ଗାଈ ଚରାଉଛି ଭାଇ, ମୂଲ ଖୋଜୁଛି ଭଉଣୀ: ମାସକୁ ୨୩ ଦିନ ଓପାସ ୩ ଭାଇଭଉଣୀ

ଜୟପୁର: ଗାଁ ଦାଣ୍ଡରେ ନୂଆ ଲୋକଙ୍କୁ ଦେଖିଲେ ଆଖି ଛଳଛଳ କରି ଦେଉଛନ୍ତି। କାରଣ ପଚାରିଲେ କଅଁଳ ପାଟିରୁ କଥା ବାହାରୁନି। ନୂଆ ଆଗନ୍ତୁକଙ୍କୁ ସତେ ଯେମିତି କେତେ କ’ଣ କହିବାକୁ ଇଚ୍ଛା କରୁଛନ୍ତି ଏହି ତିନି ଅସହାୟ। ମାସକୁ ଏହି ତିନି ଅସହାୟ ନାବାଳକ ୨୩ଦିନ ଉପବାସ ରହୁଥିବା ଅଭିଯୋଗ ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ଏକବର୍ଷ ପରେ ମଧ୍ୟ ଅଜଣା ରହିଛି ପ୍ରଶାସନ। ପାଠପଢ଼ା ବୟସରେ ଗାଈ ଚରାଉଥିବା ଏହି ପିଲାଙ୍କ ଏଭଳି ଅସହାୟ କାହାଣୀ କିଭଳି କାହାର କର୍ଣ୍ଣପାତ ହୋଇନି ତାହା ଅନେକ ପ୍ରଶ୍ନ ଛିଡ଼ା କରାଇଛି।

ଜୟପୁର ବ୍ଲକ ତେଲେଙ୍ଗିରି ପ୍ରକଳ୍ପରେ ରାଣୀଗଡ଼ ଗ୍ରାମବାସୀ ବିସ୍ଥାପିତ ହୋଇ ଆସି ବରିପୁଟ ଗ୍ରାମ ନିକଟରେ ବସତି ସ୍ଥାପନ କରିଛନ୍ତି। ରାଣୀଗଡ଼ରୁ ବିସ୍ଥାପିତ ହୋଇ ଅର୍ଜୁନ ମୁଦୁଲି ଆସି ଏହି ଗାଁରେ ଘରଟିଏ କରିଥିଲେ। ସାଥୀରେ ଥିଲେ ପତ୍ନୀ ସାବିତ୍ରି ମୁଦୁଲି। ପରିବାରରେ ଥିଲେ ଗୋଟିଏ ପୁଅ, ଦୁଇ ଝିଅ। ବରିପୁଟରେ ରହି ଅର୍ଜୁନ ଓ ସାବିତ୍ରି କୁଲି କାମ କରି କଷ୍ଟରେ ଚଳୁଥିଲେ। ହଠାତ ଅର୍ଜୁନ ମୁଦୁଲି ଅସୁସ୍ଥ ହୋଇ ପ୍ରାଣ ହରାଇଲେ। ପରିବାର ବୋଝ ସମ୍ଭାଳିଲେ ସାବିତ୍ରୀ। ସ୍ୱାମୀଙ୍କ ମୃତ୍ୟୁ ପରେ ୪ବର୍ଷ ପର୍ୟ୍ୟନ୍ତ ତିନି ପିଲାଙ୍କ ମୁହଁରେ ଆହାର ଦେଇ ଆସୁଥିଲେ ସାବିତ୍ରୀ। ହଠାତ ଏକବର୍ଷ ତଳେ ସାବିତ୍ରୀ କେଉଁଆଡ଼େ ଚାଲିଯାଇଛନ୍ତି ଆଉ ତାଙ୍କର ପତ୍ତା ମିଳୁନି।

