ଆଠଗଡ : ଆଠଗଡ ଉପଖଣ୍ଡ ସଦର ମହକୁମାରେ ଏପ୍ରିଲ ୧ ତାରିଖରେ ପାଳିତ ହେବାକୁ ଥିବା ଉତ୍କଳ ଦିବସ ଲାଗି ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଅଛି । ଆମ ଓଡିଶା ରାଜ୍ୟର ଏହି ଜନ୍ମ ଦିବସଟିକୁ ସର୍ବାଙ୍ଗ ସୁନ୍ଦର ଭାବେ ପାଳନ କରିବା ସହିତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଅସୀମ ତ୍ୟାଗ ସ୍ୱୀକାର କରିଥିବା ରାଜ୍ୟର ବରପୁତ୍ରଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମକୁ ଆଡମ୍ବର ସହକାରେ କରିବା ଲାଗି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ମତପ୍ରକାଶ କରିଥିଲେ।
ଉତ୍କଳ ଦିବସ ଦିନ ସକାଳ ୪.୩୦ରେ ଡାକବାଜି ଯନ୍ତ୍ର ଯୋଗେ ସହରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପ୍ରସାର କରାଯିବ । ସକାଳ ୭.୩୦ମିନିଟରେ ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ ସହିତ ବିଶ୍ୱନାଥ ବିଦ୍ୟାପୀଠଠାରେ ଏକ ମାନବଶୃଙ୍ଖଳ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାର୍ଚ୍ଚ ୨୮ ଓ ୨୯ତାରିଖରେ ଓଡିଆ ବକ୍ତୃତା, ଓଡିଆ କବିତା ଆବୃତ୍ତି, ଓଡିଶୀ ନୃତ୍ୟ, ଚିତ୍ରକଳା ପ୍ରତିଯୋଗିତା, ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉତ୍କଳ ଦିବସ ଦିନ ସନ୍ଧ୍ୟା ୬ଟାରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସାଧାରଣ ସଭା, ପୁରସ୍କାର ବିତରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମସ୍ତ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରଧାନଶିକ୍ଷକ ପର୍ଶୁରାମ ବେହେରାଙ୍କ ନେତୃତ୍ୱରେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯଶୋବନ୍ତ ବାରିକଙ୍କ ନେତୃତ୍ୱରେ ସବ୍କମିଟି ଗଠନ କରାଯାଇଥିଲା। ଉତ୍କଳ ଦିବସ ପୂର୍ବ ସନ୍ଧ୍ୟାରୁ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଏବଂ ସମସ୍ତ ଶିକ୍ଷାନୁଷ୍ଠାନକୁ ଆଲୋକମାଳାରେ ସଜ୍ଜିତ କରିବା ପାଇଁ ବୈଠକରେ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ବୈଠକରେ ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପାରମିତା ପୃଷ୍ଟିଙ୍କ ସମେତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାସ ବୈଠକ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



