ଶ୍ରୀମନ୍ଦିର ଗର୍ଭଗୃହ ଅନୁଧ୍ୟାନ କଲେ ବିଶେଷଜ୍ଞ
ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ସ୍ଥିତି ଗୁରୁବାର ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ। ଜାତୀୟ ଐତିହ୍ୟ ପ୍ରାଧିକରଣ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସାଙ୍କ ନେତୃତ୍ୱରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା, ରାଜ୍ୟ ପୂର୍ତ୍ତ ବିଭାଗ ଏବଂ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ସେଥିରେ ଅଂଶ ଗ୍ରହଣ କରିଥିଲେ। ଗର୍ଭଗୃହର କାନ୍ଥ ଓ ଚଟାଣ ସମେତ ଗରମ ବାମ୍ଫ ନିଷ୍କାସନ ବ୍ୟବସ୍ଥା ସେମାନେ ଯାଞ୍ଚ କରିଛନ୍ତି। ମୁଷାଙ୍କ ଦୌରାତ୍ମ୍ୟ ଯୋଗୁଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଆଶଙ୍କା ଥିବାରୁ ଗଳିଆ ମରାମତି ପାଇଁ ସ୍ଥିର କରାଯାଇଛି। ଜଗମୋହନ, ନାଟମଣ୍ଡପ, ଭୋଗ ମଣ୍ଡପ, ରୋଷଘର ଏବଂ ପାଶ୍ୱର୍ ଦେବାଦେବୀ ମନ୍ଦିର ସ୍ଥିତି ସେମାନେ ଯାଞ୍ଚ କରିଛନ୍ତି ।
ଗର୍ଭଗୃହ ସମେତ ଜଗମୋହନ କାନ୍ଥରୁ କଳା ଛଡାଯିବ । ଜଗମୋହନ ଓ ନାଟମଣ୍ଡପ ସଂଯୋଗସ୍ଥଳ ସ୍ଥିତି ସମ୍ପର୍କରେ କମିଟି ଅନୁଧ୍ୟାନ କରିଛି । ଗରୁଡ ସ୍ତମ୍ବ ଉପରେ ବିମ୍ ମରାମତିର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଛି । ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ପୂର୍ବରୁ ରୋଷଶାଳା ଏବଂ ଭୋଗମଣ୍ଡପ ଘର ଚଟାଣରେ ଖଣ୍ଡୋଲାଇଟ୍ ପଥର ପକାଯିବ। କେତେକ ପାଶ୍ୱର୍ ଦେବଦେବୀ ମନ୍ଦିର ଛାତରୁ ପାଣି ଗଳୁଥିବାରୁ ଜରୁରୀ ମରାମତି ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ବାର୍ଷିକ ରକ୍ଷଣାବେକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ସଂରକ୍ଷଣ କାର୍ଯ୍ୟ ଅଗ୍ରାଧିକାର ଭିତରେ କରିବା ପାଇଁ ଐତିହ୍ୟ ପ୍ରାଧିକରଣ ଅଧ୍ୟକ୍ଷ ପ୍ରଫେସର ବାସା ନିର୍ଦେଶ ଦେଇଛନ୍ତି। ସେହିପରି ସିଂହଦ୍ୱାର ରୁପା ଛାଉଣି କାର୍ଯ୍ୟ ବିଶେଷଜ୍ଞ ମାନେ ଦେଖିବା ସହ ସେଥିରେ ପାରମ୍ପରିକ ଉତ୍କଳୀୟ ସଂସ୍କୃତି ଓ କାରୁକାର୍ଯ୍ୟକୁ ସ୍ଥାନିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଏସ୍ଆଇ ଅଧୀକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ଡି.ଏସ୍ ଗଡନାୟକ, ପ୍ରାକ୍ତନ ଆଞ୍ଚଳିକ ନିର୍ଦେଶକ ଡଃ ଏ.କେ ପଟେଲ, ରାସ୍ତା ଓ ଗୃହ ନିର୍ମାଣ ମୁଖ୍ୟଯନ୍ତ୍ରୀ ଅଜିତ୍ ପ୍ରସାଦ ମହାପାତ୍ର ପ୍ରମୁଖ ସେଥିରେ ଅଂଶ ଗ୍ରହଣ କରିଥିଲେ ।
Comments are closed.