ବସ୍ ମାଲିକ ସଂଘର ଆନ୍ଦୋଳନ ; ରାଜ୍ୟରେ ଗଡୁନି ଘରୋଇ ବସ୍
ଭୁବନେଶ୍ୱର : ଶୁକ୍ରବାର ସକାଳୁ ଘରୋଇ ବସ୍ ମାଲିକ ସଂଘ ଅନିର୍ଦିଷ୍ଟ କାଳ ଧର୍ମଘଟକୁ ଓହ୍ଲାଇଛି। ଫଳରେ ରାଜ୍ୟରେ ଘରୋଇ ବସ୍ ଚଳାଚନ ବନ୍ଦ ରହିଛି । ବିଭିନ୍ନ ବସ୍ ଷ୍ଟାଣ୍ଡରେ ଯାତ୍ରୀ ଅଟକି ରହିଛନ୍ତି । କେବଳ ସରକାରୀ ବସକୁ ଆଶା କରି ରହିଛନ୍ତି । ଯେଉଁ ସ୍ଥାନକୁ ସରକାରୀ ବସ୍ ଚଳାଚଳ କରୁ ନାହିଁ ସେଠାକାର ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ରାଜ୍ୟ ସରକାର ‘ଲକ୍ଷ୍ମୀ’ ଯୋଜନାରେ ପ୍ରତି ପଞ୍ଚାୟତରୁ ବ୍ଲକ୍ ଏବଂ ବ୍ଲକ୍ସ୍ତରରୁ ଜିଲା ମୁଖ୍ୟାଳୟକୁ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଘରୋଇ ବସ୍ ମାଲିକ ସଂଘ ପ୍ରତି ପଞ୍ଚାୟତରୁ ବ୍ଲକ୍ ପର୍ଯ୍ୟନ୍ତ ବସ୍ ଚଳାଚଳ ନିଷ୍ପତ୍ତିକୁ ବିରୋଧ କରୁ ନ ଥିବାବେଳେ
ବ୍ଲକ୍ରୁ ଜିଲା ମୁଖ୍ୟାଳୟକୁ ବସ୍ ଚଳାଚଳକୁ ବିରୋଧ କରୁଛି।
ରାଜ୍ୟ ସରକାର ଘରୋଇ ବସ୍ ମାଲିକ ସଂଘକୁ ବ୍ଲକ୍ସ୍ତରରୁ ଜିଲା ମୁଖ୍ୟାଳୟକୁ ବସ୍ ଚଳାଇବେ ନାହିଁ ବୋଲି କହିଥିବାବେଳେ ଲିଖିତ ପ୍ରତିଶ୍ରୁତି ଦେଉ ନ ଥିବାରୁ ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ କରିଛନ୍ତି। ଲିଖିତ ପ୍ରତିଶ୍ରୁତି ପାଇବା ପର୍ଯ୍ୟନ୍ତ ଧର୍ମଘଟ ଚାଲୁ ରଖିବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।
ବସ୍ ଧର୍ମଘଟ ରୋକିବା ପାଇଁ ଗୁରୁବାର ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଘରୋଇ ବସ୍ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିବହନ ଆୟୁକ୍ତ, ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସରକାର ବ୍ଲକ୍ସ୍ତରରୁ ଜିଲା ମୁଖ୍ୟାଳୟକୁ ବସ୍ ଚଳାଚଳ କରିବେ ନାହିଁ ବୋଲି ମୌଖିକ ଭାବେ କହିଥିଲେ। କିନ୍ତୁ ସରକାର ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇ ମାଲକାନଗିରି ଏବଂ ଗଜପତିରେ ବ୍ଲକ୍ସ୍ତରରୁ ଜିଲା ମୁଖ୍ୟାଳୟକୁ ବସ୍ ଚଳାଚଳ କରିଥିବାରୁ ସଂଘ ପ୍ରତିନିଧି ପୁଣି ଲିଖିତ ପ୍ରତିଶ୍ରୁତି ଚାହିଁଥିଲେ। ସରକାର ସନ୍ଧ୍ୟା ୭ଟା ସୁଦ୍ଧା ସଂଘକୁ ଲିଖିତ ପ୍ରତିଶ୍ରୁତି ଦେଇ ନ ଥିବାରୁ ଅନିଚ୍ଛା ସତ୍ତ୍ୱେ ଧର୍ମଘଟ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।
