ନୂଆଦିଲ୍ଲୀ: ସାରା ବିଶ୍ଵରେ ପରିଚିତ କୁଟନୈତିକ ଯୋଗାଯୋଗ କାର୍ଯ୍ୟକ୍ରମ ‘ରାଇସିନା ଡାଏଲଗ’ ଆଜିଠାରୁ ଶୁଭାରମ୍ଭ ହେବ। ଏହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୭ଟି ରାଷ୍ଟ୍ରର ମୁଖ୍ୟ ଅଂଶଗ୍ରହଣ କରିବେ। ଏହି ଅବସରରେ ବିଶ୍ଵ ପାଇଁ ଆହ୍ବାନ ସୃଷ୍ଟି କରିଥିବା ପ୍ରସଙ୍ଗ, ଏଜେଣ୍ଡା ୨୦୩୦, ଆଧୁନିକ ଦୁନିଆରେ ପ୍ରଯୁକ୍ତିବିଦ୍ୟାର ଭୂମିକା, ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦର ମୁକାବିଲା ଭଳି ପ୍ରସଙ୍ଗ ଉପରେ ପ୍ରତିନିଧିମାନେ ବିଚାର ବିମର୍ଶ କରିବେ।
ରାଇସିନା ଡାଏଲଗର ଏହା ୫ମ ସଂସ୍କରଣ। ଭାରତୀୟ ବିଦେଶ ମନ୍ତ୍ରଣାଳୟ ଏବଂ ଅର୍ବେଜର ରିସର୍ଚ୍ଚ ଫାଉଣ୍ଡେଶନ ମିଳିତ ରୂବେ ଏହାର ଆୟୋଜନ କରୁଛନ୍ତି। ଏଥିରେ ପ୍ରାୟ ୧୦୦ ରାଷ୍ଟ୍ରର ୭୦୦ ଅନ୍ତର୍ଜାତୀୟ ପ୍ରତିନିଧି ସାମିଲ ହେବେ। ଏହି ଅବସରରେ ବିଶ୍ଵର ଭୁ-ରାଜନୈତିକ ଏବଂ ଆର୍ଥିକ ପ୍ରସଙ୍ଗ ଉପରେ ମନ୍ଥନ ହେବ। ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରୁଷ, ଇରାନ, ଡେନମାର୍କ, ହଙ୍ଗେରୀ, ମାଳଦ୍ବୀପ, ଦକ୍ଷିଣ ଆଫ୍ରିକା, ଇଷ୍ଟୋନିୟା ଏବଂ ୟୁରୋପୀୟ ସଂଘ ସହିତ ୧୨ ଦେଶର ବିଦେଶ ମନ୍ତ୍ରୀ ମଧ୍ୟ ଯୋଗଦେବେ।
ଇରାନ ସେନାର କମାଣ୍ଡର କାସିମ ସୋଲେମାନିଙ୍କ ହତ୍ୟା ପରେ ଇରାନର ବିଦେଶ ମନ୍ତ୍ରୀ ଜାଭେଦ ଜରୀଫ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ସବୁଠାରୁ ମହତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ସଂଘାଇ ସହଯୋଗ ସଂଗଠନ(ଏସସିଓ)ର ମହାସଚିବ ଏବଂ ରାଷ୍ଟ୍ରସଂଘର ମହାସଚିବ ସାମିଲ ହେବେ। ଆଫଗାନିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା, ଆମେରିକାର ଉପ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଏବଂ ଜର୍ମାନୀ ସହିତ ଅନେକ ଦେଶର ରାଷ୍ଟ୍ରମନ୍ତ୍ରୀ ଏଥିରେ ଯୋଗଦେଇ ନିଜର ମତ ଉପସ୍ଥାପନ କରିବେ। ସମ୍ମିଳନୀର ବିଭିନ୍ନ ଅଧିବେଶନରେ ବିଶ୍ଵର ୩୦ଟି ଥିଙ୍କ୍ ଟ୍ୟାଙ୍କ୍ ବି ନିଜର ମତ ଦେବେ।



