ଭୁବନେଶ୍ବର : ଖାରବେଳନଗର ବାସଭବନରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଶେଷ ଦର୍ଶନ କରିଛନ୍ତି। ଆଜି ପୁରୀ ସ୍ଵର୍ଗଦ୍ଵାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ। ଗତକାଲି ପ୍ରଖ୍ୟାତ କବି, ଅବସରପ୍ରାପ୍ତ ପ୍ରଶାସକ ପଦ୍ମଭୂଷଣ ରମାକାନ୍ତ ରଥଙ୍କର ସ୍ଥାନୀୟ ଖାରବେଳନଗରସ୍ଥିତ ବାସଭବନରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ, ରାଜନେତା, ସାହିତ୍ୟିକ ଏବଂ ଶୁେଭଚ୍ଛୁ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ଓଡ଼ିଆ ସାହିତ୍ୟ ଜଗତର ଜଣେ ସଫଳ ସ୍ରଷ୍ଟାଭାବେ ତାଙ୍କର ଥିଲା ଅନବଦ୍ୟ ଅବଦାନ। ବିଶେଷକରି ଆଧୁନିକ ସାହିତ୍ୟର ସେ ଥିଲେ ଅନନ୍ୟ ସ୍ରଷ୍ଟା। ‘ଶ୍ରୀରାଧା’ ଥିଲା ରମାକାନ୍ତଙ୍କର ଏକ ସାର୍ବଜନୀନ କବିତା ସଂକଳନ ଯାହା ସାଧାରଣ ପାଠକଙ୍କୁ ବିମୋହିତ କରିଥିଲା। ଏହାର କଳାତ୍ମକତା, ଲାଳିତ୍ୟ, ଛନ୍ଦ ଓ କାବ୍ୟାକର୍ଷଣ ଉଭୟ କବି ଓ ସମାଲୋଚକଙ୍କ ମୁଖରେ
ଭରିଦେଇଥିଲା ପ୍ରଶଂସା। ଏହି ସଂକଳନ ପାଇଁ ରମାକାନ୍ତଙ୍କୁ ମିଳିଥିଲା ‘ସରସ୍ୱତୀ ସମ୍ମାନ’। ଏତଦ୍ବ୍ୟତୀତ ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’ ‘ଅନେକ କୋଠରୀ’, ‘ଶ୍ରୀ ପଳାତକ’, ‘ସୀମାନ୍ତବାସ’, ‘ଫେରି ଚାହିଁଲେ’, ‘ସବୁଦିନେ ସେପାଖେ’, ‘ନ ଯା ନ ଯା କହୁ କହୁ’, ‘ସରଳ ହୃଦଗଣିତ’, ‘ଜାହାଜ ଆସିବ ଓ ଆଉ କେତୋଟି’ ପାଇଁ ସେ ବେଶ୍ ପରିଚିତ ଥିଲେ। ସେ ଅତ୍ୟନ୍ତ ମେଳାପି ଓ ଶାନ୍ତ ସ୍ବଭାବର ଥିଲେ। ପ୍ରଶାସନିକ ସେବାରୁ ସାହିତ୍ୟ ଜଗତ ପର୍ଯ୍ୟନ୍ତ ସେ ସବୁରି ପ୍ରିୟଭାଜନ ହୋଇପାରିଥିଲେ। ବୃତ୍ତିରେ ପ୍ରଶାସକ ଥିଲେ ହେଁ ନିଶା ଥିଲା ତାଙ୍କ ଲେଖନୀ ଚାଳନା। ପୁରୀର ଦାମୋଦରପୁର ଶାସନ ଥିଲା ତାଙ୍କର ପୈତୃକ ଗ୍ରାମ। ସେ ୧୩ ଡିସେମ୍ବର ୧୯୩୪ରେ କଟକରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ବିଶ୍ବନାଥ ରଥ ଓ ମାତା ଦୁର୍ଗାଦେବୀ। ଇଂରାଜୀରେ ରେଭେନ୍ସାରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର କରିବା ପରେ ସେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ୧୯୯୨ରେ ସେ ଓଡ଼ିଶାର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ୧୯୬୯ରେ ତାଙ୍କର ପ୍ରଥମ କବିତା ସଂକଳନ ‘କେତେ ଦିନର’ ପ୍ରକାଶ ପାଇଥିଲା। କବି ରମାକାନ୍ତ ସନ୍ଥ କବୀରଙ୍କ କବିତାର ମଧ୍ୟ ଅନୁବାଦ କରିଥିଲେ। ତାହା ‘ସେବେ, ଏବେ, ସବୁବେଳେ’ ସଂକଳନରେ ସ୍ଥାନିତ ହୋଇଥିଲା। ୧୯୭୮ରେ ତାଙ୍କ କବିତା ସଂକଳନ ‘ସପ୍ତମ ଋତୁ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ମିଳିଥିଲା। ୧୯୮୪ରେ ‘ସଚିତ୍ର ଅନ୍ଧାର’ ସଂକଳନ ପାଇଁ ତାଙ୍କୁ ସାରଳା ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ରଚିତ କାବ୍ୟକବିତା ଇଂରାଜୀ ଓ ୮ଟି ଭାରତୀୟ ଭାଷାରେ ଅନୂଦିତ। ଏହାସହିତ ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଅକାଦେମିର ଉପ-ସଭାପତି ଏବଂ ୧୯୯୮-୨୦୦୩ ଯାଏଁ ସଭାପତି ଭାବରେ କାର୍ଯ୍ୟ କରିଥିଲେ। ୨୦୦୯ରେ ସେ ସମ୍ମାନଜନକ ସାହିତ୍ୟ ଅକାଦେମି ଫେଲୋସିପ୍ ପାଇଥିଲେ। ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ୨୦୦୬ରେ ପଦ୍ମଭୂଷଣ ଉପାଧିରେ ଭୂଷିତ କରାଯାଇଥିଲା। ଏଥିସହ ସେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ( ୨୦୧୮), ବିଷୁବ ପୁରସ୍କାର(୧୯୯୧), ଝଙ୍କାର କବିତା ପୁରସ୍କାର (୧୯୭୦), ସାରଳା ସମ୍ମାନ (୨୦୧୧) ସାହିତ୍ୟ ଭାରତୀ ସମ୍ମାନ( ୨୦୦୬), କଳିଙ୍ଗ ରତ୍ନ (୨୦୦୯) ଓ ଉତ୍କଳରତ୍ନ (୨୦୧୭) ଆଦି ପୁରସ୍କାର ଲାଭ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ଅନେକ ସାହିତ୍ୟିକ ମତ ରଖିଛନ୍ତି। ତାଙ୍କ ବାସଭବନରେ ପହଞ୍ଚି ବହୁ ରାଜନେତା, ସାହିତ୍ୟିକ, ସାମ୍ବାଦିକ ଓ ଶୁଭେଚ୍ଛୁ ଶେଷଦର୍ଶନ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ଅନ୍ତିମ ଯାତ୍ରାରେ ରମାକାନ୍ତ: ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଆଜି ହେବ ଶେଷକୃତ୍ୟ
Popular Categories



