ବୌଦ୍ଧ ଜିଲାରେ ସୃଷ୍ଟି ହେବ ଚନ୍ଦନ ବନ – ପ୍ରସ୍ତାବିତ ନନ୍ଦନବନ ପ୍ରକଳ୍ପର ପ୍ରାଥମିକ କାର୍ଯ୍ୟ ଆରମ୍ଭ

ବୌଦ୍ଧ, : ବୌଦ୍ଧଜିଲାରେ ଦେଶର ସର୍ବବୃହତ ପରିବେଶ ପାର୍କ ନିର୍ମାଣ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି । ଲୋକପ୍ରିୟ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉଦ୍ୟମକ୍ରମେ ପ୍ରାୟ ୧୫ ଶହ ଏକର ଅଞ୍ଚଳରେ ହେବାକୁ ଥିବା ଏହି ପରିବେଶ ପାର୍କ ପାଇଁ ବୌଦ୍ଧଜିଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ନିକଟରେ ଯାଗା ଚିହ୍ନଟ କରାଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହାୟତାରେ ହେବାକୁଥିବା ଏହି ପରିବେଶ ପାର୍କର ଅର୍କିଟେକ ଡିଜାଇନ ପ୍ରକାଶ ପାଇଥିବାବେଳେ ଏହାର ଅନୁମୋଦନ ପରେ କାର୍ଯ୍ୟ ତ୍ୱରାନ୍ୱିତ ହେବବୋଲି ଜଣାପଡିଛି । ତେବେ ପରିବେଶପାର୍କ ନନ୍ଦନବନ ମଧ୍ୟରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିବା ଜଣାଯାଇଛି । ଭବିଷ୍ୟତରେ ଏହି ପରିବେଶ ପାର୍କ ମଧ୍ୟରେ ବ୍ୟାଘ୍ର ସଫାରୀ ପାଇଁ ମଧ୍ୟ ବ୍ୟବସ୍ଥା ରଖାଯାଇଛି । ପ୍ରସ୍ତାବିତ ପରିବେଶ ପାର୍କ ମଧ୍ୟରେ ପର୍ଯ୍ୟଟକମାନେ ସୂର୍ଯ୍ୟାସ୍ତ ଉପଭୋଗ କରିବାଠାରୁ ଯୋଗ କରିବା ପର୍ଯ୍ୟନ୍ତ ସମସ୍ତ ବିଭାଗ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ପ୍ରସ୍ତାବିତ ନନ୍ଦନବନ ଅଞ୍ଚଳରେ ଚନ୍ଦନ ବୃକ୍ଷ ପାଇଁ ସବୁଠାରୁ ଅନୁକୂଳ ପରିବେଶ ରହିଛି । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଚନ୍ଦନ ବୃକ୍ଷକୁ ଅତି ପବିତ୍ର ମାନା ଯାଇଥାଏ । ଚନ୍ଦନ ବୃକ୍ଷ ଦ୍ୱାରା ଭରପୁର ଅମ୍ଳଜାନ ସହିତ ତାର ସୁଗନ୍ଧ ଯେକୌଣସି ଲୋକକୁ ଆକର୍ଷିତ କରିଥାଏ । ଚନ୍ଦନ ବୃକ୍ଷରେ ଔଷଧୀୟ ଗୁଣ ରହିଥିବାବେଳେ ଏଥିରୁ ପ୍ରସ୍ତୁତ ସାମଗ୍ରୀର ଚାହିଦା ମଧ୍ୟ ବଜାରରେ ଅଧିକ ରହିଥାଏ । ଆମ ଦେଶର କର୍ଣ୍ଣାଟକ ରାଜ୍ୟ ଚନ୍ଦନ ବୃକ୍ଷ ପାଇଁ ପ୍ରସିଦ୍ଧ ହୋଇଥିବାବେଳେ ଏହା ସେଠାକାର ପର୍ଯ୍ୟଟନ ଶିଳ୍ପକୁ ବିକଶିତ କରିବା ସହିତ ସାଧାରଣଲୋକଙ୍କ ଆର୍ଥିକ ବିକାଶରେ ମଧ୍ୟ ସହାୟକ ହୋଇପାରିଛି । ତେଣୁ ଚନ୍ଦନ ଜଙ୍ଗଲ ପାଇଁ କର୍ଣ୍ଣାଟକ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ଯୋଗାଇଦେବା ସହିତ ସଂରକ୍ଷଣ ମଧ୍ୟ କରୁଛନ୍ତି ।

