www.samajalive.in
Saturday, December 6, 2025
19.1 C
Bhubaneswar

ରଣଜୀ ଟ୍ରଫି : ଉତ୍ତର ପ୍ରଦେଶ ୧୦୫ ରନ୍‍ ଆଗରେ

ଭୁବନେଶ୍ୱର : ଚଳିତ ରଣଜୀ ସିଜିନ୍‍ର କ୍ରମାଗତ ୨ୟ ମ୍ୟାଚରେ ଉତ୍ତର ପ୍ରଦେଶର ଅଧିନାୟକ ଅକ୍ଷଦୀପ ନାଥ ଶତକ ମାରିଛନ୍ତି। ଫଳରେ କ୍ରମାଗତ ୨ୟ ମ୍ୟାଚରେ ତା’ର ପ୍ରତିପକ୍ଷ ବିପକ୍ଷରେ ଉତ୍ତର ପ୍ରଦେଶ ପ୍ରାଧାନ୍ୟ ବିସ୍ତାର କରିଛି। ସ୍ଥାନୀୟ କିଟ୍‍ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍‍ ଗ୍ରୁପ୍‍ ‘ସି’ ମ୍ୟାଚରେ  ଘରୋଇ ଓଡ଼ିଶା ବିପକ୍ଷରେ ଉତ୍ତର ପ୍ରଦେଶ ମଜ୍‍ଭୁତ ସ୍ଥିତିରେ ପହଞ୍ଚିଛି। ମଙ୍ଗଳବାର ମ୍ୟାଚ୍‍ର ୨ୟ ଦିନ ଥିବା ବେଳେ ଉତ୍ତର ପ୍ରଦେଶ ପ୍ରଥମ ଇନିଂସରେ ୧୦୫ ରନ୍‍ ଆଗରେ ରହିଛି ଏବଂ ହାତରେ ୪ଟି ୱିକେଟ ବାକିଅଛି। ଓଡ଼ିଶାର ପ୍ରଥମ ଇନିଂସ ସ୍କୋର୍‍ ୨୫୬ ରନ୍‍ ଜବାବରେ ୨ୟ ଦିନ ଖେଳ ଶେଷସୁଦ୍ଧା ଉତ୍ତର ପ୍ରଦେଶ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୩୬୧ ରନ୍‍ କରିଛି। ପେସ୍‍ ବୋଲର ବସନ୍ତ ମହାନ୍ତି ୩ଟି ୱିକେଟ ନେଇଥିଲେ ହେଁ ଅଧିନାୟକ ଅକ୍ଷଦୀପ ନାଥ ୧୫୧ ରନ୍‍କରି ଅପରାଜିତ ଥିବା ବେଳେ ପ୍ରିୟମ୍‍ ଗର୍ଗ ଓ ରିଙ୍କୁ ସିଂହ ଅର୍ଦ୍ଧଶତକ ହାସଲକରି ଓଡ଼ିଶା ରାସ୍ତାରେ କଣ୍ଟା ସାଜିଛନ୍ତି। ମ୍ୟାଚ୍‍ ଏବେ ଏପରି ସ୍ଥିତିରେ ପହଞ୍ଚିଛି ଯେ ଓଡ଼ିଶାକୁ ଏବେ କେବଳ ପରାଜୟରୁ ବଞ୍ଚିବା ଲାଗି ସଂଘର୍ଷ କରିବାକୁ ପଡ଼ିବ।
ମଙ୍ଗଳବାର ୨ୟ ଦିନର ପ୍ରଥମ ୧ ଘଣ୍ଟା ଓଡ଼ିଶା ସପକ୍ଷରେ ଥିଲା। ପୂର୍ବଦିନ ପ୍ରଥମ ଇନିଂସରେ ୧ ୱିକେଟ ହରାଇ ୪୨ ରନ୍‍ କରିଥିବା ଉତ୍ତର ପ୍ରଦେଶ ଆଉ ୩୦ ରନ୍‍ ଯୋଗକରି ୩ଟି ୱିକେଟ ହରାଇଥିଲା। ଓପ୍‍ନର ମାଧବ କୌଶିକ ୧୭ ରନ୍‍କରି ବସନ୍ତ ମହାନ୍ତିଙ୍କ ବଲ୍‍ରେ କଟ୍‍ ବିହାଇଣ୍ଡ ହୋଇଥିବା ବେଳେ ମହମ୍ମଦ ସୈଫ୍‍ ୨୮ ରନ୍‍କରି ବସନ୍ତଙ୍କୁ ରିଟର୍ଣ୍ଣ କ୍ୟାଚ୍‍ ଦେଇଥିଲେ। ସମବେତ କ୍ରିକେଟପ୍ରେମୀ ତାରକା ଖେଳାଳି ସୁରେଶ ରୈନାଙ୍କ ବ୍ୟାଟିଂ ଦେଖିବାକୁ ଅପେକ୍ଷା କରିଥିବା ବେଳେ ବାମହାତି ରୈନା ନିରାଶକରି ୧୨ ରନ୍‍କରି ଆଉଟ ହୋଇଥିଲେ। ୭୨ ରନ୍‍ରେ ୪ଟି ୱିକେଟ ହରାଇ ଉତ୍ତର ପ୍ରଦେଶ ଚିନ୍ତାରେ ଥିଲା। ଗତ ମ୍ୟାଚ୍‍ରେ ଶତକ ମାରିଥିବା ଉତ୍ତର ପ୍ରଦେଶର ଦୁଇ ଯୁବ ବ୍ୟାଟ୍‍ସମ୍ୟାନ୍‍ ଅକ୍ଷଦୀପ ନାଥ ଓ ପ୍ରିୟମ୍‍ ଗର୍ଗ ଲମ୍ବା ଭାଗିଦାରୀ କରି ଓଡ଼ିଶାକୁ ନିରାଶ କରିଥିଲେ। ଭୋଜନ ବିରତି ପରେ ପିଚ୍‍ ଓ ବାତାବରଣ ବ୍ୟାଟିଂ ଉପଯୋଗୀ ହୋଇଥିଲା। ଏହାର ଫାଇଦା ଉତ୍ତର ପ୍ରଦେଶ ବ୍ୟାଟ୍‍ସମ୍ୟାନ୍‍ ନେଇଥିଲେ। ଜୁନିୟର ଭାରତୀୟ ଦଳ ପାଇଁ ଖେଳିଥିବା ଅକ୍ଷଦୀପ ଓ ପ୍ରିୟମ୍‍ ୫ମ ୱିକେଟ ପାଇଁ ୩୪ ଓଭରରେ ୧୨୬ ରନ୍‍ ଯୋଗକରି ଦଳ ପାଇଁ ବଡ଼ ସ୍କୋର୍‍ର ମୂଳଦୁଆ ପକାଇଥିଲେ। ଚା’ପାନ ବିରତି ପୂର୍ବରୁ ପ୍ରିୟମ୍‍ ଗର୍ଗଙ୍କୁ ଆଉଟ୍‍କରି ଅଧିନାୟକ ବିପ୍ଳବ ସାମନ୍ତରାୟ ଏହି ଯୋଡ଼ି ଭାଙ୍ଗିଥିଲେ। ପ୍ରିୟମ୍‍ ୯୪ ବଲ୍‍ରୁ ୯ଟି ଚୌକା ସହ ୫୯ ରନ୍‍ କରିଥିଲେ। ପରେ ରିଙ୍କୁ ସିଂହ ଆସି ଚମତ୍କାର ଷ୍ଟ୍ରୋକ୍‍ସବୁ ଖେଳି ଓଡ଼ିଶାକୁ ମ୍ୟାଚ୍‍କୁ ଫେରିବାର ସୁଯୋଗ ଦେଇନଥିଲେ। ୬ଷ୍ଠ ୱିକେଟ ପାଇଁ ରିଙ୍କୁ ଓ ଅକ୍ଷଦୀପ ନାଥ ୧୫୪ ରନ୍‍ ଯୋଗ କରିଥିଲେ; ଯାହା ଦଳକୁ ମଜ୍‍ଭୁତ ସ୍ଥିତିକୁ ନେଇ ପାରିଥିଲା। ଦିନର ଶେଷଆଡ଼କୁ ରିଙ୍କୁ ୧୩୧ ବଲ୍‍ରୁ ୮ଟି ଚୌକା ସହ ୭୨ ରନ୍‍କରି ଦେବବ୍ରତ ପ୍ରଧାନଙ୍କ ପ୍ରଥମ ଶିକାର ହୋଇଥିଲେ। ସୌରଭ କୁମାର ୮ ରନ୍‍କରି ଅପରାଜିତ ଅଛନ୍ତି। ଅକ୍ଷଦୀପ ନାଥ ୨୫୮ ବଲ୍‍ରୁ ଗୋଟିଏ ଛକା ଓ ୨୨ଟି ଚୌକା ସହ ୧୫୧ ରନ୍‍କରି ଅପରାଜିତ ରହିଛନ୍ତି। ବସନ୍ତ ମହାନ୍ତି ୪୪ ରନ୍‍କରି ୩ଟି ୱିକେଟ ନେଇଛନ୍ତି। ବାମହାତି ସ୍ପିନର ପପ୍ପୁ ରାୟଙ୍କଠାରୁ ଓଡ଼ିଶା ବହୁତ ଆଶା ରଖିଥିବା ବେଳେ ସେ ୧୩ ଓଭରରୁ ୭୮ ରନ୍‍ଦେଇ କୌଣସି ୱିକେଟ ପାଇନଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories