୂଳ ସୁରକ୍ଷା, ଫୋର୍ସ ମୁତୟନ,ପରିବହନ,ଟ୍ରାଫିକ ପରିଚାଳନା,ପାର୍କିଂ ସ୍ଥାନ ନିରୂପଣ, ମହିଳା ଶିଶୁ ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା,ଫୋର୍ସ ରହଣୀସ୍ଥାନ ନିରୂପଣ, ବିଶିଷ୍ଠ ବ୍ୟକ୍ତିଙ୍କ ଯିବା ଆସିବା ଓ ସୁରକ୍ଷା ଆଦି ପ୍ରସଙ୍ଗ ଉପରେ ଡିଜି ଡା. ଶର୍ମା ସମୀକ୍ଷା କରିଛନ୍ତି ।
ଅତିରିକ୍ତ ପୁଲିସ ମହାନିର୍ଦେଶକ ସତ୍ୟଜିତ୍ ମହାନ୍ତି ସମୁଦାୟ ରଥଯାତ୍ରା ପରିଚାଳନା ଦାୟିତ୍ୱରେ ରହିବେ। ଏତଦ୍ବ୍ୟତୀତ ଟ୍ରାଫିକ୍ ନିୟନ୍ତ୍ରଣ, କର୍ଡନ ପରିଚାଳନା, ମନ୍ଦିର ବାହାରେ ଓ ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ଆଇଜି ପାହ୍ୟାର ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ଅଧୀନରେ କମାଣ୍ଡାଣ୍ଟ, ଅତିରିକ୍ତ ଏସ୍ପି, ଡେପୁଟୀ କମାଣ୍ଡାଣ୍ଟ,ଡିଏସପି ଓ ସହକାରୀ କମାଣ୍ଡାଣ୍ଟମାନେ ରହି କାର୍ୟ୍ୟ ତୁଲାଇବେ । ଯାତ୍ରୀ ସୁରକ୍ଷା ଦୃଷ୍ଟିରୁ ପୁରୀ ବେଳାଭୂମିରେ ସବୁଦିନିଆ ଏକ ଶହ ଲାଇଫ ଗାର୍ଡ ବାଦ୍ ଅତିରିକ୍ତ ୩ଶହ ଲାଇଫ ଗାର୍ଡଙ୍କୁ ନିୟୋଜିତ କରାଯିବ। ରେଳଷ୍ଟେସନ ଓ ଆଖପାଖ ଅଞ୍ଚଳରେ ସିସିଟିଭି ସ୍ଥାପନ କରାଯାଇ ଯାତ୍ରୀଙ୍କ ଚଳପ୍ରଚଳ ଉପରେ ନଜର ରଖାଯିବ । ଜିଆରପି ତରଫରୁ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ଯାତ୍ରୀଙ୍କୁ ସହଯୋଗ କରାଯିବ। ଟ୍ରାଫିକ୍ ପରିଚାଳନା ପାଇଁ କୁମ୍ଭାରପଡ଼ା ଥାନାରେ ଥିବା ସବୁଦିଦିଆ ନିୟନ୍ତ୍ରଣ କକ୍ଷକୁ ଅଧିକ କାର୍ୟ୍ୟକ୍ଷମ କରାଯାଇ ଟ୍ରାଫିକ ନିୟନ୍ତ୍ରଣ ଓ ପରିଚାଳନା କରାଯିବ। ସେହିପରି ପୁରୀ ସହରର ବଛାବଛା ଛକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ କରାଯିବ । ମାଳତୀପାଟପୁରରେ ସାମୟିକ ଟ୍ରାଫିକ ନିୟନ୍ତ୍ରଣ କକ୍ଷ କାର୍ୟ୍ୟକରିବ ।
ରଥଯାତ୍ରା ସମୟରେ ପୁରୀ ସହରରକୁ ୪ଟି ଜୋନରେ ବିଭକ୍ତ କରାଯିବ । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଜୋନ ଦାୟିତ୍ୱରେ ରଖାଯିବ । ସେହିପରି ଗୋଟିଏ ଜୋନକୁ ୭ଟି ସେକ୍ଟରରେ ବିଭକ୍ତ କରାଯାଇ ସମୁଦାୟ ସହରକୁ ୨୮ ଯୋନରେ ବିଭକ୍ତ କରାଯିବ । ଆସନ୍ତା ୯ ଓ୧୦ ତାରିଖ ମଧ୍ୟରେ ଏଥିପାଇଁ ନିୟୋଜିତ ସମସ୍ତ ଅଧିକାରୀ ଫୋର୍ସ ପୁରୀରେ ପହଞ୍ଚିବେ ।
ଅନୁଷ୍ଠିତ ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦେଶକ ସୁନିଲ ରାୟ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ସତ୍ୟଜିତ୍ ମହାନ୍ତି,ଅରୁଣ ରାୟ, ପ୍ରାଣବିନ୍ଦୁ ଆଚାର୍ୟ୍ୟ, ବିନୟତୋହ ମିଶ୍ର, ଆଜି ସଞ୍ଜୀବ ପଣ୍ଡା, ସୌମେନ୍ଦ୍ର ପ୍ରିୟଦର୍ଶୀ, ସଞ୍ଜୟ ସିଂହ, ଅସୀତ ପାଣିଗ୍ରାହୀ, ଅମିତାଭ ଠାକୁର, ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।