www.samajalive.in
Sunday, December 7, 2025
26.1 C
Bhubaneswar

ଓଡିଶାକୁ ରେଳ ଅନୁଦାନ

ଭୁବନେଶ୍ୱର : ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାରେ ରେଳପଥ ବିକାଶ ପାଇଁ ବଜେଟରେ ୧୦,୫୮୬ କୋଟି ଟଙ୍କା ଆବଣ୍ଟନ ହୋଇଥିଲା। ଏପର୍ଯ୍ୟନ୍ତ ଏଥିରୁ ୮୧.୭୮% ଖର୍ଚ୍ଚ ହୋଇଛି। ଅର୍ଥାତ୍‌ ମୋଟ ଆବଣ୍ଟିତ ଅର୍ଥର ୮୬୫୭ କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯାଇଛି। ସଂଯୋଗୀକରଣ, ସୁରକ୍ଷା ଏବଂ ଭିତ୍ତିଭୂମି ଉନ୍ନତ କରାଯାଇଛି। ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮,୧୧୮ କୋଟି ଟଙ୍କା ୮ଟି ନୂତନ ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଗୁଣୁପୁର-ଥେରୁବାଲି ନୂତନ ଲାଇନ। ୧୩୨୬ କୋଟି ଖର୍ଚ୍ଚରେ ଏହି ନୂତନ ଲାଇନ ରାୟଗଡ଼ା ଜିଲା ପାଇଁ ଲାଭଦାୟକ ହେବ। ଜୁନାଗଡ଼ ରୋଡ଼-ନବରଙ୍ଗପୁର ନୂତନ ଲାଇନ (୧୧୬.୨୧ କିଲୋମିଟର) ପାଇଁ ୩୨୭୪ କୋଟି ଖର୍ଚ୍ଚ ହୋଇଛି। ଏହି ଲାଇନ୍‌ କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାକୁ ସଂଯୋଗ କରିବ। ମାଲକାନଗିରି-ପାଣ୍ଡୁରଙ୍ଗପୁରମ ନୂତନ ଲାଇନ (୧୭୩.୬୧ କିଲୋମିଟର) ପାଇଁ ୪୧୦୯ କୋଟି ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନାକୁ ସଂଯୋଗ କରିବ। ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ଲାଇନ (୮୨.୦୬ କିଲୋମିଟର) କେଉଁଝର ଏବଂ ମୟୂରଭଞ୍ଜ ଜିଲାକୁ ଲାଭଦାୟକ ହେବ ଏବଂ ଏଥିପାଇଁ ୨୧୦୭ କୋଟି ଟଙ୍କା ଖର୍ଚ୍ଚ ହେବ। ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ଲାଇନ (୮୫.୬୦ କିଲୋମିଟର) ପାଇଁ ମୟୂରଭଞ୍ଜ ଜିଲାରେ ୨୫୪୯ କୋଟି ଟଙ୍କାର ନିବେଶ କରାଯିବ। ବୁଡ଼ାମରା-ଚକୁଳିଆ ନୂତନ ଲାଇନ (୫୯.୯୬ କିଲୋମିଟର) ପାଇଁ ୧୬୩୯ କୋଟି ଖର୍ଚ୍ଚ କରାଯିବ। ଏହି ପ୍ରକଳ୍ପ ମୟୂରଭଞ୍ଜ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ସଂଯୋଗ କରୁଛି। ବରଗଡ଼ ରୋଡ୍‌ରୁ ନୂଆପଡା ରୋଡ୍ (୧୩୮.୩୨ କିଲୋମିଟର) ପାଇଁ ୨୬୨୧.