ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉତ୍ତରପ୍ରଦେଶର ଆମେଠି ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ଏହି ଅବସରରେ ସେ ଆମେଠିରେ ଏକେ-୨୦୩ ବନ୍ଧୁକ ତିଆରି କାରଖାନା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହାର ଦିନକ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କୁ ସମାଲୋଚନା କରିବା ସହ ସେ ମିଛ କହୁଛନ୍ତି ବୋଲି କହିଛନ୍ତି।
ରାହୁଲ ତାଙ୍କ ଟୁଇଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ସେ ନିଜେ ୨୦୧୦ରେ ଆମେଠିରେ ଗୋଳାବାରୁଦ କାରଖାନା ତିଆରି ପାଇଁ ଶିଳାନ୍ୟାସ କରିଥିଲେ। କାରଖାନା ନିର୍ମାଣ ପରେ ସେଠାରେ କିଛିବର୍ଷ ଧରି ଅସ୍ତ୍ରଶସ୍ତ୍ର ତିଆରି ଚାଲିଛି। ମୋଦୀ ପୁଣି ସେଠାରେ କାରଖାନା ପାଇଁ ଶିଳାନ୍ୟାସ କରିଛନ୍ତି। ଏହାଦ୍ବାରା ମୋଦୀ ଲୋକଙ୍କୁ ମିଛ କହିଛନ୍ତି। ଆପଣଙ୍କୁ କ’ଣ ଲଜ୍ଜା ଲାଗୁନାହିଁ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
ମୋଦୀ ଅମେଠି ଗସ୍ତ ବେଳେ କଂଗ୍ରେସକୁ ସମାଲୋଚନା କରି କହିଥିଲେ ଯେ, ବର୍ତ୍ତମାନ ଆମେଠିର ପରିଚୟ କୌଣସି ନେତା କିମ୍ବା ପରିବାରକୁ ନେଇ ହେବନାହିଁ। ଏଠାରେ ନିର୍ମାଣ ହେବାକୁ ଥିବା କାରଖାନାକୁ ନେଇ ଆମେଠିର ନୂଆ ପରିଚୟ ହେବ। ସୂଚନାଯୋଗ୍ୟ, ଆମେଠି କଂଗ୍ରେସର ଗଡ଼ ଭାବେ ଜଣାଶୁଣା।



