ଟ୍ରକ୍ ଧକ୍କାରେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ, ଓଭରବ୍ରିଜ ନିର୍ମାଣ ଦାବିରେ ରାଜପଥ ଅବରୋଧ
ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ତଥା କନିଷି ଗାଁ ଛକଠାରେ ଏକ ମୋଟରସାଇକେଲକୁ ପଛପଟୁ ଏକ ଟ୍ରକ ଧକ୍କା ଦେବାରୁ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଜଣା ପଡିନଥିବା ବେଳେ କନିଷି ଗାଁ ସମ୍ମୁଖ ଜାତୀୟ ରାଜପଥରେ ତୁରନ୍ତ ଓଭରବ୍ରିଜ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଆଜି ରାତି ପ୍ରାୟ ୮ଟାବେଳେ କନିଷି ଗାଁ ଛକଠାରେ ଦୁଇଟି ସ୍କୁଟି ମଧ୍ୟରେ ସାମାନ୍ୟ ଦୁର୍ଘଟଣା ଘଟିବାରୁ ଉଭୟ ଚାଳକ ରାଜପଥ ଉପରେ ଠିଆ ହୋଇ ଗଣ୍ଡଗୋଳ କରୁଥିଲେ। ଏହି ସମୟରେ ବ୍ରହ୍ମପୁର ପଟୁ ଗୋଳନ୍ଥରା ଆଡ଼କୁ ଯାଉଥିବା ମୋଟରସାଇକେଲ ( ଓ ଡି ୦୭ ଏ ଏନ ୮୬୯୨) ଠିଆ ହୋଇ ଦେଖିଥିବା ସମୟରେ ପଛପଟୁ ଦୃତଗାମୀ ଏକଟ୍ରକ(ଏ ପି ୩୦ ୟାଇ ୫୫୫୮) ଧକ୍କା ଦେଇଥିଲା। ଫଳରେ ମୋଟରସାଇକେଲରେ ଥିବା ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ଏହା ପରେ କନିଷି ଗାଁର ଶତାଧିକ ଲୋକ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିବା ସହ ତୁରନ୍ତ ଓଭରବ୍ରିଜ ନିର୍ମାଣ କରିବାକୁ ଦାବି ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ ଗତ ଏକ ସପ୍ତାହରେ ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟି ଅନେକ ଖଣ୍ଡିଆ ଖବର ହୋଇଥିବା ବେଳେ ବହୁବାର ପ୍ରଶାସନ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦାବି ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉନଥିବାରୁ ବାଧ୍ୟ ହୋଇ ରାଜପଥ ଅବରୋଧ କରିଥିବା ପ୍ରକାଶ କରିଛନ୍ତି ଲୋକେ । ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାଜପଥର ଉଭୟ ପଟେ ଶତାଧିକ ଗାଡି ମୋଟର ଅଟକି ରହିବା ସହ ରାଜପଥ ଜାମ ହୋଇଯାଇଥିବା ଦେଖିବାକୁ ମିଳିଛି।
Comments are closed.