ଆଜି ଶ୍ରୀଜୀଉ ମାନଙ୍କ ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ମାନଙ୍କ ସୁନାବେଶ ହେବ । ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତ ମାନଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଆଜି ହରିଶୟନ ଏକାଦଶୀ ତିଥି ଥିବାରୁ ରଥ ଉପରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ । ବଡ଼ ତଢ଼ାଉ ବେଶ ଭାବେ ଏହା ପରିଚିତ। ହୀରାନୀଳା ଖଚିତ ବିଭିନ୍ନ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହେବେ ମହାପ୍ରଭୁ । ସନ୍ଧ୍ୟା ଆଳତି ପରେ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯିବ। ଏହାପରେ ଦାରୁବ୍ରହ୍ମଙ୍କୁ ସୁନାବେଶ କରାଯିବ। ଅପରାହ୍ଣ ୫ଟାରେ ସୁନାବେଶ ଆରମ୍ଭ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି। ତେବେ ଦିନ ୨ଟା ସୁଦ୍ଧା ଠାକୁରଙ୍କୁ ସୁନାବେଶ କରାଇବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଚାଲିଛି।
ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଆକର୍ଷଣୀୟ ସୁନାବେଶରେ ମହାପ୍ରଭୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେବେ। ୧୦ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସିଂହଦ୍ବାରଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ବ୍ୟାରିକେଡ୍ କରାଯାଇଛି। ରାତିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ସୁନା ଅଳଙ୍କାର ବାହାର କରାଯାଇ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ମଇଲମ ଏବଂ ମହାସ୍ନାନ ପୂଜା ଅନୁଷ୍ଠିତ ହେବ। ରାତିରେ ଶୟନ ଠାକୁରଙ୍କୁ ବିଜେ କରାଯିବ। ହରିଶୟନ ନୀତି ଶେଷହେବା ପରେ ରଥରେ ପ୍ରଭୁଙ୍କୁ ପହୁଡ଼ କରାଯିବ।
ଗତକାଲି ଶ୍ରୀଜୀଉ ମାନଙ୍କ ବାହୁଡ଼ାଯାତ୍ରା ଶେଷ ହୋଇଛି । ଜନ୍ମବେଦୀରୁ ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରୁ ଶ୍ରୀମନ୍ଦିର ସିଂହଦ୍ବାରକୁ ଫେରିଛନ୍ତି ଦାରୁବ୍ରହ୍ମ । ସନ୍ଧ୍ୟାରେ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଛନ୍ତି ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ରଥ। ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରାରେ ସାମିଲ ହୋଇଛନ୍ତି। ନିର୍ଦ୍ଧାରିତ ସମୟର ୪ଘଣ୍ଟା ପୂର୍ବରୁ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ଏବଂ ରଥଟଣା କରାଯାଇଥିଲା।
Comments are closed.