ଧାନଅମଳ ସମୟରେ ବର୍ଷା ଭୟ ; ଚିନ୍ତାରେ ଚାଷୀ 

ବୌଦ୍ଧଜିଲ୍ଲାରେ ୩୫ହଜାର ହେକ୍ଟର ଜମିରେ ଧାନ ଚାଷ ନଷ୍ଟ ଆଶଙ୍କା

ହରଭଙ୍ଗା : ଆସନ୍ତା ୩ ତାରିଖରୁ ବାତ୍ୟା ଜଓାଦ ପ୍ରଭାବରେ ପ୍ରବଳ ବର୍ଷାହେବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଧାନ ଅମଳ ସମୟରେ ବାତ୍ୟା ଏବଂ ବର୍ଷା ଭୟ ଚାଷୀ ଆଖିରୁ ନିଦ ହଜାଇ ଦେଇଛି। ବୌଦ୍ଧ ଭଳି ଏକ କୃଷିପ୍ରଧାନ ଜିଲ୍ଲାରେ ୮୦ ପ୍ରତିଶତ ଲୋକେ ଧାନ ଚାଷ କରିଥାନ୍ତି। ଜିଲ୍ଲାରେ ଧାନ ଅମଳ ଭଲ ହେଉଥିଲେ ମଧ୍ୟ ଅମଳ ସମୟରେ ବର୍ଷା,ବାତ୍ୟା ଭୟ ଚାଷୀଙ୍କୁ ଚିନ୍ତାରେ ପକାଇଛି।

ପ୍ରକାଶ ଯେ ବୌଦ୍ଧଜିଲ୍ଲାର କଂଟାମାଳ,ହରଭଙ୍ଗା ଏବଂ ବୌଦ୍ଧ ଭଳି ତିନୋଟି ବ୍ଲକରେ ଚଳିତ ଖରିଫ ଋତୁରେ ୫୯ହଜାର ୩୦୮ ହେକ୍ଟର ଜମିରେ ଧାନଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଚାଷ ସମୟରେ ଧାର୍ଯ୍ୟ ପରିମାଣରେ ବର୍ଷା ନ ହେବାରୁ ଚଳିତବର୍ଷ ଖରିଫ ଋତୁରେ ୫୩ହଜାର୮୭୨ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ଜଣାପଡିଛି।ଫଳରେ ୫ହଜାର୪୩୬ ହେକ୍ଟର ଧାନଚାଷ ଜମି ପଡିଆ ପଡିଥିବା ସୂଚନା ମିଳିଛି। ଚଳିତ ଖରିଫ ଋତୁରେ ଜିଲ୍ଲାର ତିନୋଟି ବ୍ଲକ ମଧ୍ୟରୁ କଂଟାମାଳରେ ୧୯ହଜାର ୯୯୩ ହେକ୍ଟର ,ହରଭଙ୍ଗାରେ ୧୫ହଜାର୬୯୫ ହେକ୍ଟର ଏବଂ ବୌଦ୍ଧରେ ୨୩ହଜାର ୬୨୦ହେକ୍ଟର ଜମି ଧାନ ଚାଷ ପାଇଁ ରହିଛି।ପ୍ରତିବର୍ଷ କଂଟାମାଳ ବ୍ଲକରେ ଧାନ ଅମଳ ପ୍ରଥମେ ହୋଇଥାଏ।

ଚଳିତବର୍ଷ କଂଟାମାଳ ବ୍ଲକରେ ଛୋଟ ଏବଂ ମଧ୍ୟମ ଧରଣର ଧାନ କଟା ଶେଷ ପର୍ଯ୍ୟାୟରେ ପଂହଚିଛି। ହରଭଙ୍ଗା ଏବଂ ବୌଦ୍ଧ ବ୍ଲକରେ ମାତ୍ର ୧୦ ପ୍ରତିଶତ ଧାନ କଟା ହୋଇଥିବା ବେଳେ ଜିଲ୍ଲାର ତିନି ବ୍ଲକରେ ସମୁଦାୟ ୩୫ ପ୍ରତିଶତ ଧାନ କଟା ସରିଥିବା ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଫଳରେ ଜିଲ୍ଲାରେ ୬୫ ପ୍ରତିଶ୍ରତ ଧାନ କଟା ବାକି ରହିଛି।ଯେହେତୁ ପଡୋଶୀ କନ୍ଧମାଳ ଜିଲ୍ଲାକୁ ଅଧିକ ବାତ୍ୟା ଏବଂ ବର୍ଷା ଭୟ ରହିଛି।ଏହାର ପ୍ରଭାବରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଅଧିକ ବର୍ଷା ହେବା ପୂର୍ବାନୁମାନ କରାଯାଉଛି।ଅମଳ ସମୟରେ ଯଦି ପ୍ରବଳ ବର୍ଷା ହୁଏ ବହୁମାତ୍ରାରେ ପାଚିଲା ଧାନ ନଷ୍ଟ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।

ଏହାକୁ ଦୃଷ୍ଟିରେ ରଖି କଟା ହୋଇଥିବା ଧାନକୁ ଶୀଘ୍ର ବିଲରୁ ଘରକୁ ନେଇଯିବା ସହିତ କଟା ହୋଇଥିବା ଧାନରେ ଲୁଣ ପାଣି ସ୍ପ୍ରେ ପାଇଁ ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଏ ସର୍ମ୍ପକରେ ଜିଲ୍ଲା କୃଷି ଅଧିକାରୀ ଶାରଦା ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ବର୍ତମାନ ସୁଦ୍ଧା ଜିଲ୍ଲାରେ ୩୫ ପ୍ରତିଶତ ଧାନ କଟା ସରିଛି। ଆହୁରି ୬୫ ପ୍ରତିଶତ ଧାନ କଟା ବାକି ରହିଛି। ବୌଦ୍ଧ ଜିଲ୍ଲା ହଳଦିଆ ଜୋନରେ ନାହିଁ ,ମାତ୍ର କନ୍ଧମାଳ ଜିଲ୍ଲାରେ ବର୍ଷା ପ୍ରଭାବ ଯୋଗୁଁ ବୌଦ୍ଧରେ ମଧ୍ୟ ବର୍ଷା ହେବା ସମ୍ଭାବନା ରହିଛି।ବର୍ଷାକୁ ଦୃଷ୍ଟିରେ ରଖି ଧାନକ୍ରୟ ତାରିଖ ଆସନ୍ତା ୭ରୁ ୧୪କୁ ଘୁଂଚେଇ ଦିଆଯାଇଛି। ବର୍ଷାହେଲେ ଧାନ ଫସଲ ନଷ୍ଟ ହେବା ନିଶ୍ଚିତ କହିବା ସହିତ ବିଲରେ ଠିଆ ଅବସ୍ଥାରେ ଥିବା ଧାନକୁ ନକାଟିବା ପାଇଁ ସେ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି।

 

Comments are closed.