ନୂଆଦିଲ୍ଲୀ: ପହଲଗାଓଁ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ ଆତଙ୍କୀ ଠିକଣାରେ ଆକ୍ରମଣ କରି ଧ୍ବଂସ କରିଛି ଭାରତ। ଏହାପରେ ବିଳିବିଳେଇ ହୋଇ ନିୟନ୍ତ୍ରଣ ରେଖା ନିକଟରେ ଗୁଳିବର୍ଷା କରୁଛି ପାକିସ୍ତାନ। ଏହାକୁ ଦୃଷ୍ଟିରେ ରଖି ପଡ଼ୋଶୀ ଦେଶ ସୀମା ସଂଲଗ୍ନ ପଞ୍ଜାବ ଏବଂ ରାଜସ୍ଥାନ ସରକାର ସତର୍କ ହୋଇଯାଇଛନ୍ତି।
ପଞ୍ଜାବ ପାକିସ୍ତାନ ସହ ୫୩୨ କିଲୋମିଟର ଏବଂ ରାଜସ୍ଥାନ ପାକିସ୍ତାନ ସହିତ ପ୍ରାୟ ୧, ୦୭୦ କିଲୋମିଟର ଲମ୍ବା ସୀମା ବାଣ୍ଟିଥାଏ। ଗୁରୁବାର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପଞ୍ଜାବରେ ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଛଅ ସୀମାନ୍ତ ଜିଲା- ଫିରୋଜପୁର, ପଠାନକୋଟ, ଫାଜିଲ୍କା, ଅମୃତସର, ଗୁରଦାସପୁର ଏବଂ ତରନତାରନରେ ସମସ୍ତ ସ୍କୁଲକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି।
ରାଜସ୍ଥାନ ସରକାର ମଧ୍ୟ ସୀମାନ୍ତ ଅଞ୍ଚଳରେ ନିୟୋଜିତ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜସ୍ଥାନର ଚାରିଟି ସୀମାନ୍ତ ଜିଲା- ଶ୍ରୀଗଙ୍ଗାନଗର, ବିକାନେର, ଜୈସଲମେର ଏବଂ ବାଡ଼ମେରର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାର୍ଇ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଉଭୟ ରାଜ୍ୟର ସରକାର।