ଘରୋଇ ବସ୍ ମାଲିକ ସଂଘର ଏହି ନିଷ୍ପତ୍ତି ଫଳରେ ଶୁକ୍ରବାରଠାରୁ ରାଜ୍ୟର ଲକ୍ଷ ଲକ୍ଷ ଲୋକ ହଇରାଣ ହେବେ। ଦଶହରା ପାଇଁ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବାବେଳେ ଯେଉଁ ଲୋକମାନେ ଗାଁକୁ ବା ବନ୍ଧୁବାନ୍ଧବ ଘରକୁ ଯିବା ପାଇଁ ବାହାରିଥିଲେ, ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଅନେକ ଲୋକ ଆଗୁଆ ସିଟ୍ ବୁକ୍ କରିଥିଲେ। କିନ୍ତୁ ବସ୍ ଧର୍ମଘଟ ଖବର ସମସ୍ତଙ୍କୁ ନିରାଶ କରିଛି। ଗୁରୁବାର ଏହି ଘୋଷଣା ପରେ ସନ୍ଧ୍ୟାରେ ବରମୁଣ୍ଡା ବସ୍ଷ୍ଟାଣ୍ଡ, କଟକର ନେତାଜୀ ବସ୍ ଟର୍ମିନାଲକୁ ଯାତ୍ରୀଙ୍କ ସୁଅ ଛୁଟିଥିଲା। ସରକାର-ସଂଘ ବିବାଦ ଭିତରେ ସାଧାରଣ ଯାତ୍ରୀ କାହିଁକି ହନ୍ତସନ୍ତ ହେବେ ବୋଲି ଅନେକ ଯାତ୍ରୀ ପ୍ରଶ୍ନ କରିଛନ୍ତି।
ଘରୋଇ ବସ୍ ମାଲିକ ସଂଘ ଶୁକ୍ରବାରଠାରୁ ରାଜ୍ୟବ୍ୟାପି ଯେଉଁ ବସ୍ ଧର୍ମଘଟ କରିବାକୁ ଯାଉଛନ୍ତି ତାକୁ ପ୍ରତ୍ୟାହାର କରିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ସରକାର ସଂଘ ସହିତ ଆସନ୍ତା ୨୬ ତାରିଖରେ ଆଲୋଚନା କରି ଦାବି ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଲୋଚନା ପାଇଁ ବିଭାଗ ପକ୍ଷରୁ ସଂଘକୁ ଚିଠି ଲେଖାଯାଇଛି। ଲୋକାଭିମୁଖୀ ଲକ୍ଷ୍ମୀ ଯୋଜନାକୁ ବିରୋଧ ନ କରି ଏବଂ ପୂଜାକୁ ଦୃଷ୍ଟିରେ ରଖି ଘରୋଇ ବସ୍ ମାଲିକ ସଂଘ ରାଜ୍ୟରେ ବସ୍ ଚଳାଚଳ କରନ୍ତୁ। ବିଗତ ଦିନରେ ସଂଘର ୧୦ ଦଫା ଦାବି ମଧ୍ୟରୁ ଆଲୋଚନା ଜରିଆରେ କେତେବ ଦାବି ପୂରଣ କରାଯାଇଛି।
ଅନ୍ୟ ପକ୍ଷରେ ବାଲେଶ୍ବର ଜିଲା ଘରୋଇ ବସ ମାଲିକ ସଂଘ, ରାଜ୍ୟ ମହାସଂଘର ନିର୍ଦେଶକୁ ନମାନି ବସ ଚଳାଚଳ ସ୍ବାଭାବିକ ରଖିବ ବୋଲି କହିଛି।
Comments are closed.