ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଆଜି ଦ୍ଵିତୀୟ ଦିନରେ ନିଜେ ପଢିଥିବା ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ରାଷ୍ଟ୍ରପତି ଆଜି ସକାଳେ ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ସେ ୧୨ ମିନିଟ ରହିଥିଲେ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ।
ପରେ ରାଷ୍ଟ୍ରପତି ୟୁନିଟ-୨ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ସେହି ବିଦ୍ୟାଳୟରେ ପାଠ ପଢିଥିଲେ। ସେଠାରେ ପ୍ରାୟ ୧୦ ମିନିଟ ରହଣି କାଳରେ ସେ ନିଜର ୧୩ ଜଣ ସହପାଠୀଙ୍କ ସହ କିଛି ସମୟ ବିତାଇଥିଲେ। ରାଷ୍ଟ୍ରପତି ପ୍ରୋଟୋକଲ ଭାଙ୍ଗି ଆଗ ଧାଡିରେ ବସିଥିବା ସେହି ସହପାଠୀଙ୍କ ନିକଟକୁ ଯାଇଥିଲେ। କେବଳ ସେତିକି ନୁହେଁ, ରାଷ୍ଟ୍ରପତି ମଧ୍ୟ ଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ସହ ଫଟୋ ଉଠାଇଥିଲେ। ଏହି ଅବସରରେ ସେ ୟୁନିଟ-୨ରେ ଥିବା କୁନ୍ତଳା କୁମାରୀ ସାବତ ଆଦିବାସୀ ବାଳିକା ଛାତ୍ରୀନିବାସ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ସେ ଛାତ୍ରୀମାନଙ୍କ ସହ ମଧ୍ୟ କଥା ହୋଇଥିବା ଜଣାପଡିଛି।



