ମଥୁରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ମଥୁରାଠାରେ ସ୍ୱଚ୍ଛତା ଉପରେ ଦେଶବ୍ୟାପୀ ଏକ ବିଶାଳ ସଚେତନତା ତଥା ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଖୋଲା ଶୌଚ ମୁକ୍ତ ଭାରତ ଲକ୍ଷ୍ୟ ହାସଲ ପ୍ରତି ସ୍ୱଚ୍ଛ ଭାରତ ମିଶନ ସମର୍ପିତ ଥିବା ବେଳେ ପ୍ଲାଷ୍ଟିକ ବର୍ଜ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଏହାର ପରିଚାଳନା ପ୍ରତି ବିଶେଷ ଗୁରୁତ୍ୱାରୋପ କରାଯାଇ ୧୧ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ସ୍ୱଚ୍ଛତା ହିଁ ସେବା – ୨୦୧୯ ଆୟୋଜନ କରାଯାଉଛି। କେନ୍ଦ୍ର ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଏବଂ ଉତର ପ୍ରଦେଶ ସରକାରଙ୍କ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ପକ୍ଷରୁ ମିଳିତ ଭାବେ ଏସଏଚଏସ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ପ୍ରଧାନମନ୍ତ୍ରୀ ମଧ୍ୟ ପଶୁଧନ ଆରୋଗ୍ୟ ବିଜ୍ଞାନ ମେଳା ପରିଦର୍ଶନ କରିଥିଲେ। ଗାଈଙ୍କ ପାକସ୍ତଳିରୁ ଅସ୍ତ୍ରୋପଚାର ମାଧ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟ ବାହାର କରାଯାଉଥିବା ସେ ଦେଖିଥିଲେ। ଏହାପରେ ସେ ଉତ୍ତର ପ୍ରଦେଶର ଏକ ମହିଳା ଗୋଷ୍ଠୀ ସହ ବାର୍ତ୍ତାଳାପ କରିଥିଲେ। ଏହି ମହିଳା ଗୋଷ୍ଠୀ ପ୍ଲାଷ୍ଟିକ ବର୍ଜ୍ୟ ମଧ୍ୟରୁ ପୁନଃବ୍ୟବହାର ଯୋଗ୍ୟ ଏବଂ ବ୍ୟବହାର ଅନୁପଯୋଗୀ ପ୍ଲାଷ୍ଟିକକୁ ଅଲଗା କରିବା କାର୍ଯ୍ୟ କରୁଛି। ଏକ ଅଭିନବ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ମଧ୍ୟ ମହିଳା ଗୋଷ୍ଠୀ ସହ ପ୍ଲାଷ୍ଟିକ ବର୍ଜ୍ୟ ପୃଥକୀକରଣ କାର୍ଯ୍ୟ କରିଥିଲେ।
୨୦ ହଜାର କୃଷକ, ସରପଂଚ, ମହିଳା ଗୋଷ୍ଠୀ ଓ ସ୍ୱଚ୍ଛାଗ୍ରହୀଙ୍କୁ ନେଇ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିଜ ଘରୁ, ଅଫିସରୁ ଓ କାର୍ଯ୍ୟସ୍ଥଳୀରୁ ଥରେ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକ ଦୂରେଇ ଦେବାକୁ ଆହ୍ୱାନ କରିଥିଲେ। ଏପରି ପ୍ଲାଷ୍ଟିକର କିଭଳି ଭାବେ ପରିବେଶ, ପଶୁସମ୍ପଦଙ୍କ ସ୍ୱାସ୍ଥ୍ୟ ଓ ଜଳଜୀବଙ୍କ ପ୍ରତି କ୍ଷତି ପହଁଚାଉଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ବଜାରକୁ ସାମଗ୍ରୀ କିଣିବା ପାଇଁ ଯିବା ସମୟରେ କପଡ଼ା କିମ୍ବା ଝୋଟ ବ୍ୟାଗ ଓ କାର୍ଯ୍ୟାଳୟରେ ମାଟି କିମ୍ବା ଧାତବ ପାତ୍ରରେ ପାଣି ପରଷିବା ଲାଗି ନିଜର ଆହ୍ୱାନକୁ ଦୋହରାଇଥିଲେ। ସ୍ୱଚ୍ଛତା ହି ସେବା ଅଭିଯାନ ସମୟରେ ନିଜ ଆଖପାଖରେ ଥିବା ସମସ୍ତ ପ୍ଲାଷ୍ଟିକ ଆବର୍ଜନାକୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର କରିବା ପରେ ସ୍ଥାନୀୟ ପ୍ରଶାସନ ସହ ସେଗୁଡ଼ିକୁ ନଷ୍ଟ କରିବା ଲାଗି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ।