୨୦୨୦ ଜାନୁୟାରୀ ମାସରୁ ମା ସାବିତ୍ରୀ ଚାଲିଯିବା ପରେ ଅସହାୟ ହୋଇପଡ଼ିଛନ୍ତି ଏହି ଭାଇଭଉଣୀ। ସମସ୍ତେ ନାବାଳକ, ନାବାଳିକା। ବଡପୁଅକୁ ୧୩ ବର୍ଷ ହେଇଥିବା ବେଳେ ମଝିଆ ଭଉଣୀକୁ ୧୧ ବର୍ଷ ଓ ସାନ ଝିଅକୁ ମାତ୍ର ୬ବର୍ଷ। ଘରେ ବାପା ଓ ମା’ ନ ଥିବାରୁ ସମସ୍ତଙ୍କ ଦାୟିତ୍ୱ ମୁଣ୍ଡାଇଛି ୧୩ ବର୍ଷୀୟ ବଡ଼ଭାଇ। ଏପଟେ କଅଁଳ କାନ୍ଧରେ ଦୁଇ ଭଉଣୀଙ୍କୁ ପୋଷିବ କେମିତି। ଏଣୁ ଗାଁର ଗାଈଗୋରୁଙ୍କୁ ଚରାଇବାକୁ ନେଉଛି। ମଝିଆ ଭଉଣୀ ବାପା ମା’ଙ୍କୁ ହରାଇ ଗୁମ୍ମା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପାଠରେ ଅଧାରୁ ଡୋରି ବାନ୍ଧିଛି। ବାପାର ମୃତ୍ୟୁ ବେଳେ ଛଅ ମାସ ହେଇଥିବା ସାନଭଉଣୀ ଅଙ୍ଗନବାଡ଼ିରେ ନାମ ଲେଖାଇ ପାରିନି। ସରକାରଙ୍କ ଅନ୍ତୋଦୟ ଯୋଜନାରେ ୩୫କେଜି ଚାଉଳରେ ତିନିଛୁଆଙ୍କ ପେଟ ପୁରୁଛି। ମାସିକିଆ କୋଟାରେ ମିଳୁଥିବା ୩୫କେଜି ଚାଉଳରୁ ଅଧା ଚାଉଳ ରଖି ତେଲ ଲୁଣ ପାଇଁ ଅଧା ବିକ୍ରି କରି ତେଲ ଲୁଣ କିଣି ଖାଉଛନ୍ତି। ସରକାରୀ ସହାୟତା ସେମାନଙ୍କୁ ମାତ୍ର ୭ଦିନ ପର୍ୟ୍ୟନ୍ତ ଦାନା ଯୋଗାଇପାରୁଛି। ବଳକା ୨୩ଦିନ ପ୍ରାୟ ଭୋକିଲା ରହୁଥିବା କହିଛନ୍ତି ଭାର ମୁଣ୍ଡାଇଥିବା ବଡ଼ପୁଅ।

ଗାଈ ଚରାଇଲେ ଦିନକୁ ୧୦ଟଙ୍କା ମିଳୁଥିବାରୁ ତିନି ଭାଇଭଉଣୀ ସେତିକିରେ ବଡ଼ କଷ୍ଟରେ ଚଳୁଥିବା କହିଛନ୍ତି ମଝିଆ ଭଉଣୀ। ଭାଇର ଦୁଃଖକୁ ବୁଝି କୁଲି କାମ କେଉଁଠି ମିଳିଲେ କରିବା ପାଇଁ ମଝିଆ ଭଉଣୀ ଖୋଜି ବୁଲୁଛି। ୧୧ବର୍ଷ ହୋଇଥିବାରୁ ତାକୁ କାମ କରିବାକୁ ମନା କରି ଦେଉଛନ୍ତି। ଏଭଳିସ୍ଥିତିରେ ମଝିଆ ଭଉଣୀ ସାନଭଉଣୀକୁ ଖେଳାଇ ବୁଲାଇ ସମ୍ଭାଳିବା ସହ ରୋଷେଇ କରୁଛି। ଗାଁକୁ କେହି ନୂଆ ଲୋକ ଗଲେ କାଳେ କିଛି ସହାୟତା ଦେବେ ସେ ଆଶାରେ ଅନାଇ ରହୁଛନ୍ତି। ଏଭଳି ଭାଇ ଭଉଣୀଙ୍କ ଦୁଃଖକୁ ଅନୁଭବ କରିଥିଲେ ବିଦ୍ୟୁତ ବିଭାଗର ଲେଡରମ୍ୟାନ୍‌ ଶ୍ରୀକାନ୍ତ ମିଶ୍ର। ବିସ୍ଥାପିତ ହେଇ ଆସିଥିବା ଅର୍ଜୁନ ବିସ୍ଥାପନ ପ୍ୟାକେଜରେ ଯେଉଁ ଘର କରିଛନ୍ତି ସେଥିରେ ବିପିଏଲ ବିଦ୍ୟୁତ ସଂଯୋଗ ରହିଛି। ବିଦ୍ୟୁତ ବିଭାଗର ଲେଡରମ୍ୟାନ ବିଲ୍‌ ଆଣିବାକୁ ଗଲା ବେଳେ ଘର ସମ୍ମୁଖରେ ଥିବା ତିନି ଭାଇଭଉଣୀଙ୍କ ଆଖିରୁ ଲୁହ ଧାର ଧାର ବୋହିଥିଲା। ସେମାନେ ଭୋକରେ ଆଉଟୁପାଉଟୁ ହୋଇଥିବା ଜାଣିପାରିଥିଲେ ଶ୍ରୀ ମିଶ୍ର। ତୁରନ୍ତ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରି ଅଢ଼େଇ ଶହ ଟଙ୍କା ଦେଇ ଚାଉଳ, ତେଲ କିଣିବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ଭୋକରେ ରହୁଥିବା ତିନି ଛୁଆ କାହାରିକୁ ନ କହି ଭୋକରେ ଛଟପଟ ହୋଇ କାନ୍ଦନ୍ତି ବୋଲି ବରିପୁଟ ବିସ୍ଥାପିତ କଲୋନୀର ଶିବ ମୁଦୁଲି, ଭଗବାନ ମୁଦୁଲି, ରାମ ମୁଦୁଲି, ମାଧବ ମୁଦୁଲି, ପୀତ ଜାନୀ, ଧନୁର୍ଜୟ ମୁଦୁଲି, ଜମୁନା ମୁଦୁଲି ଓ ବୁଦୁରି ମୁଦୁଲି ଆମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। ଗାଁ ଲୋକେ କେବେ କେମିତି ଖାଇବାକୁ ଦେଉଛନ୍ତି।

ଗାଁରେ ତିନି ଛୁଆଙ୍କ ଦାଦା ଧନ ମୁଦୁଲି ରହୁଥିଲେ ମଧ୍ୟ ସମସ୍ୟା ପାଇଁ ପୁତୁରା ଓ ଝିଆରୀଙ୍କୁ ଚଳାଇପାରୁନି ବୋଲି ବଡଭାଇ କହିଛି। ସରକାରୀ ବ୍ୟବସ୍ଥା ଏପରି ଯେ ୬ବର୍ଷୀୟା ସାନ ଝିଅକୁ ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ଥାନ ମିଳିପାରିନି। କେବଳ ତେଲେଙ୍ଗିରି ବିସ୍ଥାପିତ ବେଳେ ଯେଉଁ ଘର ଖଣ୍ଡିଏ ବାପା କରି ଦେଇଛି ସେତିକି ହିଁ ଏମାନଙ୍କୁ ସାହାରା ହୋଇଛି। ଜମି ବାଡି କିଛି ନାହିଁ। ଏକବର୍ଷ ପରେ ମଧ୍ୟ ଏମାନଙ୍କ ଅସହାୟତା ବିଷୟରେ ଖବର ପ୍ରଶାସନ ନିକଟରେ କିଭଳି ପହଞ୍ଚିପାରିନି ତାହା ସବୁଠାରୁ ବଡ଼ ପ୍ରଶ୍ନ। ଏ ନେଇ ଜୟପୁର ବିଡିଓ ସୁରଜ ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ତୁରନ୍ତ ସେମାନଙ୍କୁ ସହାୟତା ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

Comments are closed.