www.samajalive.in
Sunday, December 14, 2025
26.1 C
Bhubaneswar

ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ବଞ୍ଚାଇବା ବଡ଼ ପୁଣ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସଡ଼କ ସୁରକ୍ଷା ପାଇଁ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଆଜି ଶୁଭାରମ୍ଭ କରାଯାଇଛି। ରାଜ୍ୟ ପରିବହନ ବିଭାଗ ଦ୍ବାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ତାଲିମ ପାଇବେ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ। ଏହାଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ଅବସରରେ କହିଛନ୍ତି।
କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ, ସମାଜ ଓ ଅର୍ଥନୀତିର କ୍ଷତି। ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର। ଏ କ୍ଷେତ୍ରରେ ଚାଳକମାନଙ୍କର ଯେତିକି ଦାୟିତ୍ବ, ସଡକ ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ବ ରହିଛି। ତା’ସହିତ ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ବ ରହିଛି। ତେଣୁ ସେମାନେ ସାମାନ୍ୟ ସହଯୋଗ କଲେ, ଅନେକ ଜୀବନ ରକ୍ଷା କରାଯାଇପାରିବ। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଆମେ ଯଦି ତୁରନ୍ତ ଚିକିତ୍ସା କରିବା, ତେବେ ଆମେ ଅନେକ ଜୀବନ ରକ୍ଷା କରିପାରିବା ବୋଲି ସେ କହିଥିଲେ।
ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକକୁ ୨୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି। ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଏ ଉଦ୍ୟମରେ ସହଯୋଗ କରିବା ପାଇଁ ସେ ନିବେଦନ କରିଥିଲେ।
ବିଭିନ୍ନ ଅଣସରକାରୀ ସଂଗଠନମାନେ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚପ୍ରଶଂସା କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପରିବହନ ବିଭାଗକୁ ଧନ୍ୟବାଦ ଦେବା ସହିତ ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ଏହାର ୱେବସାଇଟ ଓପିଟିଆଇସିଏସ(ଅପଟିକ୍ସ) ଉଦ୍‌ଘାଟନ କରିଥିଲେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଡକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ବିଭାଗୀୟ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ପରିବହନ ଆୟୁକ୍ତ ଅରୁଣ ବୋଥ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories