ନୂଆଦିଲ୍ଲୀ : ପାକ୍ ଅଧିକୃତ କାଶ୍ମୀରରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ଥିବା ବିଭିନ୍ନ ବିକଳ୍ପ ସମ୍ପର୍କରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛିି। ଏୟାର ଷ୍ଟ୍ରାଇକ୍ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ବଢ଼ିଥିବା ବେଳେ ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କା ଘନୀଭୂତ ହୋଇଥିବା ଅଭିଯୋଗ ଆରମ୍ଭ ହୋଇଛି। ଅପରପକ୍ଷରେ ଏଭଳି ଅଭିଯୋଗକୁ ବୈଦେଶିକ ବ୍ୟାପାର ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି। ସେମାନଙ୍କ ମତରେ ସାମରିକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଶାନ୍ତି ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଯେ ଉଦ୍ୟମ କରିନାହାନ୍ତି ତା’ ନୁହେଁ, କିନ୍ତୁ ସବୁ ଆଲୋଚନା ବିଫଳ ହେବା ପରେ ଶେଷ ବିକଳ୍ପ ସ୍ୱରୂପ ସେନାକୁ ଉପଯୋଗ କରାଯାଇଛି।
ପାକିସ୍ତାନ ସହିତ ଭାରତର ଶାନ୍ତି ସହାବସ୍ଥାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମ ଶପଥ ଗ୍ରହଣ ଉତ୍ସବରୁ ହିଁ ଆରମ୍ଭ ହୋଇଥିଲା। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ନୱାଜ ସରିଫ୍ଙ୍କୁ ଆମନ୍ତ୍ରଣ କରିବା ପରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରେ ବୋଲି ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ କେତେକ ରାଷ୍ଟ୍ର ଆଶା କରିଥିଲେ। ପାକିସ୍ତାନ ପକ୍ଷରୁ ଏହାର ପ୍ରତିକ୍ରିୟା ମିଳିଥିଲା ଏଲ୍ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜରିଆରେ। ଏହାପରେ ମଧ୍ୟ ଦୁଇବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶାନ୍ତି ପାଇଁ ଉଦ୍ୟମ ଅବ୍ୟାହତ ରଖିଥିଲେ। ସରିଫ୍ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ପାକିସ୍ତାନକୁ ମୋଦୀଙ୍କ ଅଚାନକ ଗସ୍ତ ଓ ଲାହୋରଠାରେ ଶାନ୍ତି ଆଲୋଚନାରେ ଏସବୁ ପ୍ରତିଫଳିତ ହୋଇଥିଲା। ଅପରପକ୍ଷରେ କାଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କ ସହିତ ପାକ୍ ହାଇକମିସନରଙ୍କ ପ୍ରତ୍ୟକ୍ଷ ଆଲୋଚନା, ଭାରତୀୟ ନୌବାହିନୀ ଅଧିକାରୀଙ୍କୁ ଗିରଫ ଓ ମୃତ୍ୟୁଦଣ୍ଡ, ପଠାନକୋଟରେ ସେନାଶିବିର ଉପରେ ଆକ୍ରମଣ ପରି ପଦକ୍ଷେପରେ ଭାରତର ଶାନ୍ତି ପ୍ରସ୍ତାବକୁ ପାକିସ୍ତାନ ସ୍ୱାଗତ କରିଥିଲା। ୨୦୧୬, ସେପ୍ଟେମ୍ବର ୧୮ ତାରିଖରେ ଉରିରେ ଭାରତୀୟ ସେନାଶିବିର ଉପରେ ଆକ୍ରମଣ ପରେ ଭାରତ ଜାତିସଂଘରେ ବୈଦେଶିକ ମନ୍ତ୍ରୀସ୍ତରୀୟ ସମସ୍ତ ଆଲୋଚନାରୁ ଓହରି ଆସିଥିଲା। ଏହାପରେ ବାଧ୍ୟହୋଇ ସେନା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ ଭାରତୀୟ ସେନାବାହିନୀ ପାକ୍ ଅଧିକୃତ କାଶ୍ମୀରରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଆତଙ୍କବାଦୀ ସଂଗଠନ ଧ୍ୱଂସ କରିଥିଲା। ଏହାପରେ ଗତ ୧୪ ତାରିଖରେ ପୁଲୱାମାରେ ଆତ୍ମଘାତୀ ଆକ୍ରମଣରେ ୪୪ ସିଆରପିଏଫ୍ ଯବାନ ସହିଦ ହେବା ପରେ ଭାରତ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଛି।
ଶାନ୍ତି ପଥ ଅବରୋଧରୁ ସେନା ପଦକ୍ଷେପ
Popular Categories



