ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଫେରି ଯାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶାରୁ ବିଶାଖାପାଟଣା ଯାଇଛନ୍ତି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦାୟ ଜଣାଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିମାନବନ୍ଦରରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ବିଦାୟ ଜଣାଇଛନ୍ତି।
ଆଜି ପୁରୀ ଗସ୍ତର ଦ୍ୱିତୀୟ ଦିନରେ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଥିଲେ। ଶ୍ରୀମଦ ଭକ୍ତିସିଦ୍ଧାନ୍ତ ଗୌଡୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଶରଧାବାଲିରେ ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଥମ ମହିଳା ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ଚୈତନ୍ୟ ଗୌଦୀୟ ମଠକୁ ଯାଇ ରାଷ୍ଟ୍ରପତି ରାମନାଥ କୋଭିନ୍ଦ୍ ସ୍ବାମୀଜୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସେଠାରେ ବୃକ୍ଷରୋପଣ କରିଥିଲେ। ଗତକାଲି ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିର ଯାଇ ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ।
ଆଜି ରାଷ୍ଟ୍ରପତି କହିଥିଲେ ଯେ ବିଶ୍ୱରୁ କରୋନା ମହାମାରୀରୁ ଶୀଘ୍ର ମୁକ୍ତ ହେଉ ବୋଲି ସେ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି। ପୁରୀଧାମ ଆସି ସେ ବହୁତ ଖୁସି ବୋଲି କହିଥିଲେ। ଶ୍ରୀଚୈତନ୍ୟଙ୍କ ଆଦର୍ଶକୁ ଅନୁସରଣ କରି ଅନେକ ତାଙ୍କ ଭକ୍ତିମାର୍ଗକୁ ବାଛିଛନ୍ତି ବୋଲି କହିଥିଲେ ରାଷ୍ଟ୍ରପତି। ଈଶ୍ୱରଙ୍କ କୃପାରୁ ସେ ଭାରତର ବିଭିନ୍ନ ଧାର୍ମିକସ୍ଥଳୀ ପରିଦର୍ଶନ କରିବା ସହ ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି। ସମସ୍ତ ସ୍ଥାନରେ ବିଭିନ୍ନ ଧାର୍ମିକ ଉପାୟ ଓ ବ୍ୟବସ୍ଥା ପ୍ରଚଳିତ ରହିଛି। ତେବେ ଏହି ଆସ୍ଥା ପଛରେ ଈଶ୍ୱର ଭକ୍ତି ସହ ମାନବ ସମାଜକୁ ଏକ ପରିବାର ରୂପେ ଗ୍ରହଣ କରି ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା। ରାଷ୍ଟ୍ରପତି କହିଛନ୍ତି ଯେ ଧର୍ମକୁ ନେଇ ସମାଜକୁ ବିଭାଜନ କରାଯାଇ ପାରିବ ନାହିଁ। ସତ୍ୟକୁ ବାଣ୍ଟି ହେବନି କାରଣ ଗୋଟିଏ ସତ୍ୟତାକୁ ବିଭିନ୍ନ ଉପାୟରେ ବର୍ଣ୍ଣନା କରାଯାଇ ପାରିବ ଓ ଋକବେଦରେ ଏ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ସତ୍ୟ ହିଁ ଏକ, ବିଦ୍ୱାନମାନେ ତାହାକୁ ବିଭିନ୍ନ ଉପାୟରେ ବ୍ୟାଖ୍ୟା କରିଥାନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଫେବୃଆରୀ ୧୯ରୁ ୨୨ ପର୍ଯ୍ୟନ୍ତ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି। ଫେବୃଆରୀ ୧୯ ଓ ୨୦ ଦୁଇଦିନ ଓଡ଼ିଶା ଗସ୍ତ ରହିଥିଲାବେଳେ ଫେବୃଆରୀ ୨୧ ଓ ୨୨ ଦୁଇଦିନ ଆନ୍ଧ୍ର ପ୍ରଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଶେଷ କରି ରାଷ୍ଟ୍ରପତି ଆଜି ଆନ୍ଧ୍ର ପ୍ରଦେଶ ଗସ୍ତରେ ଯାଇଛନ୍ତି।



