ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ଲୋକସଭାରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିବାଦୀୟ ବୟାନ ପ୍ରସଙ୍ଗ । ଘଟଣାକୁ ନେଇ ଆଜି ପିନାକୀ ପ୍ରତିକ୍ରିୟା ରଖିବା ସହ ସଫେଇ ଦେଇଛନ୍ତି । ସେ କହିଛନ୍ତି ଗତ ସେପ୍ଟେମ୍ବର ୪ରେ ଏନଏମଏ ଏନଓସି ଦେଇଛି । କ୍ଲକ ରୁମ୍, ମିନି କ୍ଲକ୍ ରୁମ୍, ସେଲ୍ଟର ପାଭିଲିଅନ ପାଇଁ ଏନଓସି ମିଳିଛି । ପୁରୁଷ, ମହିଳା ଓ ସେବାୟତଙ୍କ ଶୌଚାଳୟ ପାଇଁ ଏନଓସି ମଧ୍ୟ ରହିଛି । ସମୟ ଅଭାବରୁ ସଂସଦରେ ଏସବୁ ଉପସ୍ଥାପନା ହୋଇପାରିନାହିଁ । କେବଳ ଶୌଚାଳୟ କଥା କହିଛି । ତାହାଛଡ଼ା ସେ ଆହୁରି ମଧ୍ୟ ଦୃଢ଼ୋକ୍ତି ବାଢ଼ିଛନ୍ତି । ସେ କହିଛନ୍ତି କି ସତ ସାହସ ଥିଲେ ବାଚସ୍ପତିଙ୍କୁ ଏହି କଥା ଜଣାନ୍ତୁ । ତାହା ସହ କଙ୍କଡ଼ା ଉପାଖ୍ୟାନ ମଧ୍ୟ ଖୋଲିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଆପଣ ମିଛ କହିଥିବା କଥା ଆମେ କହୁନୁ । ଲୋକମାନେ କହିବାରୁ ମୁଁ ଏହି ପ୍ରତିକ୍ରିୟା ରଖୁଛି । କିଛି ଲୋକଙ୍କର କଙ୍କଡ଼ା ବୁଦ୍ଧି ସହ ବୃତ୍ତି ଓ ପ୍ରବୃତ୍ତି କଙ୍କଡ଼ା ପରି । ସେମିତି ଲୋକ ନିଜେ କରିବେ ନା କାହାକୁ କିଛି କରାଇଦେବେ ବୋଲି ପିନାକୀ କହିଛନ୍ତି ।
ସୂଚନା ଥାଉକି ଗତ ୩୧ ତାରିଖ ଦିନ ଲୋକସଭାରେ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଶ୍ରୀମନ୍ଦିର ନିକଟରେ ଖନନ କରାଯାଉଥିବା କାର୍ଯ୍ୟକୁ ଗୃହରେ ଅପରାଜିତା କଡ଼ା ବିରୋଧ କରିଥିଲେ । ଅପରାଜିତା ସଂସଦରେ କହିଥିଲେ ଏନଏମଏ ଅନୁମତି ବିନା ଶ୍ରୀମନ୍ଦିର ନିକଟରେ ଖନନ କାର୍ଯ୍ୟ ଚାଲିଛି । ଯାହାକି ନିୟମ ବିରୋଧୀ ବୋଲି ସଂସଦରେ ସିଧାସିଧା ଅପରାଜିତା ଅଭିଯୋଗ ଆଣିଥିଲେ । ସେ ଆହୁରି ମଧ୍ୟ କହିଥିଲେ ବେଆଇନ୍ ଭାବେ ଶହେ ମିଟର ପରିଧି ଭିତରେ ବ୍ୟାପକ ଖନନ କାର୍ଯ୍ୟ କରାଯାଉଛି । ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ମଧ୍ୟରେ ଖନନ କାର୍ଯ୍ୟ ଚଳାଇଛନ୍ତି ।
ବିକାଶ କାର୍ଯ୍ୟ ହେଉ କିନ୍ତୁ ଆଇନ ପରିଧି ଭିତରେ ହେଉ ବୋଲି ସାଂସଦ ଅପରାଜିତା କହିବା ସହ ଏହି ବେଆଇନ୍ ଖନନକୁ ବନ୍ଦ କରାଯାଉ ବୋଲି ସେ ଦୃଢ଼ୋକ୍ତି ବାଢ଼ିଥିଲେ । ଅନ୍ୟପଟେ ସଂସଦରେ ଅପରାଜିତାଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ ପୁରୀ ସାଂସଦ ପିନାକୀ ମିଶ୍ର । ପିନାକୀ ତାଙ୍କ ଉତ୍ତରରେ କହିଥିଲେ ଶ୍ରୀମନ୍ଦିର ନିକଟରେ କିଛି ଖନନ ହେଉନି । କେବଳ ୪ଟି ଶୌଚାଳୟ ତିଆରି ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଏହି ନିର୍ମାଣ ଯୋଗୁ ମନ୍ଦିର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।