୯୨ କୋଟି ଖର୍ଚ୍ଚ ହେବ। ଏହାଦ୍ବାରା ପଶ୍ଚିମ ଓଡ଼ିଶାରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ। ପୁରୀ-କୋଣାର୍କ ରେଳ ଲାଇନ (୩୨ କିଲୋମିଟର) ପାଇଁ ୪୯୨ କୋଟି ମଞ୍ଜୁର ହୋଇଥିବାବେଳେ ଏହା ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳ ଗୁଡ଼ିକୁ ସଂଯୋଗ କରିବ। ରେଳ ସେବାକୁ ଆଧୁନିକୀକରଣ କରିବା ପାଇଁ ୧୧୭୩.୧୨ କୋଟି ଟଙ୍କାର ୫ଟି ପ୍ରମୁଖ ରେଳ ଫ୍ଲାଏଓଭର ମଞ୍ଜୁର କରାଯାଇଛି। ଏଥିସହିତ ଗୋଟିଏ ଡବଲ୍ ଲାଇନ ଫ୍ଲାଏ ଓଭରର ଏଫ୍‌ଏଲ୍‌ଏସ୍‌ ପାଇଁ ମଞ୍ଜୁରୀ ମିଳିଛି।
ସମ୍ବଲପୁର ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନ (୮.୧୦ କିଲୋମିଟର) ସମ୍ବଲପୁର ମୁଖ୍ୟ ଷ୍ଟେସନରୁ ଯାତାୟାତକୁ ସହଜ କରିବା ପାଇଁ ସମ୍ବଲପୁର ସହର ଏବଂ ସରଳା ଷ୍ଟେସନକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଫ୍ଲାଏଓଭର ପ୍ରକଳ୍ପ ପାଇଁ ୨୮୮.୬୧ କୋଟି ଟଙ୍କା ଖର୍ଚ୍ଚ ହେବ। ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ରେଳ ଫ୍ଲାଏଓଭର: ପୁରୀରୁ ଭୁବନେଶ୍ୱର ଯାଉଥିବା ଟ୍ରେନ୍ ପାଇଁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍‌ରେ ଟ୍ରେନ୍ ଟ୍ରାଫିକ୍ ଭିଡ଼ ଦୂର କରିବା ପାଇଁ ୧୯୧.୮୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଧାକିଶୋରପୁର-ମାଛପୁର (୧୦.୮୯ କିମି)କୁ ସଂଯୋଗ କରୁଥିବା ରେଳ ଫ୍ଲାଏଓଭର: କଟକ ନିକଟସ୍ଥ ରାଜଆଠଗଡ଼, ରାଧାକିଶୋରପୁର ଏବଂ ମାଛପୁର ରେଳ ଷ୍ଟେସନକୁ ସଂଯୋଗ କରୁଥିବା ଟ୍ରେନ୍ ଟ୍ରାଫିକ୍ ଭିଡ଼ ଦୂର କରିବା ପାଇଁ ୨୬୮.୯୨ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଚୁରି ମିଳିଛି। ଟିଟିଲାଗଡ଼ ରେଳ ଫ୍ଲାଏଓଭର (୮.୧୧ କିମି) ଏହି ଅଞ୍ଚଳରେ ଟ୍ରେନ୍ ପରିଚାଳନାକୁ ସହଜ କରିବା ପାଇଁ ୧୮୩.୮୯ କୋଟି ଟଙ୍କା ବିନିଯୋଗ ହେବ। ରାୟଗଡ଼ାରେ ସିଙ୍ଗାପୁର ରୋଡ୍ ଷ୍ଟେସନ୍ (୫.୫୦ କିମି) ରାୟପୁର-ବିଜୟନଗରମ୍ ରେଳ ଲାଇନରେ ଭିଡ଼ ହ୍ରାସ କରିବା ପାଇଁ ୨୩୯.୮୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାବ୍ୟତୀତ ସୁନ୍ଦରଗଡ଼ ଜିଲାର ଲାଜକୁରାରେ ଡବଲ୍ ଲାଇନ ଫ୍ଲାଏଓଭର ପାଇଁ ଫାଇନାଲ୍ ଲୋକେସନ୍‌ ସର୍ଭେ (ଏଫ୍‌ଏଲ୍‌ଏସ୍‌) ମଧ୍ୟ ରେଳ ଭିତ୍ତିଭୂମିର ଉନ୍ନତି ଏବଂ ରେଳ ପରିବହନର ଦକ୍ଷତା ବୃଦ୍ଧି ପାଇଁ ମଞ୍ଜୁର କରାଯାଇଛି। ୧୯୯୪-୯୫ରେ ମଞ୍ଜୁର ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ପାଇଁ ବିଳମ୍ବ ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ପ୍ରକଳ୍ପ ପାଇଁ ୧୧୬୦ କୋଟି ବ୍ୟୟବରାଦ ହେବା ସହିତ ଜାନୁଆରୀ ୨୦୨୫ ସୁଦ୍ଧା ପ୍ରାୟ ୯୧୩ କୋଟି ଖର୍ଚ୍ଚ ହୋଇଛି। ଆଶା କରାଯାଉଛି, ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଖର୍ଚ୍ଚ ପରିମାଣ ୧୧୦୦ କୋଟିରୁ ଅଧିକ ହେବ। ଓଡ଼ିଶା ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସହଜ କରିଛନ୍ତି ଏବଂ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ମିଳିଛି। ଚଳିତ ଆର୍ଥିକ ବର୍ଷରେ ସୋନପୁର ଏବଂ ପୁରୁଣା କଟକ ମଧ୍ୟରେ ୭୪ କିଲୋମିଟର ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍‌ ପ୍ରକଳ୍ପ ପାଇଁ ରେଳ ଲାଇନ୍‌ ନିର୍ମାଣ କାର୍ଯ୍ୟ ଲକ୍ଷ୍ୟ ଧାର୍ଯ୍ୟ ପୂର୍ବରୁ ସମାପ୍ତ ହୋଇସାରିଛି। ଭୁବନେଶ୍ୱର, ପୁରୀ ଏବଂ କଟକ ରେଳ ଷ୍ଟେସନଗୁଡ଼ିକର ପୁନର୍ବିକାଶ ଦିଗରେ କାର୍ଯ୍ୟ ଚାଲିଛି। ଭୁବନେଶ୍ୱର ରେଳ ଷ୍ଟେସନ ପାଇଁ ୨୬୯ କୋଟିରୁ ଅଧିକ ଖର୍ଚ୍ଚ ହୋଇଛି ଏବଂ ପ୍ରକଳ୍ପ କାର୍ଯ୍ୟ ୬୦% ସମ୍ପୂର୍ଣ୍ଣ ହୋଇଛି। ଜୁନ୍ ୨୦୨୨ରେ ରେଳ ବୋର୍ଡ ଦ୍ୱାରା ଭୁବନେଶ୍ୱର ଷ୍ଟେସନର ପୁନର୍ବିକାଶ କାର୍ଯ୍ୟକୁ ମଞ୍ଜୁର କରାଯାଇଥିଲା। କାର୍ଯ୍ୟ ଆଗେଇବା ସହିତ ଷ୍ଟେସନର ଉଭୟ ପାର୍ଶ୍ୱରେ କୋଠା ନିର୍ମାଣ ଶେଷ ହୋଇଛି। ମୁଖ୍ୟ ପ୍ରବେଶ (ପଶ୍ଚିମ) ପାର୍ଶ୍ୱରେ ଉଚ୍ଚ ରାସ୍ତାର କାମ ଆରମ୍ଭ ହୋଇଛି। ଏହା ବ୍ୟତୀତ ପୁରୀ ରେଳ ଷ୍ଟେସନରେ ୫୦କୋଟି ଟଙ୍କା ଏବଂ କଟକ ରେଳ ଷ୍ଟେସନରେ ୧୬୮.୩୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ରେଳ ମନ୍ତ୍ରଣାଳୟ ଓଡ଼ିଶାରେ ଯାତାୟାତ ସଂଯୋଗ ବୃଦ୍ଧି, ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଏବଂ ରେଳ ପରିବହନରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ। ଦୃଢ଼ ନିବେଶ, ରାଜ୍ୟ କର୍ତ୍ତୃପକ୍ଷଙ୍କ ସହିତ ସକ୍ରିୟ ସହଯୋଗ ଏବଂ ଅକ୍ଳାନ୍ତ ପରିଶ୍ରମ ସହିତ ଆଗାମୀ ବର୍ଷଗୁଡ଼ିକରେ ଓଡ଼ିଶାରେ ରେଳ ନେଟୱାର୍କ ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ସହିତ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories