ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କୁ ଶୁକ୍ରବାର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋତାବାୟାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ପରେ ଗୋତାବାୟା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ। ରାଷ୍ଟ୍ରପତି କୋବିନ୍ଦ ଗୋତାବାୟାଙ୍କ ପାଇଁ ଔପଚାରିକ ଭୋଜନର ଆୟୋଜନ କରିବେ। ଏହାପରେ ଗୋତାବାୟା ଏବଂ ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ। ଆଲୋଚନା ବେଳେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ସୀମା ବିବାଦ ସହିତ ଏକାଧିକ ଦ୍ବିପାକ୍ଷିକ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ଗୋତାବାୟା ରାଜପକ୍ଷେ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ତାଙ୍କ ପ୍ରଥମ ବିଦେଶ ଯାତ୍ରାରେ ୩ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ସେ ଆସି ପହଞ୍ଚିଛନ୍ତି। ରାଜପକ୍ଷେଙ୍କ ସଚିବ ପି.ବି. ଜୟସୁନ୍ଦର ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପରାମର୍ଶଦାତା ଲଳିତ ବୀରତୁଙ୍ଗା ମଧ୍ୟ ରାଷ୍ଟ୍ରପତିଙ୍କ ସହିତ ଭାରତ ଗସ୍ତରେ ଆସିଛନ୍ତି।