ଆମ ରାଜ୍ୟରେ କନ୍ଧମାଳ ଓ ବୌଦ୍ଧଜିଲାରେ ଚନ୍ଦନ ବୃକ୍ଷ ବହୁଳ ଭାବରେ ଦେଖାଯାଇଥାଏ । କନ୍ଧମାଳ ଜିଲାର କଳିଙ୍ଗା ଘାଟି ଅଞ୍ଚଳରେ ବହୁଳ ଭାବରେ ରକ୍ତଚନ୍ଦନ ବୃକ୍ଷ ଦେଖାଯାଉଥିବାବେଳେ ବର୍ତମାନ ଏହା ମାଫିଆମାନଙ୍କ ଦ୍ୱାରା ଧ୍ୱଂଶପ୍ରାୟ ଅବସ୍ଥାରେ ପହଞ୍ଚିଛି । ବୌଦ୍ଧଜିଲାରେ ମଧ୍ୟ ଚନ୍ଦନ ବୃକ୍ଷ ପାଇଁ ଅନୁକୂଳ ପରିବେଶ ରହିଛି । ବିଶେଷ ଭାବରେ ବୀରନରସିଂହପୁର ନିକଟସ୍ଥ ଜଙ୍ଗଲ(ପ୍ରସ୍ତାବିତ ପରିବେଶ ପାର୍କ)ରେ ବହୁଳ ଭାବରେ ଚନ୍ଦନ ବୃକ୍ଷ ରହିଥିବା ଜଣାଯାଇଛି । ନନ୍ଦନବନ ପରିବେଶ ପାର୍କ ନିର୍ମାଣ ସମୟରେ ଏହି ବୃକ୍ଷଗୁଡିକର ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଅଧିକ ସଂଖ୍ୟାରେ ଚନ୍ଦନ ଚାରା ଲାଗାଇବାର ବ୍ୟବସ୍ଥା କରାଗଲେ ଏହା ସାଧାରଣ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷଣ କରିପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଅଛି । ସେହପରି ଅନୁକୂଳ ପରିବେଶ ରହୁଥିôବାରୁ ଜିଲାରେ ଅଧିକ ସଂଖ୍ୟାରେ ଚନ୍ଦନ ବୃକ୍ଷ ରୋପଣ ପାଇଁ ବନ ବିଭାଗ ପକ୍ଷରୁ ପ୍ରୋତ୍ସାହନ ଯୋଗାଇଦିଆଗଲେ ପରିବେଶର ସୁରକ୍ଷା ସହିତ ଏହାଦ୍ୱାରା ସାଧାରଣଲୋକଙ୍କ ଆର୍ଥିକ ବିକାଶ ମଧ୍ୟ ହୋଇପାରନ୍ତା । ତେଣୁ ପରିିବେଶ ପାର୍କ ନିର୍ମାଣ ସହିତ ଜିଲାରେ ପ୍ରତି ପଞ୍ଚାୟତରେ ଚନ୍ଦନ ବୃକ୍ଷ ରୋପଣ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହିତ କିଛିବର୍ଷପରେ ଏହି ବୃକ୍ଷ ଗୁଡିକ ବଡ ହୋଇଗଲେ ଏଠାରେ କୁଟୀର ଶିଳ୍ପ ବିକାଶର ସମ୍ଭାବନା ସୃଷ୍ଟି ହୋଇପାରନ୍ତା ।

Comments are closed.