ଲୋକସଭାକୁ ଫେରିଲେ ରାହୁଲ; କଂଗ୍ରେସର ଉତ୍ସବ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୀର୍ଘ ୪ ମାସ ବ୍ୟବଧାନରେ ସଂସଦକୁ ଫେରିଛନ୍ତି। ଏଥିନେଇ କଂଗ୍ରେସ ନେତା ଓ କର୍ମୀ ଉତ୍ସବ ପାଳନ କରିଛନ୍ତି। ‘ମୋଦୀ ସାଙ୍ଗିଆ’ ମାମଲାରେ ସୁରତ ଅଦାଲତ ରାୟ ଉପରେ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ରହିତାଦେଶ ଦେବା ପରେ ସୋମବାର ଲୋକସଭା ସଚିବାଳୟ ପକ୍ଷରୁ ମାର୍ଚ୍ଚ ୨୩ରେ ଜାରି ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରତ୍ୟାହାର ସହ ଏହାକୁ ପୁନର୍ବାହଲ କରାଯିବାର ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେହି ଆଧାରରେ ୱାୟାନାଡ଼ ସାଂସଦ ରାହୁଲ ସଂସଦକୁ ଫେରିଥିଲେ। ସଂସଦ ଭବନ ପରିସରସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ରାହୁଲ ପ୍ରଣାମ କରିବା ସହ ଲୋକସଭାରେ ପ୍ରବେଶ କରି ନିଜ ଆସନରେ ବସିବା ପରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଲୋକସଭା ସଚିବାଳୟକୁ ଏହି ନିଷ୍ପତ୍ତି ପାଇଁ ସାଧୁବାଦ ଜଣାଇଥିଲେ। ବିଜେପି ସରକାର ଅବଶିଷ୍ଟ କାର୍ଯ୍ୟକାଳ ଗଣତନ୍ତ୍ରକୁ ବଦନାମ କରିବା ଓ ବିରୋଧୀ ନେତାଙ୍କୁ ନିଶାଣ କରିବା ପରିବର୍ତ୍ତେ ଏହି ସମୟକୁ ସୁଶାସନ ପ୍ରଦାନରେ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କ ବାସଭବନ ୧୦, ଜନପଥ ଓ ଦଳ ମୁଖ୍ୟାଳୟ ସମ୍ମୁଖରେ ନୃତ୍ୟ ପରିବେଷଣ ସହ ଉତ୍ସବ ପାଳନ କରାଯାଇଥିଲା। କଂଗ୍ରେସ ପକ୍ଷରୁ ଏହାକୁ ‘ଘୃଣା ବିପକ୍ଷରେ ପ୍ରେମର ବିଜୟ’ ବୋଲି ବାର୍ତ୍ତା ଦେଇଥିବାବେଳେ ସାଂସଦ ଶଶୀ ତରୁର ନ୍ୟାୟ ଓ ଗଣତନ୍ତ୍ରର ବିଜୟ ବୋଲି ବର୍ଣ୍ଣନା କରିଥିଲେ। ସଂସଦ ଭବନ ପରିସରରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ନେତାମାନେ ପରସ୍ପରଙ୍କୁ ମିଠା ଖୁଆଇଥିଲେ। ମଙ୍ଗଳବାରଠାରୁ କଂଗ୍ରେସ ପକ୍ଷରୁ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବାକୁ ଥିବାବେଳେ ରାହୁଲ ଏଥିରେ ଅଂଶଗ୍ରହଣ କରିବା ସମ୍ଭାବନା ରହିଛି। ଅପରପକ୍ଷରେ ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି ଯେ ରାହୁଲଙ୍କ ବିରୋଧରେ ବୀର ସବରକରଙ୍କୁ ଅପମାନ କରିବା ମାମଲା ସହିତ ଆହୁରି ବହୁ ଆପରାଧିକ ମାନହାନି ମାମଲା ରହିଛି।

Comments are closed.