ଚାରିଦିନ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ସକ୍ରିୟ ହୋଇଛି। ଓଡ଼ିଶା ଉପରେ ଥିବା ମୌସୁମି ଟ୍ରଫଲାଇନ ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳରେଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତାକାଲିଠାରୁ ୧୫ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ। ଏଥିସହିତ ଆସନ୍ତା ୪ଦିନ ଧରି ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ବର୍ଷା ସ୍ୱାଭାବିକଠାରୁ କମ୍‍ ରହିଛି। ଅଧିକାଂଶ ଅଞ୍ଚଳରେ ଦୁଇଦିନ ହେଲା ପାଗ ମେଘୁଆ ଥିଲେ ହେଁ ବିଶେଷ ବର୍ଷା ହୋଇନାହିଁ। ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବିଶେଷ ଆଗେଇ ପାରିନି। ଏବେ ମୌସୁମି ସକ୍ରିୟ ହେବାକୁ ଲଘୁଚାପ ହିଁ ଭରସା। ତେଣୁ ୪୮ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ହେଲେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହିତ ଚାଷ କାର୍ଯ୍ୟରେ ଅଗ୍ରଗତି ଘଟିବ ବୋଲି କୃଷି ବିଜ୍ଞାନୀ ଆକଳନ କରୁଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୨୭ମିମି ବର୍ଷା ହୋଇଥିବାବେଳେ ମାଲକାନଗିରିରେ ୧୬ ମିମି ବର୍ଷା ହୋଇଛି। ଅନ୍ୟାନ୍ୟ ଅଞ୍ଚଳରେ ବିଶେଷ ବର୍ଷା ହୋଇନାହିଁ। ତେବେ ଆସନ୍ତାକାଲିଠାରୁ ୧୫ ପର୍ଯ୍ୟନ୍ତ ବର୍ଷା ପରିମାଣ ବଢ଼ିବ। ଆସନ୍ତାକାଲି ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ କଟକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡ଼ା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଅନୁଗୋଳରେ ବର୍ଷାର ସମ୍ଭାବନା ରହିଛି। ୧୩ ଓ ୧୪ରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଲଘୁଚାପ ପ୍ରଭାବରେ ଅଧିକ ବର୍ଷାର ସମ୍ଭାବନା ରହିଛି।

Leave A Reply