ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସୋମବାର ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)ର ପ୍ରଥମ ଚାଳକ ବିହୀନ ମେଟ୍ରୋ ଟ୍ରେନ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ। ଗମନାଗମନ କ୍ଷେତ୍ରରେ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଏହି ଚାଳକ ବିହୀନ ଟ୍ରେନ୍ଗୁଡ଼ିକ
ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବୋଲି ଜଣାପଡିଛି। ଏହି ଚାଳକବିହୀନ ଟ୍ରେନ୍ ଚଳାଚଳ ଦ୍ୱାରା ମାନବସୃଷ୍ଟ ଭୁଲ୍ର ମଧ୍ୟ ପରିସମାପ୍ତି ଘଟିବ।
ସୂଚନା ଅନୁଯାୟୀ,ଜନକପୁରୀ ପଶ୍ଚିମରୁ ନୋଏଡା ବଟାନିକାଲ ଗାର୍ଡେନକୁ ସଂଯୋଗ କରୁଥିବା ୩୭ କିଲୋମିଟର ଦୀର୍ଘ ମାଜେଣ୍ଟା ଲାଇନରେ ଦେଶର ପ୍ରଥମ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଚାଳକ ବିହୀନ ଟ୍ରେନ ସେବାର ପ୍ରଧାନମନ୍ତ୍ରୀ ମୋଦୀ ଶୁଭାରମ୍ଭ କରିବେ। ଆସନ୍ତାବର୍ଷ ମଧ୍ୟଭାଗ ସୁଦ୍ଧା ଦିଲ୍ଲୀ ମେଟ୍ରୋର ପିଙ୍କ୍ ଲାଇନ୍ରେ ଚାଳକ ବିହୀନ ଟ୍ରେନ୍ସେବା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ
ହେବ ବୋଲି ଯୋଜନା ରହିଛି।
ଏହାଛଡ଼ା ପ୍ରଧାନମନ୍ତ୍ରୀ ଜାତୀୟ ଏକକ ମୋବିଲିଟି କାର୍ଡ ସେବା ମଧ୍ୟ ଶୁଭାରମ୍ଭ କରିବେ। ଏୟାରପୋର୍ଟ ଏକ୍ସପ୍ରେସ୍ ଲାଇନ୍ ଦ୍ୱାରା ପ୍ରଦତ୍ତ ଏହି ସେବା ଆସନ୍ତା ୨୦୨୨ ସୁଦ୍ଧା ଦିଲ୍ଲୀ ମେଟ୍ରୋର ସମ୍ପୂର୍ଣ୍ଣ ନେଟ୍ୱର୍କରେ ଉପଲବ୍ଧ ହେବ ବୋଲି ଜଣାଯାଇଛି।



