ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସମେତ ୧୦ ଗ୍ରାମବାସୀ ଗିରଫ
କନ୍ଧମାଳ : କନ୍ଧମାଳ ଜିଲା ରାଇକିଆ ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗୁରୁବାର ଗିରଫ ହୋଇଛି। ଏହାସହିତ ଗାଁ କମିଟିର ୧୦ ଜଣ ସଦସ୍ୟଙ୍କୁ ମଧ୍ୟ ରାଇକିଆ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ରାଇକିଆ ଥାନା ବାକିଙ୍ଗିଆ ଗ୍ରାମର ସିବାନି ପ୍ରଧାନ (୨୦)।
ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଘରେ କେହି ନଥିବାର ସୁଯୋଗ ନେଇ ପଡ଼ୋଶୀ ଯୁବକ ସିବାନି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ବାପା ମାଆଙ୍କୁ କହିବା ପରେ ବାକିଙ୍ଗିଆ ଗ୍ରାମରେ ଏକ ବୈଠକ ବସିଥିଲା। ସମ୍ପୃକ୍ତ ଯୁବକକୁ ଏହି ଜଘନ୍ୟ କାଣ୍ଡ ପାଇଁ ଗାଁ କମିଟି ପକ୍ଷରୁ ୫୦ ହଜାର ଟଙ୍କା ଜରିମାନା କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ନାବାଳିକାଙ୍କ ପରିବାର ଲୋକ ଏଥିରେ ଅରାଜି ହେବା ସହ ବୁଧବାର ସନ୍ଧ୍ୟାରେ ରାଇକିଆ ଥାନାରେ ଅଭିଯୋଗ କରିଥିଲେ। ଆଜି ଏହି ଘଟଣାରେ ସମ୍ପୃକ୍ତ ଯୁବକକୁ ଗିରଫ କରାଯିବା ସହ ଘଟଣାକୁ ଦବାଇ ଦେବାକୁ ଚେଷ୍ଟା କରୁଥିବା ଗାଁ କମିଟର ୧୦ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଏନେଇ ତଦନ୍ତ ଜାରି ରହିଥିବା ଜି ଉଦୟଗିରି ଏସଡ଼ିପିଓ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି।