ଫୁଲବାଣୀ: ଏକ ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କରିଛି ଫୁଲବାଣୀ ଟାଉନ ଥାନା ପୁଲିସ। ବାଇକ ଚୋରି ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହିତ ସେମାନଙ୍କଠାରୁ ୯ଟି ଦାମୀ ବାଇକ ଜବତ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବାରୁ ତା’କୁ ଜୁଭେନାଇଲ କୋର୍ଟରେ ହାଜର କରି ସୁଧାର ଗୃହକୁ ପଠାଇ ଦିଆଯାଇଛି। ଏହି ନାବାଳକ ହିଁ ଗ୍ୟାଙ୍କର ମାଷ୍ଟରମାଇଣ୍ଡ ବୋଲି ପୁଲିସ କହିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ଟିକାବାଲି ଥାନା ବସ୍ତିଙ୍ଗିଆର ଦିଲ୍ଲୀପ କହଁର, ବାହାଡାପଦରର ବିକାଶ କହଁର, କଟିମାହାର ରୁଦ୍ର ମାଧବ ବଗର୍ତ୍ତି ଓ ସଦର ଥାନା ତାଳପଡାର ଚନ୍ଦନ ଦିଗାଲ।
ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ଟାଉନ ଥାନା ଜିରିଙ୍ଗପଡା ଅଞ୍ଚଳର ସ୍ବର୍ଣ୍ଣ ବେହେରା ତାଙ୍କ ବାଇକ ଚୋରି ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା(୨୩୧/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ ଏବଂ ଯାଞ୍ଚ ପରେ ଦିଲ୍ଲୀପ ଓ ରୁଦ୍ରଙ୍କୁ ଅଟକ ରଖିଥିଲା ପୁଲିସ। ପଚରାଉଚରା ପରେ ଏହା ପଛରେ ଏକ ରାକେଟ କାମ କରୁଥିବା ଜଣା ପଡିଥିଲା। ମିଳିଥିବା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ୯ଟି ଚୋରା ବାଇକ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଜଣେ ନାବାଳକ ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା। ଏହି ବାଇକଗୁଡିକ ଫୁଲବାଣୀ ସହିତ ଗଞ୍ଜାମ, ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ଚୋରି କରାଯାଇଥିବା ପୁଲିସ କହିଛି। ଗିରଫ ନାବାଳକ ଏହି ରାକେଟର ମାଷ୍ଟରମାଇଣ୍ଡ ଏବଂ ତା’ ନାମରେ ପୂର୍ବରୁ ଭୁବନେଶ୍ୱରର ମୈତ୍ରୀବିହାର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଲକ୍ଷ୍ମୀସାଗର ଓ ଖାରବେଳ ନଗର ଥାନାରେ ଅଭିଯୋଗ ରହିଥିବା ସ୍ଥାନୀୟ ଟାଉନ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ବିଭୂତି ଭୂଷଣ ମହାପାତ୍ର ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନେ ଅନେକ ବାଇକ ଚୋରିରେ ସମ୍ପୃକ୍ତ ଥିବା ଏବଂ ଉକ୍ତ ବାଇକ ଜବତ କରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଥିବା ଅତିରିକ୍ତ ଏସପି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ପି. ସ୍ବରୂପ କିଶନ ଉପସ୍ଥିତ ଥିଲେ।



