ତ୍ରିଭୁବନ ବିମାନବନ୍ଦରରେ ଦୁର୍ଘଟଣା ପଛର ରହସ୍ୟ କ’ଣ ? ପୂର୍ବରୁ ବି ଯାଇଛି ଅନେକ ଜୀବନ

ସମାଜ ଡିଜିଟାଲ ଡେସ୍କ: ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଣି ଥରେ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ୧୯ ଜଣ ପ୍ରାଣ ହରାଇଛନ୍ତି। ନେପାଳରେ ସବୁଠୁ ବଡ଼ ବିମାନ ଦୁର୍ଘଟଣା ୧୯୯୨ରେ ଘଟିଥିଲା, ଯେଉଁଥିରେ ୧୬୭ ଜଣଙ୍କ ମୃତ୍ୟୁ ଘଟିଥିଲା। ପାକିସ୍ତାନର ଏକ ଅନ୍ତର୍ଜାତୀୟ ବିମାନ ଏଠାରେ ଅବତରଣ କରିବାକୁ ଉଦ୍ୟମ କରିଥିଲା। ଅବତରଣ ପୂର୍ବରୁ ବିମାନଟି ରନଓ୍ବେ ଉପରେ ଦୁର୍ଘଟଣାର ଶିକାର ହୋଇଥିଲା। ତ୍ରିଭୁବନ ବିମାନବନ୍ଦରରେ ଦୁର୍ଘଟଣାର ଏକ ଲମ୍ବା ତାଲିକା ରହିଛି। ତେବେ କାହିଁକି ଏହି ବିମାନବନ୍ଦରରେ ବାରମ୍ବାର ଘଟୁଛି ଦୁର୍ଘଟଣା ? କ’ଣ ରହିଛି ରହସ୍ୟ ? ଏହାକୁ ନେଇ ଉଠୁଛି ଅନେକ ପ୍ରଶ୍ନ।

କେମିତି ଜଳିଲା ବିମାନ? ଦେଖନ୍ତୁ ଲାଇଭ ଦୃଶ୍ୟ

ଅତି ସୁନ୍ଦର ସୁଉଚ୍ଚ ପର୍ବତଶ୍ରେଣୀ ପାଇଁ ନେପାଳ ଜଣାଶୁଣା। ଏହି ପାହାଡ଼ ତ୍ରିଭୁବନ ବିମାନବନ୍ଦର ଦୁର୍ଘଟଣାର ଏକପ୍ରକାର କାରଣ ସାଜୁଛି ବୋଲି କୁହାଯାଉଛି। କୌଣସି ବିମାନବନ୍ଦରକୁ ଯଦି ନାଭିଗେଟ କରିବାର କରିବାର କଥା ଉଠେ ତେବେ ତ୍ରିଭୁବନ ବିମାନବନ୍ଦର ବିଶ୍ଵର ସବୁଠୁ କଠିନ ବିମାନବନ୍ଦର ମଧ୍ୟରୁ ଗୋଟିଏ। ଏହି ବିମାନବନ୍ଦରର ଏବଂ ଏହାର ଭୌଗୋଳିକ ସ୍ଥିତି ଏପରି ଯେ, ଏଠାରେ ଅନେକ ସମୟରେ ବିମାନ ଦୁର୍ଘଟଣା ଆଶଙ୍କା ରହିଥାଏ। ତ୍ରିଭୁବନ ବିମାନବନ୍ଦର ମଧ୍ୟ ନେପାଳର କାଠମାଣ୍ଡୁ ଘାଟିରେ ଅବସ୍ଥିତ। ଚାରିପଟୁ ହିମାଳୟ ପର୍ବତଶ୍ରେଣୀ ଏହାକୁ ଘେରି ରହିଛି। ହିମାଳୟ ଅନେକ କିଲୋମିଟର ଦୂରରେ ଥିଲେ ହେଁ ସେଠାରୁ ବହୁଥିବା ପବନର ଦିଗ ଏବଂ ଏହାର ତୀବ୍ରତା ପାଣିପାଗକୁ ଅନେକ ସମୟରେ ବହୁମାତ୍ରାରେ ପ୍ରଭାବିତ କରିଥାଏ। ହିମାଳୟରୁ ଆସୁଥିବା ପବନ ଯୋଗୁ ଏଠାରେ ଯେକୌଣସି ସମୟରେ ପାଗ ବଦଳି ଯାଇଥାଏ, ଯାହା ବିମାନର ଅବତରଣ ଏବଂ ଉଡ଼ାଣ ପ୍ରଭାବିତ କରିଥାଏ।

ଏହାବ୍ୟତୀତ ତ୍ରିଭୁବନ ବିମାନବନ୍ଦରରେ କେବଳ ଗୋଟିଏ ରନଓ୍ବେ ରହିଛି। ତେଣୁ ବିମାନ ଯାତ୍ରା ପରିଚାଳନା କରିବା କଷ୍ଟକର ହୋଇଥାଏ। ଏହାର ଲମ୍ବ ବି ଚିନ୍ତାର ବିଷୟ। ଏହି ବିମାନବନ୍ଦର ରନଓ୍ବେର ଲମ୍ବ ଅନ୍ୟ ଅନ୍ତର୍ଜାତୀୟ ବିମାନବନ୍ଦରର ଲମ୍ବ ତୁଳନାରେ କମ। ତ୍ରିଭୁବନ ବିମାନବନ୍ଦର ପ୍ରାୟ ୩୦୦୦ ମିଟର ବା ୩ କିଲୋମିଟର ଲମ୍ବା ହୋଇଥିବାବେଳେ ଅନ୍ୟ ବିମାନବନ୍ଦର ଲମ୍ବ ପ୍ରାୟ ୩୫୦୦ ମିଟର। ରନଓ୍ବେ ସ୍ଥାନ ବି ଅଧିକ ଉଚ୍ଚତାରେ ରହିଛି। ଫଳରେ ଏଠାରେ ବିମାନ ଅବତରଣ କରିବା ଏବଂ ଉଡ଼ାର ଭରିବାରେ ଅଧିକ ସମୟ ଲାଗିଥାଏ। ସେଥିଲାଗି ଭଲ ଏବଂ ଅଭିଜ୍ଞ ପାଇଲଯମାନଙ୍କୁ ହିଁ ତ୍ରିଭୁବନ ବିମାନବନ୍ଦରରେ ବିମାନ ଉଡ଼ାଣ କରିବାକୁ ଅନୁମତି ମିଳିଥାଏ।

ପୂର୍ବରୁ ଘଟିଥିବା ଦୁର୍ଘଟଣା:

୧୯୯୨ ସେପ୍ଟେମ୍ବର ୨୮: ପାକିସ୍ତାନର ଏକ ଅନ୍ତର୍ଜାତୀୟ ବିମାନ ଏଠାରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୬୭ ଜଣ ପ୍ରାଣ ହରାଇଥିଲେ।

୨୦୧୫ ମାର୍ଚ୍ଚ ୪: ତୁର୍କୀର ଏକ ବିମାନ ଘନ କୁହୁଡ଼ି ମଧ୍ୟରେ ଏଠାରେ କ୍ରାଶ ଲ୍ୟାଣ୍ଡିଂ କରିଥିଲା। ବିମାନଟି ରନଓ୍ବେଠାରୁ ଅଧିକ ଆଗକୁ ଚାଲିଯାଇଥିଲା। ହେଲେ ଏଥିରେ ଥିବା ୨୩୮ ଯାତ୍ରୀଙ୍କର କୌଣସି କ୍ଷୟକ୍ଷତି ହୋଇ ନ ଥିଲେ।

୨୦୧୮ ମାର୍ଚ୍ଚ ୧୨: ୭୧ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ଏଠାରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪୯ ଜଣ ପ୍ରାଣ ହରାଇଥିଲେ।

୨୦୧୮ ଅଗଷ୍ଟ ୨୮: ପାଇଲଟଙ୍କ ତ୍ରୁଟି ଯୋଗୁ ଏକ ବିମାନ ଏହି ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୫୧ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

୨୦୨୩ ଜାନୁୟାରୀ ୫: ୟତି ଏୟାରଲାଇନ୍ସର ଏକ ବିମାନ ପୋଖରା ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୭୨ ଜଣଙ୍କ ପ୍ରାଣହାନି ଘଟିଥିଲା।

Comments are closed.