୨୮ରୁ ରତ୍ନଭଣ୍ଡାର ସ୍କାନିଂ, ପ୍ରସ୍ତୁତି ଚୂଡ଼ାନ୍ତ

ପୁରୀ: ଚଳିତ ମାସ ୨୮ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ କରାଯିବ। ପ୍ରଥମେ ବାହାର ରତ୍ନଭଣ୍ଡାର ଏବଂ ପରେ ଭିତର ରତ୍ନଭଣ୍ଡାର ବାହାର କାନ୍ଥରୁ ସ୍କାନିଂ କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଶନିବାର ଲେଜର ସ୍କାନିଂ ମେସିନ୍‍ ପୁରୀରେ ପହଞ୍ଚିଛି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି । ସେ କହିଲେ ରତ୍ନଭଣ୍ଡାର ସମେତ କିଛି ପାର୍ଶ୍ବ ଦେବଦେବୀ ମନ୍ଦିରର ଲେଜର ସ୍କାନିଂ କରାଯିବ। ଦୁଇଟିଯାକ ରତ୍ନଭଣ୍ଡାରର ଛାତ, କାନ୍ଥ ଓ ଚଟାଣ ସ୍କାନିଂ କରାଯିବା ପ୍ରସ୍ତାବ ରହିଛି। ସ୍କାନିଂ ରିପୋର୍ଟକୁ ଭିତ୍ତିକରି ରତ୍ନଭଣ୍ଡାର ମରାମତି ପାଇଁ ରାଜ୍ୟ ସରକାରଙ୍କଠାରୁ ଅନୁମତି ମଗାଯିବ।

ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଭିତ୍ତିକରି ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯିବ। ଲେଜର ସ୍କାନିଂ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ)କୁ ଅନୁମତି ଦିଆଯାଇଛି। ଠାକୁରଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ତାହାକୁ ଦୃଷ୍ଟିରେ ରଖି ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ସ୍କାନିଂ ସମୟରେ ଏଏସ୍‍ଆଇ ଏବଂ ମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ରହିବେ। ୨୦୨୪ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇଥିବା ବେଳେ ରତ୍ନଭଣ୍ଡାର ଖୋଲି ଆବଶ୍ୟକ ମରାମତି କରାଯିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ଥିର କରାଯାଇଛି। ଲେଜର ସ୍କାନିଂ ରିପୋର୍ଟ ଆଗାମୀ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ରତ୍ନଭଣ୍ଡାର କାନ୍ଥ, ଛାତ ଓ ଚଟାଣର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଲେଜର ସ୍କାନିଂରୁ ଯଦି ସ୍ପଷ୍ଟଚିତ୍ର ନ ମିଳେ ତେବେ ଆଇଆଇଟି ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଏସ୍‍ଆଇର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.