ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଆସାମରେ : ୧୯୨, ଗୁଜରାଟରେ ୮୩, କର୍ଣ୍ଣାଟକରେ ୩୨ ମୃତ

ଅହମଦାବାଦ : ମୌସୁମୀ ବାୟୁ ଓ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଦେଶରେ ସାଧାରଣ ଜୀବନ ଯାତ୍ରା ବେହାଲ ହୋଇପଡିଛି। ବିଶେଷକରି ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲଙ୍ଗାନା, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଆସାମ ଓ କେରଳରେ ବର୍ଷା ଯୋଗୁଁ ବନ୍ୟା ଓ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ତେବେ ଗୁଜରାଟର ବନ୍ୟା ପରିସ୍ଥିତି ସବୁଠାରୁ ଗମ୍ଭୀର ହୋଇଛି। ବନ୍ୟା ଯୋଗଁୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪ଜଣଙ୍କର ମୃତ୍ୟୁ ହୋଇଛି। ଏହାଦ୍ବାରା ରାଜ୍ୟରେ ବନ୍ୟା ଜନିତ ମୋଟ ମୃତ୍ୟୁସଂଖ୍ୟା ୮୩ରେ ପହଞ୍ଚିଛି। ରବିବାରଠାରୁ ରାଜକୋଟ, ଅହମଦାବାଦ ସମେତ ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ବନ୍ୟା ଅଞ୍ଚଳରୁ ୩୧,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍‌ର ୧୮ଟି ବାହିନୀ ମୁତୟନ ହୋଇଛନ୍ତି। ନଭସରି, ଭାଲସାଦ, ଡାଙ୍ଗ, ନର୍ମଦା, ଛୋଟା ଉଦେପୁର ଓ ପଞ୍ଚମହଲ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। କଚ୍ଛ, ନଭସରି ଓ ଡଙ୍ଗରେ ରାଜ୍ୟ ରାଜପଥଗୁଡିକ ପାଣିରେ ବୁଡି ରହିଥିବାରୁ ଯାନବାହନ ଚଳାଚଳ ବନ୍ଦ ରହିଛି। ୫୧ଟି ରାଜ୍ୟ ରାଜପଥ ଓ ୪୦୦ ପଞ୍ଚାୟତ ରାସ୍ତା ନଷ୍ଟ ହୋଇଛି। ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଗୁଜରାଟ ପାଇଁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବନ୍ୟା ଅଞ୍ଚଳ ପରିଦର୍ଶନ କରି ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି।
ମହାରାଷ୍ଟ୍ରରେ ବର୍ଷା ବିତ୍ପାତ ଜନିତ ଅଧିକ ଜୀବନହାନି ଘଟିଛି। ରାଜ୍ୟର ନାଗପୁର, ଅମରାବତୀ, ୱାର୍ଦ୍ଧା, ବାନ୍ଦ୍ରା, ଆକୋଲା, ଗଡଚିରୋଲି, ୟାବତମାଳା, ବୁଲଧାନା, ଚନ୍ଦ୍ରପୁର ଜିଲାରେ ସର୍ବାଧିକ ବର୍ଷା ବିତ୍ପାତ ଘଟିଛି। ନାଗପୁରରେ ଏକ ଏସୟୁଭି ପାଣିରେ ବୁଡି ରହିଥିବା ରାସ୍ତା ଅତିକ୍ରମ କରିବା ସମୟରେ ଓଲଟି ପଡିବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଭାସାଇ ଅଞ୍ଚଳରେ ମାଟି ଅତଡା ଧସି ଏକ ଘର ପୋତି ହୋଇଯିବାରୁ ୪ଜଣ ପୋତି ହୋଇଯାଇଛନ୍ତି। ଏନଡିଆରଏଫ୍ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛି।
କର୍ଣ୍ଣାଟକରେ ମଧ୍ୟ ବନ୍ୟା ଦେଖାଦେଇ ୩୨ଜଣଙ୍କର ଜୀବନ ହାନି ଘଟିଛି। ତିନିଟି ଜିଲାର ୩୦୦ ଲୋକ ରିଲିଫ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ମଖ୍ୟମନ୍ତ୍ରୀ ବସଭରାଜ ବୋମାଇ ୫୦୦ କୋଟି ଟଙ୍କାର ରିଲିଫ ଘୋଷଣା କରିଛନ୍ତି। ଦକ୍ଷିଣ କନ୍ନଡ, ଉଡୁପି, ଉତ୍ତର କନ୍ନଡ ଜିଲାରେ ବନ୍ୟା ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି।
ତେଲଙ୍ଗାନାରେ ମଧ୍ୟ ବର୍ଷା ଜନିତ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଡିଲାବାଦ, ୱାରାଙ୍ଗାଲା, କରିମନଗର, ପେଡାପାଲି, କୋଥାଗୁଡେମ, ଜୟଶଙ୍କର ଅଞ୍ଚଳରେ ବନ୍ୟା ଦେଖାଯାଇଛି। ତେଲଙ୍ଗାନାର ୧୧ଟି ଜିଲା ପାଇଁ ପାଣିପାଗ ବିଭାଗ ବର୍ଷା ରେଡ ଆଲଟ୍‌ ଜାରି କରିଛି। ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି।
ଆସାମରେ ଚଳିତ ବର୍ଷ ଦ୍ବିତୀୟ ପର୍ଯ୍ୟାୟ ବନ୍ୟା ଲାଗିରହିଛି। ଏବେ ସୁଦ୍ଧା ପାଖାପାଖି ୩ଲକ୍ଷ ଲୋକ ରିଲିଫ ଶିବିରରେ ଅଛନ୍ତି। ରାଜ୍ୟରେ ଚଳିତ ବର୍ଷର ବନ୍ୟା ମୃତ୍ୟୁସଂଖ୍ୟା ୧୯୨ରେ ପହଞ୍ଚିଲାଣି। ଚାଚର ଜିଲା ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ ୧ଲକ୍ଷ ୬୮ ହଜାର​‌ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଏହା ପଛକୁ ମୋରିଗାଓଁ ଓ ନାଓଗାଁ ଅଧିକ ମାତ୍ରରେ ବନ୍ୟାରେ ପ୍ରଭାବିତ ହୋଇଛି।
ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳ (ଏନସିଆର)ରେ ମଧ୍ୟ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ପାଣିପାଗ ବିଭାଗର କହିବା ଅନୁଯାୟୀ ଘାଜିଆବାଦ, ଦାଦ୍ରି, ନଇଡାରେ ଲଗାଣ ବର୍ଷା ହୋଇଛି। ଉତ୍ତରାଖଣ୍ଡରେ ବର୍ଷା ଯୋଗୁଁ ମାଟି ଅତଡା ଧସି ବଦ୍ରିନାଥ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ହୋଇଛି। ରାସ୍ତା ବନ୍ଦ ଯୋଗୁଁ ଏକ ବର ଓ ବରଯାତ୍ରୀ ଦଳ ରାସ୍ତାରେ ଫସି ରହିବା ଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ରାଜସ୍ଥାନ ଆଜମେରରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି।

kalyan agarbati

Comments are closed.