www.samajalive.in
Friday, December 5, 2025
17.1 C
Bhubaneswar

ପିସିସି ସଭାପତି ମନୋନୟନ ପାଇଁ କସରତ ଆରମ୍ଭ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଓ ରାଜ୍ୟରେ ଦଳର ସମସ୍ତ କମିଟି ଭଙ୍ଗ ହେବାର ଦୀର୍ଘ ଦିନ ପରେ ରାଜ୍ୟ କଂଗ୍ରେସ ଚଳଚଞ୍ଚଳ ହୋଇଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ମନୋନୟନ ପାଇଁ ରାଜ୍ୟ କଂଗ୍ରେସ ଭବନରେ ସୋମବାର ଷ୍ଟିୟରିଂ କମିଟି ବୈଠକ ହୋଇଥିଲା। ପୂର୍ବତନ ସାଂସଦ ଚରଣ ଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ ସୋମବାର ଭୁବନେଶ୍ବରରେ ପହଞ୍ଚିବା ପରେ ରାଜ୍ୟ କାର୍ଯ୍ୟାଳୟରେ ଦିନ ତମାମ ଘନଘନ ବୈଠକ ଚାଲିଥିଲା। ଏଥିରେ ଷ୍ଟିୟରିଂ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଦୁଇ କେନ୍ଦ୍ରୀୟ ନେତାଙ୍କୁ ରାଜ୍ୟ ନେତୃବୃନ୍ଦ ଓଡ଼ିଶା ରାଜନୈତିକ ଦୃଶ୍ୟପଟ୍ଟ ସମ୍ପର୍କରେ ଅବଗତ କରାଇଥିଲେ। ପିସିସି ସଭାପତି ମନୋନୟନ ନେଇ ଜଣ ଜଣ କରି ରାଜ୍ୟ ନେତାମାନେ ସେମାନଙ୍କ ମତାମତ ଦେଇଥିଲେ। ପ୍ରଥମେ ବରିଷ୍ଠ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ସେମାନଙ୍କୁ ଭେଟି ମତାମତ ରଖିଥିଲେ। ଅନେକ ନେତା ସେମାନଙ୍କ ନିଷ୍ପତ୍ତି ଦଳର ହାଇକମାଣ୍ଡଙ୍କ ଉପରେ ଛାଡ଼ିଛନ୍ତି। କେତେକ ନେତା ଦଳର ମଙ୍ଗ ଏପରି ନେତୃତ୍ବଙ୍କ ହାତରେ ଦେବାକୁ ମତ ଦେଇଛନ୍ତି ଯିଏ ଦଳକୁ ଶୃଙ୍ଖଳିତ କରିବା ସହିତ କ୍ଷମତାକୁ ଆଣିପାରିବ। ପିସିସି ସଭାପତି ପାଇଁ ମହମ୍ମଦ୍‌ ମୋକିମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଜୟଦେବ ଜେନାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ଭକ୍ତ ଚରଣ ଦାସ ମଧ୍ୟ ଏହି ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି। ବୈଠକ ଦୁଇଟି ପର୍ଯ୍ୟାୟରେ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ହୋଇଥିଲା। ବୈଠକର ନିର୍ଯ୍ୟାସ ସମ୍ପର୍କରେ ଦୁଇ କେନ୍ଦ୍ରୀୟ ନେତୃବୃନ୍ଦ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)କୁ ଜଣାଇବେ। ତେବେ ନେତାମାନେ ନିଜ ଏବଂ ନିଜର ପ୍ରିୟ ନେତାଙ୍କ ପାଇଁ ଲବି କରୁଥିବା ଦେଖିବାକୁ ମିଳିଛି। ନେତାଙ୍କଠାରୁ ମତାମତ ସଂଗ୍ରହ ପାଇଁ ଆସିଥିବା ଛତିଶଗଡ଼ର ବିରୋଧୀ ଦଳ ନେତା ଚରଣ ଦାସ କହିଛନ୍ତି, ମୋ ପାଖରେ ଲବି କାମ ଦେବନି। ମୁଁ ଲବିରେ ବିଶ୍ବାସ କରେନାହିଁ। ଓଡ଼ିଶା କଂଗ୍ରେସ ସ୍ଥିତି ନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଏଆଇସିସି ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅବଗତ ଅଛନ୍ତି। କେତେ ଶୀଘ୍ର ଓଡ଼ିଶା ପିସିସି ସଭାପତି ମନୋନୀତ ହୋଇପାରିବେ ସେ ସଂକ୍ରାନ୍ତରେ ମତାମତ ସଂଗ୍ରହ ସହିତ ବରିଷ୍ଠ ନେତାଙ୍କ ସହିତ ବୈଠକରେ ଆଲୋଚନା ହୋଇଛି। ଆମେ ପୁରୁଣା ନେତାଙ୍କ ସହ ମଧ୍ୟ ଏନେଇ ଆଲୋଚନା କରିଛୁ। ଖୁବ୍‌ଶୀଘ୍ର ଏ ଦିଗରେ ନିଷ୍ପତ୍ତି ହୋଇପାରିବ ବୋଲି ଆଶା ରହିଛି। ଏହାପୂର୍ବରୁ ଦୁଇ କେନ୍ଦ୍ରୀୟ ନେତାଙ୍କୁ ବିଧାୟକ ରମେଶ ଜେନା, ସାଗର ଦାସ ଏବଂ ମହମ୍ମଦ ମୋକିମ ପ୍ରମୁଖ ବିରାଟ ଶୋଭାଯାତ୍ରାରେ ଦଳୀୟ କାର‌୍ୟ୍ୟାଳୟକୁ ସ୍ବାଗତ କରିଥିଲେ। କଂଗ୍ରେସ ଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଦଳର ଛାମୁଆ ନେତା, ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ଥିଲେ। ଭକ୍ତ ଦାସ କହିଛନ୍ତି, ଆମେ ଜଣେ ଯୋଗ୍ୟ ଏବଂ ଦକ୍ଷ ନେତାଙ୍କୁ ପିସିସି ସଭାପତି କରିବା ପାଇଁ ସୁପାରିସ କରିଛୁ। ଯିଏ ବି ସଭାପତି ହେବେ, ଆମେ ସମସ୍ତେ ତାଙ୍କୁ ମାନି କାମ କରିବୁ। କଂଗ୍ରେସକୁ ଶକ୍ତିଶାଳୀ କରିବା ଆମ ଲକ୍ଷ୍ୟ ବୋଲି ଶ୍ରୀ ଦାସ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories